ବାହୁଡ଼ିବେ ମହାପ୍ରଭୁ : ତିନିରଥ ନେଲେ ଦକ୍ଷିଣମୋଡ଼

ପୁରୀ : ମହାପ୍ରଭୁଙ୍କ ଉପରେ ଅଭିମାନ କରି ମା’ ଲକ୍ଷ୍ମୀ ଠାକୁରାଣୀ ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିରରୁ ଫେରି ଆସିବା ପରେ ମହାପ୍ରଭୁଙ୍କ ମନ ଅଥୟ ହୋଇଛି। ଶ୍ରୀମନ୍ଦିର ଫେରିବା ପାଇଁ ମହାପ୍ରଭୁ ବାହୁଡ଼ା ଯାତ୍ରାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ପ୍ରାରମ୍ଭିକ କାର୍ଯ୍ୟ ଭାବେ ଆଜି ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ଦକ୍ଷିଣ ମୋଡ଼ ନେଇଛନ୍ତି।

ରଥଯାତ୍ରାଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଆଗରେ ରହିଥିବା ତିନି ରଥକୁ ନାକଚଣା ଦ୍ୱାର ସମ୍ମୁଖରେ ଦକ୍ଷିଣମୋଡ଼ କରାଯାଇ ପ୍ରସ୍ତୁତ କରି ରଖାଯାଇଛି। ଜୁଲାଇ ପହିଲାରେ ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତି ବିଜେ ହୋଇ ବାହୁଡ଼ଯାତ୍ରାରେ ଶ୍ରୀମନ୍ଦିର ଫେରିବେ। ନବବିବାହିତା ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ଅଙ୍ଗବାସରୁ ବିବାହ ଗଇଣ୍ଠାଳ ଫିଟିନଥିବାବେଳେ କିଛି ନଜଣାଇ ମହାପ୍ରଭୁ ଭାଇ-ଭଉଣୀଙ୍କୁ ଧରି ଶ୍ରୀଗୁଣ୍ଡିଚା ଯାତ୍ରାରେ ପଳାଇ ଆସିଛନ୍ତି। ଏହା ଜାଣିବା ପରେ ବିରହ ବେଦନା ସହିନପାରି ମା’ ଲକ୍ଷ୍ମୀ ଠାକୁରାଣୀ ମା’’ ବିମଳାଙ୍କ ପରାମର୍ଶକ୍ରମେ ଗତକାଲି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରା କରିଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିର ଜୟବିଜୟ ଦ୍ୱାର ପାଖରେ ମହାପ୍ରଭୁଙ୍କୁ ଭେଟିବାକୁ ମା’’ ଲକ୍ଷ୍ମୀ ଠାକୁରାଣୀ ଅପେକ୍ଷା କରିଥିବାବେଳେ ଧୂପନୀତି ପାଇଁ ଜୟବିଜୟ ଦ୍ୱାର ବନ୍ଦ କରି ଦିଆଯାଇଥିଲା। ମହାପ୍ରଭୁଙ୍କୁ ଭେଟ ନପାଇ ଅପମାନରେ ମା’ ଲକ୍ଷ୍ମୀ ଠାକୁରାଣୀ ଶ୍ରୀଗୁଣ୍ଡିଚା ମନ୍ଦିରରୁ ନାକଚଣା ଦ୍ୱାର ଦେଇ ନିରାଡମ୍ୱରରେ ହେରାଗୋହିରି ସାହି ଦେଇ ଶ୍ରୀମନ୍ଦିରକୁ ଫେରି ଆସିଥିଲେ। ଏହା ଜାଣିବା ପରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏ ନେଇ ଆଜି ସକାଳ ୬ଟା ୫ ମିନିଟ୍‌ରେ ଦ୍ୱାରଫିଟା ନୀତି ସମ୍ପନ୍ନ ହୋଇଥିଲା। ପରେ ପରେ ଅନ୍ୟାନ୍ୟ ନୀତି ବଢ଼ିବା ସହ ଦକ୍ଷିଣମୋଡ଼ ପାଇଁ ପୂର୍ବାହ୍ଣ ୧୧ଟା ୧୫ ମିନିଟ୍‌ରେ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ତିନି ରଥରେ ବିଜେ କରାଯାଇଥିଲା। ପରେ ‌ତିନି ରଥକୁ ଦକ୍ଷିଣମୋଡ଼ ଦିଆଯାଇଥିଲା।

ପ୍ରଥମ ମା’ ସୁଭଦ୍ରାଙ୍କ ଦେବଦଳନ ରଥ ଦକ୍ଷିଣମୋଡ଼ ନେଇଥିଲେ। ପୂର୍ବାହ୍ଣ ସାଢ଼େ ୧୧ଟାରୁ ରଥଟଣା ଆରମ୍ଭ ହୋଇ ଅପରାହ୍ଣ ୧ଟା ୨୫ ମିନିଟ୍‌ରେ ରଥଟଣା ଶେଷ ହୋଇଥିଲା। ପରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ଦକ୍ଷିଣମୋଡ଼ ନେଇଥିଲେ। ଅପରାହ୍ଣ ସାଢ଼େ ୩ଟାରୁ ରଥଟଣା ଆରମ୍ଭ ହୋଇ ୪ଟା ୨୫ ମିନିଟ୍‌ରେ ଶେଷ ହୋଇଥିଲା। ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ଆରମ୍ଭ ହୋଇଥିଲା। ଅପରାହ୍ଣ ୪ଟା ୪୫ ମିନିଟ୍‌ରେ ରଥଟଣା ଆରମ୍ଭ ହୋଇ ୫ଟା ୫୫ ମିନିଟ୍‌ରେ ଶେଷ ହୋଇଥିଲା। ପୁଲିସ ଓ ଓଏସଏଏଫଙ୍କ ସହଯୋଗରେ ତିନି ରଥକୁ ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିକୁ ନିଆଯାଇଛି।

ସମ୍ବନ୍ଧିତ ଖବର