‘ଚକଡ଼ା’ ମୁକାବିଲା ପାଇଁ ସଜବାଜ

ଭୁବନେଶ୍ୱର : ପୋକ ଆକ୍ରମଣରେ ଧାନ ଫସଲ ନଷ୍ଟ ପ୍ରାକୃତିକ ବିପର୍ଯ୍ୟୟର ଅଂଶବିଶେଷ। ଏଣୁ ସ୍ୱତନ୍ତ୍ର ରିଲିଫ୍‌ କୋଡ୍‌ ଅନୁସାରେ ଚାଷୀକୁ କ୍ଷତିପୂରଣ ମିଳିବ। ଏ କ୍ଷେତ୍ରରେ ବ୍ୟକ୍ତିକୁ ୟୁନିଟ୍‌ ଭାବେ ଗ୍ରହଣ କରାଯିବ ଓ ଯାହାର ବି ଚାଷ ଜମି ପୋକ ଆକ୍ରମଣ ଯୋଗୁଁ ୩୩%ରୁ ଅଧିକ କ୍ଷତି ହୋଇଥିବ, ତାକୁ କ୍ଷତିପୂରଣ ଦିଆଯିବ। ଆଜି ସରକାରଙ୍କ ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ଦିଆଯାଇଛି। ତେବେ ଯେଉଁମାନେ ଚାଷ ଜମି ପୋଡ଼ି ଦେଇଛନ୍ତି, ସେମାନଙ୍କୁ ଏହି କ୍ଷତିପୂରଣ ମିଳିବ କି ନାହିଁ, ସେ ନେଇ କେହି କିଛି ମୁହଁ ଖୋଲିନାହାନ୍ତି। ଗତକାଲି ଖୋଦ୍‌ କୃଷିମନ୍ତ୍ରୀ ଏ ନେଇ ଦେଇଥିବା ମନ୍ତବ୍ୟ ବିବାଦର ମଞ୍ଜି ବୁଣିଥିଲା।

ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କ୍ଷତିପୂରଣ ମିଳିବା କଥାକୁ ସିଧାସଳଖ ଫାଙ୍କିନଥିଲେ ହେଁ, କହିଥିଲେ ଯେ ଜମିରେ ଚାଷ ଥିଲେ ତ ଆକଳନ କରାଯିବ ଓ କ୍ଷତିପୂରଣ ମିଳିବ। ଅନ୍ୟଥା କେତେ ପ୍ରତିଶତ ନଷ୍ଟ ହୋଇଛି, କିଭଳି ଜଣାପଡିବ। ଅନ୍ୟପକ୍ଷରେ ଚାଷ ଜମି ପୋଡ଼ି ଓ ଚାଷୀ ଆତ୍ମହତ୍ୟା ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଯେଉଁ ଅଭାବନୀୟ ପରିସ୍ଥିତି ଉପୁଜିଛି, ତାହାର ମୁକାବିଲା ଲାଗି ସରକାରୀ ସଜବାଜ ଆରମ୍ଭ ହୋଇଛି। ଏହା ପଛରେ ରାଜନୈତିକ ଷଡ଼ଯନ୍ତ୍ର ସନ୍ଦେହ କଥା ଗତକାଲି କୁହାଯାଇଥିଲେ। ଆଜି କିନ୍ତୁ ସରକାର ଆଉ ପାଦେ ଆଗେଇ ଏହାର ମୁକାବିଲା କ୍ଷେତ୍ରରେ ସରକାରୀ ଅଧିକାରୀଙ୍କୁ ଅସ୍ତ୍ର ଭାବେ ପ୍ରୟୋଗ କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି। ଚାଷ ଜମି ପୋଡ଼ିଲେ ଚାଷୀର କି କି କ୍ଷତି ହେବ ସେ ନେଇ ଆଜି ଉନ୍ନୟନ କମିସନର ଆର୍‌ ବାଲକ୍ରିଷ୍ଣନ୍‌ ସୂଚାଇବା ସହିତ ପଞ୍ଚାୟତିରାଜ ବିଭାଗ ସହିତ ମିଶି କୃଷି ଓ ଅନ୍ୟ ଆନୁଷଙ୍ଗିକ ବିଭାଗ ଗାଁ ଗଣ୍ଡାରେ ସଚେତନତା ସୃଷ୍ଟି କରିବା ଲାଗି ହୋଇଥିବା ନିଷ୍ପତ୍ତି ସଂପର୍କରେ ଜଣାଇଥିଲେ।

ଏହି କ୍ରମରେ ଆସନ୍ତା ୬ ଏବଂ ୭ ତାରିଖରେ ଗ୍ରାମ ଓ ପଞ୍ଚାୟତ ସ୍ତରରେ କୃଷକସଭା ଆୟୋଜନ କରାଯିବ। କୃଷକଙ୍କ ଠାରୁ ଆରମ୍ଭ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି ଏବଂ କୃଷି ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ରର ପ୍ରତିନିଧି, ସମବାୟ ବିଭାଗ ଅଧିକାରୀ ସମସ୍ତେ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେବେ।

ଆଜି ସକାଳେ ଉନ୍ନୟନ କମିସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିଥିଲେ। ଜିଲ୍ଲାପାଳମାନେ କ’ଣ କରିବେ, କାହା ଉପରେ ଗୁରୁତ୍ୱ ଦେବେ ସେ ନେଇ କୃଷି ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି କୃଷି ବିଭାଗ ଅଧିକାରୀ, ସ୍ୱତନ୍ତ୍ର ରିଲିଫ୍‌ କମିସନର ପ୍ରମୁଖ ସୂଚନା ଦେଇଥିଲେ। ଏହି ଆଲୋଚନା ବେଳେ ୧୬ ଜଣ ଜିଲ୍ଲାପାଳଙ୍କ ସହିତ କଥାବାର୍ତା ହୋଇଥିଲା।

ପରେ ଗଣମାଧ୍ୟମକୁ ଶ୍ରୀ ବାଲ୍‌କ୍ରିଷ୍ଣନ୍‌ କହିଥିଲେ, ଯେଉଁ ସବୁ ଅଞ୍ଚଳ ପୋକ ଦ୍ୱାରା ପ୍ରଭାବିତ ହୋଇଛି, ସେସବୁ ସ୍ଥାନରେ ଚାଷୀମାନଙ୍କ ସହ ବୈଠକ ଏବଂ ଆଲୋଚନା କରିବା ଲାଗି ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଏଥିପାଇଁ ଜିଲ୍ଲାସ୍ତରରେ ଏକ ଦାୟିତ୍ୱ ସଂପନ୍ନ ଅଧିକାରୀଙ୍କୁ ନୋଡ଼ାଲ ଅଫିସର ଭାବରେ ନିୟୋଜିତ କରିବା ଲାଗି ଆଜି ନିର୍ଦେଶ ଦିଆଯାଇଥିଲା। ମରୁଡ଼ି କ୍ଷତିଗ୍ରସ୍ତ କୃଷକଙ୍କୁ ୭ଦିନ ମଧ୍ୟରେ ସହାୟତା ବଣ୍ଟନ ଲାଗି ଏହି ଅବସରରେ ଗୁରୁତ୍ୱାରୋପ କରାଯାଇଛି। ସ୍ଥିତିର ଦୈନିକ ପରିଚାଳନା ପାଇଁ ରାଜ୍ୟସ୍ତରରେ ଏକ ହ୍ଵାଟ୍‌ସ୍‌ଆପ୍‌ ଗ୍ରୁପ୍‌ ଗଠନ କରାଯିବ ଓ ସେ ଅନୁଯାୟୀ ଦୈନିକ ରିପୋର୍ଟ ଦେବାପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କହିଥିଲେ, ଭେଜାଲ ଏବଂ ନକଲି କୀଟନାଶକ ଔଷଧ ବିକ୍ରୟ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅଧିକ ବ୍ୟାପକ ଓ ଦୃଷ୍ଟାନ୍ତମୂଳକ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୀଟନାଶକ ଔଷଧ ଆଇନ୍‌ର ଧାରା ଗୁଡ଼ିକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ବି ଜିଲ୍ଲାପାଳଙ୍କୁ କୁହାଯାଇଛି। ସେହିପରି ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀ ସୂଚାଇଥିଲେ ଯେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ମରୁଡ଼ି ସହାୟତା ନିମନ୍ତେ ୨୧୬ କୋଟିର ସହାୟତା ରାଶି ଜିଲ୍ଲାମାନଙ୍କୁ ଯୋଗାଇ ଦିଆଯାଇ ସରିଲାଣି।

କୃଷି ବିଶେଷଜ୍ଞମାନେ ଜଣାଇଥିଲେ ଯେ ଚଳିତ ବର୍ଷ ଅନିୟମିତ ବୃଷ୍ଟିପାତ, ତାପମାତ୍ରା ଏବଂ ଜଳବାୟୁରେ ଅଧିକ ଆର୍ଦ୍ରତା ହେତୁ କେତେକ ଚାଷ ଜମିରେ ବେଶି ପରିମାଣରେ ଚକଡ଼ା ପୋକ ଲାଗିଛି । ସଠିକ୍‌ ଢ଼ଙ୍ଗରେ ପୋକମରା ଔଷଧର ପ୍ରୟୋଗ ନ କରିବା, ବିଭିନ୍ନ ପ୍ରକାର କୀଟନାଶକକୁ ମିଶାଇ ପ୍ରୟୋଗ କରିବା, ଗଛରୁ ଗଛ ମଧ୍ୟରେ ତଫାତ୍‌ ନ ରଖିବା, ଅତ୍ୟଧିକ ୟୁରିଆ ଜାତୀୟ ସାରର ପ୍ରୟୋଗ ଏହି ପୋକ ବ୍ୟାପିବାର ଅନ୍ୟତମ କାରଣ । ଏଭଳି ସ୍ଥଳେ ଚାଷ କ୍ଷେତରେ ନିଆଁ ଲାଗାଇଲେ ଚକଡ଼ା ପୋକ ମରିବା ପରିବର୍ତ୍ତେ ଅନ୍ୟ କ୍ଷେତକୁ ମାଡ଼ିଯିବେ, ଜମିରେ ଥିବା ଉପକାରୀ ଜୀବାଣୁ ନଷ୍ଟ ହୋଇଯିବେ। ଏହା ପରବର୍ତ୍ତୀ ବର୍ଷରେ ଫସଲ ଉତ୍ପାଦନକୁ କ୍ଷତିଗ୍ରସ୍ତ କରିବ।

ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଉତ୍ପାଦନ କମିସନର ଗଗନ ବିହାରୀ ଧଳ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ତୁହିନ୍‌ କାନ୍ତ ପାଣ୍ଡେ, ସମବାୟ ସଚିବ ରଂଜନା ଚୋପ୍ରା, ଜଳଛାୟା ପ୍ରକଳ୍ପର ନିର୍ଦ୍ଦେଶକା ସୁଜାତା କାର୍ତ୍ତିକେୟନ୍‌, ଓୟୁଏଟିର କୁଳପତି ସୁରେନ୍ଦ୍ରନାଥ ପଶୁପାଳକଙ୍କ ସମେତ ଜାତୀୟ ଖାଦ୍ୟ ଗବେଷଣା କେନ୍ଦ୍ର ଓ କୃଷିି ବିଜ୍ଞାନ କେନ୍ଦ୍ରର ବିଜ୍ଞାନୀମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର