ଲାଇସେନ୍ସପ୍ରାପ୍ତ ଦୋକାନରେ ନକଲି ମଦ ପ୍ରସ୍ତୁତି: ୯ ଗିରଫ

ମାଡ଼ିବସିଲା ଅବକାରୀ ଫ୍ଲାଇଂ ସ୍କ୍ବାଡ୍, ଦୁଇ ବିଦେଶୀ ମଦ ଦୋକାନ ସିଲ୍

ଚିତ୍ରଡ଼ା: ସରକାରୀ ଲାଇସେନ୍ସପ୍ରାପ୍ତ ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ଚାଲିଥିଲା ନକଲି ମଦ ପ୍ରସ୍ତୁତି। ଲାଇସେନ୍ସଧାରୀଙ୍କୁ ସରକାର ଅନୁମତି ଦେଇଥିଲେ ଠିପି ବନ୍ଦ ମଦ ବିକ୍ରି କରିବା ପାଇଁ, ହେଲେ ସେମାନେ ନିଜର ଦୋକାନରେ ହିଁ ଖୋଲିଦେଲେ ନକଲି ମଦ ପ୍ରସ୍ତୁତି କାରଖାନା। ଅବକାରୀ ବିଭାଗ କମିସନର ଆଶିଷ କୁମାର ସିଂ’ଙ୍କ ନିର୍ଦ୍ଦେଶରେ ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ବାଡର ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଏକ ଟିମ୍‌ ଆଜି ସଦଳବଳ ଚଢ଼ଉ କରି ମୋରଡ଼ା ବ୍ଲକ୍‌ର ସଦର ମହକୁମା ଚିତ୍ରଡ଼ାରେ ଥିବା ଦୁଇଟି ବିଦେଶୀ ମଦ ଦୋକାନକୁ ସିଲ୍‌ କରିବା ସହିତ ୯ଜଣଙ୍କୁ ଗିରଫ କରିଛି।

ରୋଚକ ବିଷୟ ହେଲା ଅବକାରୀ ଥାନାରୁ ମାତ୍ର ୨ଶହ ମିଟର ଦୂରରେ ଚାଲିଥିଲା ଗୋଟିଏ ମଦ ଦୋକାନ। ଉକ୍ତ ଦୋକାନର ମାଲିକ ହେଲେ ଅମରେଶ କୁମାର ସିଂ। ତାଙ୍କ ଦୋକାନରୁ ବିପୁଳ ପରିମାଣର ବିଭିନ୍ନ ବିଦେଶୀ ମଦ ବ୍ରାଣ୍ଡର ନକଲି ଷ୍ଟିକର, ବୋତଲ, ଠିପି ଓ ସ୍ପିରିଟ୍‌ ଜବତ ହୋଇଛି। ଏହି ମାମଲାରେ ଅମରେଶଙ୍କ ସମେତ ରୋହିତ କୁମାର, ସଞ୍ଜୟ ସିଂ, ଦୀପକ ସିଂଙ୍କୁ ଗିରଫ କରିଛି ଫ୍ଲାଇଂ ସ୍କ୍ବାଡ। ଏ ନେଇ କେସ୍‌ ନଂ ୨୦/୨୨ରେ ମା‌ମଲା ରୁଜୁ ହୋଇଛି। ତେବେ ଅବକାରୀ ଥାନାରୁ ଅଳ୍ପ ଦୂରରେ କେମିତି ଏହି କାରବାର ଚାଲିଥିଲା ଓ ଥାନା ଏସ୍‌ଆଇ ଭରତ ମିଶ୍ର ଏ ସମ୍ପର୍କରେ ଜାଣି ପାରିଲେନି ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଚଢ଼ଉ ହୋଇଥିବା ଅନ୍ୟ ମଦ ଦୋକାନଟିର ମାଲିକ ହେଲେ ଶୁଭାଶିଷ ସାହୁ। ତାଙ୍କ ଦୋକାନରୁ ବି ବିଭିନ୍ନ ବ୍ରାଣ୍ଡର ନକଲି ବିଦେଶୀ ମଦ ଓ ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରିଛି ଫ୍ଲାଇଂ ସ୍କ୍ବାଡ। ଏହି ଦୋକନରୁ ପଙ୍କଜ ସିଂ, ନିତେଶ ସିଂ, ଜଳେଶ୍ବର ସିଂ, ଶଙ୍କର ସିଂ, ବୈଜୁ ପ୍ରସାଦଙ୍କୁ ଗିରଫ କରାଯାଇଛି।

ତେବେ ସରକାରଙ୍କ ପାଖରୁ ଲାଇସେନ୍ସ ହାତେଇ ଭିତରେ ଭିତରେ ନକଲି ମଦ ତିଆରି କରି ନିଜ ଦୋକାନରେ ବିକ୍ରି କରିବା ସହ ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ଏହି ମଦ ମାଫିଆମାନଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏଥିସହ ଲାଇସେନ୍ସ ରଦ୍ଦ କରିବା ସହ ସେମାନଙ୍କୁ କଳା ତାଲିକାଭୁକ୍ତ ନକଲେ ଜୋରଦାର ଆନ୍ଦୋଳନ ହେବ ବୋଲି ମୋରଡ଼ା ବଜାରବାସୀ ଦାବି କରିଛନ୍ତି। ଏହି ଚଢ଼ଉରେ ଫ୍ଲାଇଂ ସ୍କ୍ବାଡ ଅଧୀକ୍ଷକ ଶ୍ରୀ ପଟେଲଙ୍କ ସମେତ ଇନ୍ସପେକ୍ଟର ରମାକାନ୍ତ ସ୍ୱାଇଁ, ଏସ୍‌ଆଇ ସଚିନ ବେହେରା, ଏଏସ୍‌ଆଇ ବ୍ରଜକିଶୋର ବିନ୍ଧାଣୀ, ଏଏସ୍‌ଆଇ ରାଜକିଶୋର ନାଏକ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର