୨୦୨୪ ଲଢ଼େଇ ପାଇଁ ସମରସଜ୍ଜା: ୧୨ରେ ମୟୂରଭଞ୍ଜ ଆସୁଛନ୍ତି ନବୀନ, ବିଜେପିକୁ ଚେକ୍‌ ଦେବାକୁ ବିଜେଡିର ପ୍ରୟାସ!

ବାରିପଦା : ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ଶାସକ ଦଳଠୁ ପରାଜୟର ସ୍ବାଦ ଚାଖିଥିବା ବିଜେପି ପାଇଁ ଏବେ ଆଶାର ସଞ୍ଚାର ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୟୂରଭଞ୍ଜ ମାଟିର ଝିଅ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତ ହେବାପରେ ବିଜେପି ନେତା ଓ କର୍ମୀମାନେ ବେଶ୍‌ ଉତ୍ସାହିତ ହୋଇ ପଡ଼ିଛନ୍ତି। ଭାବିଛନ୍ତି, ଦ୍ରୌପଦୀଙ୍କ ନାଁରେ ୨୦୨୪ ସାଧାରଣ ନିର୍ବାଚନ ବୈତରଣୀ ସହଜରେ ପାର୍‌ ହୋଇଯିବେ। ଜିଲ୍ଲାରେ ୨୦୧୯ ମସିହା ଭଳି ଦଳକୁ ପୁଣି ବହୁମତ ମିଳିବ ବୋଲି ଆକଳନ କରିଛନ୍ତି ଛାମୁଆ ନେତୃବୃନ୍ଦ। ହେଲେ, ବିଜେପିର ଏଭଳି ରାଜନୈତିକ ଚିନ୍ତନକୁ ବିଜେଡିର ସୁପ୍ରସ୍ତୁତ ରଣନୀତି ପାଣି ଫେରିଦେଇଛି। ଆଗାମୀ ୨୦୨୪ ପାଇଁ ବିଜେଡି ମଧ୍ୟ ସମରସଜ୍ଜା ଆରମ୍ଭ କରିଦେଇଛି।

‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୟୂରଭଞ୍ଜକୁ ବହୁତ ଭଲ ପାଆନ୍ତି। ଏହାର ପ୍ରତିଦାନ ଭାବେ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦରେ ବସାଇଛନ୍ତି। ’ ଏଭଳି ଏକ ବାର୍ତ୍ତା ନେଇ ବିଜେପି ଲୋକଙ୍କ ପାଖକୁ ଯିବା ପୂର୍ବରୁ ବିଜେଡି ବାଟ ଓଗାଳିଛି। ନବୀନଙ୍କର ଅକୁଣ୍ଠ ସମର୍ଥନ ଯୋଗୁଁ ହିଁ ମୟୂରଭଞ୍ଜର ଝିଅ ଆଜି ଭାରତର ପ୍ରଥମ ନାଗରିକ ଭାବେ ଅବସ୍ଥାପିତ ହୋଇଛନ୍ତି ବୋଲି ତୃଣମୂଳସ୍ତରରେ କର୍ମୀଙ୍କୁ ବୁଝାଇ ଦେଇଛି ବିଜେଡି। ଆସନ୍ତା ୧୨ ତାରିଖରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି। ରାସଗୋବିନ୍ଦପୁର ବ୍ଲକ ଟିକପଡ଼ାଠାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଓ କରଞ୍ଜିଆ ବ୍ଲକ ହାତୀବାରୀଠାରେ ବହୁ ପ୍ରତୀକ୍ଷିତ ଦେଓ ଜଳସେଚନ ପ୍ରକଳ୍ପକୁ ନବୀନ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଯଦିଓ ଏହା ସରକାରୀ କାର୍ଯ୍ୟକ୍ରମ, କିନ୍ତୁ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିଜେପି ଶିବିର ଉତ୍ସାହିତ ଥିବାରୁ ନବୀନଙ୍କ ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ଅଧିକ ଗୁରୁତ୍ବ ବହନ କରୁଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ପ୍ରାଶାସନିକସ୍ତରରେ ଯେତିକି ତତ୍ପରତା ପ୍ରକାଶ ପାଇଛି, ତା’ଠାରୁ ଦଳୀୟ ନେତାଙ୍କ ପ୍ରସ୍ତୁତି କାହିଁ କେତେ ଅଧିକ। ରାଜ୍ୟର ଆଗଧାଡ଼ିର ନେତାମାନେ ଆଜିଠାରୁ ଆସି ବିଭିନ୍ନ ହୋଟେଲ ଓ ଲଜ୍‌ରେ ରହି ପ୍ରସ୍ତୁତି ତଦାରଖରେ ଲାଗିପଡ଼ିଛନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ, ମାଟିର ଝିଅକୁ ନେଇ କୌଣସି ପରିସ୍ଥିତିରେ ମଧ୍ୟ ବିପକ୍ଷ ଦଳକୁ ସୁଯୋଗ ନ ଦେବା ଲାଗି ଏକପ୍ରକାର ରଣନୀତି ଚୂଡ଼ାନ୍ତ କରିଛି ବିଜେଡି।

ରାଜନୈତିକ ବିଶେଷଜ୍ଞଙ୍କ ମତରେ, ବିଜେପିକୁ ଚେକ୍ ଦେବାକୁ ଏବେଠୁ ବିଜେଡି ପ୍ରସ୍ତୁତ ଆରମ୍ଭ କଲାଣି। ୨୦୨୪ ପାଇଁ ବିଜେଡିର ଏହା ପ୍ରାରମ୍ଭିକ ପ୍ରଚାର ବୋଲି ମଧ୍ୟ କୁହାଯାଉଛି। ସୂଚନ‌ା ଥାଉକି, ୨୦୧୨ ସାଧାରଣ ନିର୍ବାଚନରେ ମୟୂରଭଞ୍ଜରେ ବିଜେଡି ଭଲ ପ୍ରଦର୍ଶନ କରିଥିଲା। ହେଲେ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ଦଳ ଫେଲ୍‌ ମାରିଥିଲା। ଭୋଟର ବିଜେପିକୁ ଅକୁଣ୍ଠ ସମର୍ଥନ ଦେଇଥିଲେ। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ୫୬ରୁ ୪୯ଟି ଜିଲ୍ଲା ପରିଷଦ ଆସନରେ ବିଜୟୀ ହେବା ସହିତ ଜିଲ୍ଲା ପରିଷଦ ଗଠନ କରିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ସାଂସଦ ପ୍ରାର୍ଥୀ ଜିତିଲେ ଏବଂ କେନ୍ଦ୍ରରେ ମନ୍ତ୍ରୀ ବି ହେଲେ। ସେହିପରି ଜିଲ୍ଲାର ୯ଟି ବିଧାନସଭା କ୍ଷେତ୍ରରୁ ୬ଟିରେ ବିଜେପି ବିଧାୟକ ପ୍ରାର୍ଥୀ ବାଜି ମାରିନେଲେ। ହେଲେ ଏହି ବିଜୟଧାରା ଚଳିତବର୍ଷ ପଞ୍ଚାୟତ ଓ ପୌର ନିର୍ବାଚନରେ ବଜାୟ ରଖିବାକୁ ଦଳ ସକ୍ଷମ ହୋଇ ପାରିଲା ନାହିଁ। ଏମିତିକି ଗୋଟିଏ ବି ଜିଲ୍ଲା ପରିଷଦ ଆସନ ଜିତି ପାରିଲାନି। ୫୬ଟି ଜିଲ୍ଲା ପରିଷଦ ଆସନରୁ ବିଜେଡି ଏକୁଟିଆ ୫୩ଟି ଆସନରେ ଜିତି ଜିଲ୍ଲା ପରିଷଦ ଗଠନ କରିଛି। ସେହିପରି ଜିଲ୍ଲାରେ ୨ଟି ପୌର ପରିଷଦ ଓ ୨ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଥିବା ବେଳେ ଦଳ କେବଳ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଦଖଲ କରିବାରେ ସକ୍ଷମ ହୋଇଛି। ତେବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ମୟୂରଭଞ୍ଜରେ ନୂଆ ରାଜନୀତି ସମୀକରଣ ସଂପର୍କରେ ଆଲୋଚନା ଚାଲିଥିବା ବେଳେ ଏଥିରୁ ବିଜେଡି ଓ ବିଜେପି କିଭଳି ଫାଇଦା ଉଠାଉଛନ୍ତି, ତାହା ଆଗାମୀ ଦିନରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର