୨୭ରେ ପ୍ରାଥମିକ ଶିକ୍ଷକଙ୍କ ଦରମା ସମ୍ପର୍କିତ ନିଷ୍ପତ୍ତି

ଭୁବନେଶ୍ୱର: ୩ ଦଫା ଦାବି ନେଇ ନୂତନ ପେନ୍‌ସନ୍‌ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଏକ ପ୍ରତିନିଧିଦଳ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତାସମ୍ପନ୍ନ କମିଟି ସହ ଆଲୋଚନା କରିଛନ୍ତି। ପ୍ରାଥମିକ ଶିକ୍ଷକଙ୍କ ପଦବି ଯୁକ୍ତ୨ ଓ ସିଟି କରିବା, ଗ୍ରେଡ୍‌ ପେ’ ୨୮୦୦ ଟଙ୍କା କରି ସପ୍ତମ ବେତନ କମିସନରେ ୨୦୧୬ ଜାନୁଆରି ୧ରୁ ଦରମା ଧାର୍ଯ୍ୟ, ୬ ବର୍ଷ ଶିକ୍ଷା ସହାୟକ ଚାକିରିକୁ ସରକାରୀ ଚାକିରିରେ ଗଣନା କରିବା ଆଦି ବିଷୟରେ ଆଲୋଚନା ହୋଇଛି। ସବୁ ବିଷୟକୁ ତର୍ଜମା କରାଯିବା ପରେ ଆସନ୍ତା ୨୭ ତାରିଖରେ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ ବୋଲି ସଂଘ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

ସଂଘ ସଭାପତି ରାଜେଶ ମହାନ୍ତିଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧିଦଳରେ ସାଧାରଣ ସମ୍ପାଦକ ଖଗେନ୍ଦ୍ରନାଥ ପାଲ୍‌, ମହାସଚିବ ବିକ୍ରମ ରଥ, ଦୋଳଗୋବିନ୍ଦ ପଣ୍ଡା, କାର୍ଯ୍ୟକାରୀ ସଭାପତି ସହସ୍ର୍ରାଂଶୁ ଶେଖର ମହାନ୍ତି, ପ୍ରଶାନ୍ତ କୁମାର ମହାପାତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନୋଜ ମହନ୍ତ, ମହେନ୍ଦ୍ର କୁମାର ମିଶ୍ର, ରାଜଲକ୍ଷ୍ମୀ ମହାପାତ୍ର, ପ୍ରମୋଦ ଭଞ୍ଜ, ପବିତ୍ରମୋହନ ଜେନା, ମାୟାଧର ମଲ୍ଲିକ, ସୁନିଲ୍‌ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର