ଡ୍ରଗ୍ ମାଫିଆର ୧ କୋଟି ଟଙ୍କାର ସଂପତ୍ତି ଜବତ କଲା ପୁରୀ ପୁଲିସ୍

ପୁରୀ: ପୁରୀର ଜନୈକ ଡ୍ରଗ୍ ମାଫିଆର ୧ କୋଟି ଟଙ୍କାର ସଂପତ୍ତି ଜବତ କରିଛି ପୁଲିସ୍। ଡ୍ରଗ୍ ମାଫିଆ ଅନୁ ଓରଫ ଅନିରୁଦ୍ଧ ଜୟସିଂହର ଏକ କୋଟିରୁ ଅଧିକ ମୂଲ୍ୟର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଜବତ ହୋଇଛି। ଜବତ ହୋଇଥିବା ସମ୍ପତ୍ତି ହେଲା ଦୁଇଟି ଜେସିବି ଖନନକାରୀ, ଗୋଟିଏ କାର୍,ଗୋଟିଏ ଟ୍ରାକ୍ଟର, ସୁନା ଓ ରୂପା ଅଳଙ୍କାର, ଘରର ବିଭିନ୍ନ ସାମଗ୍ରୀ, ଗୋଟିଏ ହାର୍ଡୱେର୍ ଦୋକାନ ତଥା ସିମେଣ୍ଟ ଗୋଦାମ। ଏହାର ମୂଲ୍ୟ ଏକ କୋଟି ସତର ହଜାର ଦୁଇ ଶହ ଛଅସ୍ତରି ଟଙ୍କା ବୋଲି ଜଣାଯାଇଛି।।
ବେଆଇନ କାରବାରରୁ ଅଭିଯୁକ୍ତ ଅନିରୁଦ୍ଧ ଜୟସିଂହ ଏବଂ ତାଙ୍କ ପରିବାର ଦ୍ୱାରା ଜମା ହୋଇଥିବା ଚିହ୍ନଟ କରାଯାଇଥିଲା। ବାସେଳି ସାହି ଥାନା ଅଧିକାରୀ ଅଭିଯୁକ୍ତ ଏବଂ ତାଙ୍କ ପରିବାରର ସମ୍ପତ୍ତି ଜବତ କରି ଫ୍ରିଜ୍ କରିଛନ୍ତି।

ସୂଚନାଯୋଗ୍ୟ, ଗତ ଜାନୁଆରି ୭ ତାରିଖରେ ବ୍ରାଉନ୍ ସୁଗାର କାରବାର ପାଇଁ ଅନିରୁଦ୍ଧ ଜୟସିଂହ ଏବଂ ଅନ୍ୟ ୪ ଜଣଙ୍କୁ ବାସେଳି ସାହି ଥାନା ପୁଲିସ ଧରିଥିଲା। ସେମାନଙ୍କଠାରୁ ୧୪୦ ଗ୍ରାମ ବ୍ରାଉନ୍ ସୁଗାର ଓ ଅନ୍ୟ ନିଷିଦ୍ଧ ସାମଗ୍ରୀ ଜବତ କରାଯାଇଥିଲା। ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।


ପୁରୀ ଜିଲ୍ଲାରେ ବ୍ରାଉନ ସୁଗାର କାରବାରକୁ ରୋକିବା ପାଇଁ ପୁରୀ ପୁଲିସ ଏହି ପଦକ୍ଷେପ ନେଇଛି। ପୁରୀ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ୍ ୨୦୨୨ ମସିହାରେ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ୧ କିଲୋଗ୍ରାମ୍ ୩୯୨ଗ୍ରାମ ୬୧ ମିଲିଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରାଯାଇଛି ଏବଂ ୨୧ ଜଣ ଅଭିଯୁକ୍ତଙ୍କୁ ପୁରୀ ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର