କାରାଗାରରେ ୫-ଟି, ୧୮ ଜେଲ୍‌ ବନ୍ଦ ପାଇଁ ପ୍ରସ୍ତାବ

ଭୁବନେଶ୍ବର : ଏବେ ଜେଲ୍‌-ପୁଲିସ-କୋର୍ଟ ଏକାଠି ଯୋଡ଼ି ହୋଇଛନ୍ତି। କିଏ କୋର୍ଟ ଚାଲାଣ ହେଲା, କେବେ ଜାମିନ୍‌ରେ ବାହାରିଲା, ସୂଚନା ସହ ପ୍ରତ୍ୟେକ ମାମଲାର ସ୍ଥିତାବସ୍ଥା ଗୋଟିଏ ପ୍ଲାଟ୍‌ଫର୍ମରେ ଉପଲବ୍ଧ ହେଉଛି। କାରାଗାରରେ ଇ-ପ୍ରିଜନ୍‌ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବା ପରେ ଏଭଳି ସୁଯୋଗ ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କର ‘୫-ଟି’ ବ୍ୟବସ୍ଥାରେ କାରାଗାର ସାମିଲ ହେବା ପରେ ଏହି ବ୍ୟବସ୍ଥାକୁ ଶତପ୍ରତିଶତ ଲାଗୁ କରାଯାଇଛି। ବନ୍ଦୀଙ୍କ ସଂଖ୍ୟା କମ୍‌ ଯୋଗୁ ୧୮ ଜେଲ୍‌ ବନ୍ଦ କରିବାକୁ ବିଭାଗ ପକ୍ଷରୁ ସରକାରଙ୍କୁ ସୁପାରିସ କରାଯାଇଛି।

ଏହି ୫-ଟି ବ୍ୟବସ୍ଥାରେ ରାଜ୍ୟରେ ଜେଲ୍‌ମାନଙ୍କୁ ୭୫୦ ୱାକି-ଟକି ପ୍ରଦାନ କରାଯାଇଥିବା ବଳେ ଭୁବନେଶ୍ବର ଝାରପଡ଼ା ଜେଲ୍‌ରେ ଏକାଠି ୧୬ ଜଣ ବନ୍ଦୀ ଓ ସମ୍ପର୍କୀୟ କଥାବାର୍ତ୍ତା ପାଇଁ ବ୍ୟବସ୍ଥା କରାଯାଇଛି। କିଓସ୍କ ସୁବିଧା ମଧ୍ୟ ଉପଲବ୍ଧ ହେଉଛି। ବ୍ରହ୍ମପୁର, ଚୌଦ୍ବାର, ଭବାନୀପାଟଣା, ଜୟପୁରରେ ସୌରଚାଳିତ ଗିଜର ବ୍ୟବସ୍ଥା କରାଯାଇଥିବା ବେଳେ ମଶା ପାଇଁ ଫଗିଙ୍ଗ୍‌ ମେସିନ୍‌ ବ୍ୟବସ୍ଥା କରାଯାଇଛି। ଏହା ଛଡ଼ା ୱାସିଂ ମେସିନ୍‌, ଭାକ୍ୟୁମ୍‌ କ୍ଲିନର, କମ୍ବଳ ସଫା ୟୁନିଟ କେବଳ ଭୁବନେଶ୍ବର ଓ ଚୌଦ୍ବାର ଜେଲ୍‌ରେ ରହିଛି। ପ୍ରତ୍ୟେକ ଜେଲ୍‌ରେ ମହିଳା ବନ୍ଦୀମାନଙ୍କୁ ସ୍ଲିପର ଯୋଗାଇ ଦିଆଯିବା ସହ ନାପକିନ୍‌ ନଷ୍ଟ କରିବା ପାଇଁ ମେସିନ୍‌ ମଧ୍ୟ ଖଞ୍ଜା ଯାଇଛି।

ବନ୍ଦୀମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବୁଣାବୁଣି, ଟେଲରିଂ, ଫିନାଇଲ ତିଆରି, କ୍ୟାଣ୍ଟିନ୍‌, ସୋରିଷ ତେଲ ୟୁନିଟ୍‌ ପ୍ରଭୃତି ବ୍ୟବସ୍ଥା କରାଯାଇଛି। ସେହିଭଳି ବେସନ, ଗହମ, ମଇଦା, ମୁଢ଼ି ଭଳି ଫୁଡ୍‌ ପ୍ରୋସେସିଂ ୟୁନିଟ୍‌ ମଧ୍ୟ ସ୍ଥାପନ କରାଯାଇଛି। ଏଥିରୁ ମିଳୁଥିବା ଆୟ ଚଳିତ ବର୍ଷ ୧୦ କୋଟି ଟପିବ ବୋଲି କାରାଗାର ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଏହି ‘୫-ଟି’ ଅଧୀନରେ ଆଗକୁ ଅଭିଯୁକ୍ତମାନଙ୍କୁ ଜେଲ୍‌ ନେଇ ଯାଉଥିବା ଆଣୁଥିବା ଗାର୍ଡମାନଙ୍କ ପୋଷାକରେ କ୍ୟାମେରା ସୁରକ୍ଷା ଦୃଷ୍ଟିକୋଣରୁ ଖଞ୍ଜାଯିବାକୁ ଯୋଜନା ରହିଛି। ନିଶାଦ୍ରବ୍ୟ ତଥା ଅନ୍ୟାନ୍ୟ ମାରଣାସ୍ତ୍ର କାରବାର ରୋକିବା ପାଇଁ ହେଭି ଡ୍ୟୁଟି ମେଟାଲ ଡିଟେକ୍ଟର ସ୍ଥାପନ, ଇ-ମୁଲାକାତ୍‌ ଓ ଭିଡିଓ କନ୍‌ଫରେନ୍ସିଂ ପାଇଁ ପ୍ରତ୍ୟେକ ଜେଲ୍‌କୁ ଲ୍ୟାପ୍‌ଟପ୍‌, ଆଇଏସ୍‌ଓ ପ୍ରମାଣପତ୍ର ପାଇଁ ୫ଟି ସର୍କଲ ଜେଲ୍‌, ଦୁଇଟି ସ୍ବତନ୍ତ୍ର ଜେଲ୍‌ ଓ ଏକ ମହିଳା ଜେଲ୍‌ରେ ବ୍ୟବସ୍ଥା କରାଯିବା ସହ ଇ-ମୁଲାକାତ୍‌ ଓ ଇ-କଷ୍ଟଡି ପ୍ରମାଣପତ୍ର ବ୍ୟବସ୍ଥା ମଧ୍ୟ ଖୁବ୍‌ଶୀଘ୍ର ହେବାକୁ ଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର