ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ସ୍ଥିତି ଅନୁଧ୍ୟାନ କଲେ‌ ୭ଜଣିଆ ବୈଷୟିକ ଟିମ୍‌

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲ ସିପସରୁବାଲି ମୌଜାରେ ଚିହ୍ନଟ ଜାଗାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦରର ଅର୍ଥନୈତିକ ସର୍ଭେ କରାଯାଇଛି। ଇଡ୍‌କୋ ପକ୍ଷରୁ ଗୁରଗାଓଁର ୭ଜଣିଆ ବୈଷୟିକ ଦଳ ସିପସରୁବାଲି ମୌଜା ବୁଲି ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅର୍ଥନୈତିକ ଦୃଷ୍ଟିକୋଣରୁ ଏହି ବିମାନବନ୍ଦର କେତେ ଲାଭଦାୟକ ହୋଇପାରିବ, ତାର ବିଭିନ୍ନ ଦିଗକୁ ପରଖିଛନ୍ତି। ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସହ ପ୍ରକଳ୍ପ ସମ୍ପର୍କରେ ଏହି ଟିମ୍‌ ବିସ୍ତୃତ ଆଲାଚନା କରିଛନ୍ତି। ଏହି ବୈଷୟିକ ଦଳ ଆଜି ପ୍ରଥମ ଥର ବିମାନବନ୍ଦର ନେଇ ଆର୍ଥିକ-ବୈଷୟିକ ଦିଗକୁ ଅନୁଧ୍ୟାନ କରି ଫେରିଥିବାବେଳେ ପରବର୍ତ୍ତୀ ସମୟରେ ବି ଆସି ସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି।

ଉପଜିଲ୍ଲାପାଳ ଶ୍ରୀ ସାହୁ କହିଛନ୍ତି, ପ୍ରସ୍ତାବିତ ବିମାନବନ୍ଦର ପୂର୍ଣ୍ଣରୂପ ନେଲେ, କେତେଦୂର ସରକାର ଲାଭବାନ ହୋଇପାରିବେ, ତାକୁ ଦୃଷ୍ଟିରେ ରଖି ଆଜି ପ୍ରକଳ୍ପର ଆର୍ଥିକ-ବୈଷୟିକ ସ୍ଥିତି ଅନୁଧ୍ୟାନ କରାଯାଇଛି। ଇଡ୍‌କୋ ପକ୍ଷରୁ ନିୟୋଜିତ ଗୁରୁଗାଓଁର ଟେକ୍ନୋ ଇକୋନୋମିନ୍‌ ଫିଜିବିଲିଟି ଷ୍ଟଡିଜ୍‌ର ସୁଦୀପ କୁମାର ସିହ୍ନା, ଅନୁରାଗ ଗୁପ୍ତା ପ୍ରମୁଖଙ୍କୁ ନେଇ ଗଠିତ ୭ଜଣିଆ ବୈଷୟିକ ଦଳ ଆଜି ସିପସରୁବାଲି ମୌଜା ପରିଦର୍ଶନ କରି ଏସବୁ ଦିଗକୁ ପରଖିଛନ୍ତି। ପର୍ଯ୍ୟଟକଙ୍କ ଗମନାଗମନ ହେଉ କି ହୋଟେଲ ରହଣୀ, ସବୁ କ୍ଷେତ୍ରରୁ ପ୍ରସ୍ତାବିତ ଏହି ପ୍ରକଳ୍ପ କେତେ ଯୋଗ୍ୟ ତଥା ଅନୁକୂଳ, ତାର ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ପ୍ରସ୍ତାବିତ ପ୍ରକଳ୍ପ ପାଇଁ ସିପସରୁବାଲି ମୌଜାରେ ଚିହ୍ନଟ ଜାଗାର ନକ୍ସା ବି ଦେଖିଛନ୍ତି। ଏଠାକୁ ଯୋଗାଯୋଗ କିପରି ରହିଛି, ତା’ ବି ଦେଖିଛନ୍ତି। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଫେରିଯାଇଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି। ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ବି ଚିହ୍ନଟ ଜାଗାର ଭୌଗୋଳିକ ସ୍ଥିତି ଓ ଅନ୍ୟାନ୍ୟ ଦିଗ ସମ୍ପର୍କରେ ଏହି ଟିମ୍‌କୁ ଅବଗତ କରିଛନ୍ତି। ଏହି ପ୍ରାଥମିକ ରିପୋର୍ଟ ଇଡ୍‌କୋ ଆଗରେ ଉପସ୍ଥାପନ ପରେ ବୈଷୟିକ ଟିମ୍‌ ପରବର୍ତ୍ତୀ ସର୍ଭେ କାମ ଆରମ୍ଭ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର