ଶିକ୍ଷା ସହାୟକଙ୍କ ଆନ୍ଦୋଳନ ଜାରି

କେନ୍ଦ୍ର ବିରୋଧରେ ଗର୍ଜିଲେ

ଭୁବନେଶ୍ୱର: ୭ ଦଫା ଦାବି ନେଇ ଜାରି ରହିଛି ଶିକ୍ଷା ସହାୟକଙ୍କ ଆନ୍ଦୋଳନ। ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସହ ଆଲୋଚନା ବିଫଳ ହେବା ପରେ ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ କରିଛନ୍ତି ଶିକ୍ଷା ସହାୟକ। ଲୋୟର ପିଏମ୍‌ଜିରେ ଆନ୍ଦୋଳନ ଜାରି ରଖିବା ସହ ଶିକ୍ଷା ସହାୟକଙ୍କ ଦରମାରେ ୨୫ ପ୍ରତିଶତ ବୃଦ୍ଧି କରିବାକୁ ଦାବି କରିଛନ୍ତି। ଏନେଇ ସେମାନେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଥିବା ଓଡ଼ିଶାର ଦୁଇ ମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି। ଓଡ଼ିଶା ଶିକ୍ଷା ସହାୟକ ସଂଘ ସଭାପତି ମଳୟ କୁମାର ଜେନାଙ୍କ କହିବାନୁଯାୟୀ ଦାବି ଅନୁଯାୟୀ ଦରମାରେ ୨୫% ବୃଦ୍ଧି କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ରାଜ୍ୟ ସରକାର ୪୦% ଅର୍ଥ ଦେବାକୁ ରାଜି ହୋଇଥିବା ବେଳେ କେନ୍ଦ୍ର ସରକାର ୬୦% ଅର୍ଥ ଦେଉ ନାହାନ୍ତି। ଏନେଇ ରାଜ୍ୟ ସରକାର କେନ୍ଦ୍ର ନିକଟକୁ ବାରମ୍ବାର ଚିଠି ଲେଖିଛନ୍ତି। ତଥାପି କୌଣସି ଫରକ ପଡ଼ିନି। ତେଣୁ ଆଜିଠାରୁ କେନ୍ଦ୍ର ବିରୋଧରେ ଆନ୍ଦୋଳନ ଆରମ୍ଭ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ନିକଟକୁ ଚିଠି ଲେଖାଯାଇ ଅବଗତ କରାଯାଇଛି। ସେମାନେ ଓଡ଼ିଶା ଆସିଲେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯିବ। ଏହାଛଡ଼ା ଦିଲ୍ଲୀ ଯାଇ ଅନ୍ୟ କେନ୍ଦ୍ର ମନ୍ତ୍ରୀମାନଙ୍କୁ ମଧ୍ୟ ଦାବିପତ୍ର ଦେବା ଲାଗି ସଂଘର ଏକ କମିଟି ଗଠନ କରାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର