ନୟାଗଡ଼ରେ ଚିନିକଳ ବଞ୍ଚାଇବା ଦାବିରେ ବିକ୍ଷୋଭ : ‘ଆଖୁ ଅଛି, କଳ ଅଛି, ଆନ୍ତରିକତା ନାହିଁ’

ଭୁବନେଶ୍ବର : ଆଖୁ ଅଛି, କଳ ଅଛି, ଚାଷୀଙ୍କର ବଳ ବି ଅଛି। ହେଲେ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ସରକାରଙ୍କର ଆନ୍ତରିକତା ନାହିଁ। ନୟାଗଡ଼ର ଅଚଳ ଚିନିକଳକୁ ସଚଳ କରିବା ଦାବିରେ ଆଜି ଲୋୟର ପିଏମ୍‌ଜିରେ ବିକ୍ଷୋଭ କରିବା ବେଳେ ଆଖୁଚାଷୀ ଏଭଳି ନାରା ଦେଇଛନ୍ତି। ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟିର ୬ ଜଣ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଯିବା ବେଳେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। କୌଣସି ମନ୍ତ୍ରୀ କିମ୍ବା ଅଧିକାରୀ ଭେଟିବା ପାଇଁ ନ ଆସିବାରୁ ସେମାନେ ଧଶେଇ ପଶିବା ପାଇଁ ଉଦ୍ୟମ କରିଥିଲେ। ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର, ଚିନିକଳ ତୁରନ୍ତ ଚାଲୁ କରିବା ଦାବିରେ ସେମାନେ ହୋ ହଲ୍ଲା କରିଥିଲେ। ଆଗାମୀ ଦିନରେ ଦାବି ପୂରଣ ନ ହେଲେ ନୟାଗଡ଼ ବନ୍ଦ ଡାକରା ଦିଆଯିବା ସହ ମନ୍ତ୍ରୀଙ୍କୁ ନୟାଗଡ଼ ପୂରାଇ ଦିଆଯିବ ନାହିଁ ବୋଲି ସେମାନେ ଚେତାବନୀ ଦେଇଥିଲେ। ଘଟଣାସ୍ଥଳରୁ ସେମାନଙ୍କୁ ପୁଲିସ ଉଠାଇ ନେଇଥିଲା।

ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟିର ଆବାହକ ବିଶ୍ବନାଥ ମହାପାତ୍ର, ଚିନିକଳ କର୍ମଚାରୀ ସଂଘ ସଭାପତି ଯୋଗେନ୍ଦ୍ର ଖୁଣ୍ଟିଆ, ସାଧାରଣ ସମ୍ପାଦକ ସନ୍ତୋଷ ପ୍ରଧାନ, ମନୋଜ ସାହୁ, ପଦଯାତ୍ରା କମିଟି ସଂଯୋଜକ ଶିବରାମ ମହାପାତ୍ର ପ୍ରମୁଖଙ୍କ ନେତୃତ୍ବରେ ଶତାଧିକ ସଦସ୍ୟ ୫ ଦିନ ଧରି ପଦଯାତ୍ରା କରିବା ପରେ ଆଜି ଭୁବନେଶ୍ବରରେ ପହଞ୍ଚିଥିଲେ। ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରିବା ବେଳେ ସେମାନଙ୍କୁ ପୁଲିସ ଉଠାଇ ନେଇଥିଲା।

ଏଥିରେ ପୂର୍ବତନ ଏମ୍‌ପି ଶିବାଜୀ ପଟ୍ଟନାୟକ, ଜଟଣୀ ବିଧାୟକ ସୁର ରାଉତରାୟ, ଖଣ୍ଡପଡ଼ା ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ, ପୂର୍ବତନ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ବରୀ ସିଂହ, କଂଗ୍ରେସ କୃଷକ ସେଲ୍‌ ଜାତୀୟ ଉପାଧ୍ୟକ୍ଷ ସୁରେନ୍ଦ୍ର ସୋଲାଙ୍କି, ନବ ନିର୍ମାଣ କୃଷକ ସଂଗଠନର ମନୋହର ଅଲ୍ଲୀ, ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ, ଭାଗ୍ୟଧର ବ୍ରହ୍ମା, ଶୁଭଶ୍ରୀ ପଣ୍ଡା ପ୍ରମୁଖ ଯୋଗଦେଇ ବନ୍ଦ ଚିନିକଳ ଖୋଲିବାରେ ସରକାରଙ୍କର ଆନ୍ତରିକତା ନଥିବା ଦର୍ଶାଇଥିଲେ।

ଗୋଟିଏ ପଟେ ଏହି ଜିଲ୍ଲାର ବିଧାୟକ ଅରୁଣ ସାହୁ କୃଷି ମନ୍ତ୍ରୀ ରହିଛନ୍ତି। ଅନ୍ୟପଟେ ଶ୍ରେଷ୍ଠ କୃଷି ମନ୍ତ୍ରୀ ଭାବରେ ସେ କୃଷି କର୍ମଣ ପୁରସ୍କାର ପାଉଛନ୍ତି। ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପ ନୟାଗଡ଼ର ଚିନିକଳକୁ ୫ ବର୍ଷ ଧରି କାର୍ଯ୍ୟକ୍ଷମ ନ କରାଇପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଛନ୍ତି। ସେମାନେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି କି, ଯେଉଁମାନେ ଏହି ଚିନିକଳରେ କାମ କରୁଥିଲେ ସେମାନଙ୍କର ଦରମା ଓ ପ୍ରାପ୍ୟ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ବାକି ରହିଛି। ଏହି ଗରିବଙ୍କ ଅର୍ଥକୁ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର ହଡ଼ପ୍‌ କରିଛି ବୋଲି ସେମାନେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର