ରାଜଧାନୀକୁ ଆସିଲା ଚିପିଲିମା ଉଦ୍ୟାନ କୃଷି ଛାତ୍ର ଆନ୍ଦୋଳନ

ଓୟୁଏଟି ପରିସରରେ ଧାରଣା

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଅଧୀନରେ ଥିବା ସମ୍ବଲପୁର ଚିପିଲିମାସ୍ଥିତ ଉଦ୍ୟାନ କୃଷି ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ମଙ୍ଗଳବାର ରାଜଧାନୀକୁ ଆସିଛି। ଚିପିଲିମାରେ ଧାରଣା ଜାରି ରହିଥିବାବେଳେ ଶତାଧିକ ଛାତ୍ରଛାତ୍ରୀ ଆଜି ଓୟୁଏଟି କ୍ୟାମ୍ପସସ୍ଥିତ ସ୍ବାମୀନାଥନ୍ ପ୍ରେକ୍ଷାଳୟ ନିକଟରେ ଧାରଣାରେ ବସିଛନ୍ତି। ଏମାନଙ୍କ ମଧ୍ୟରେ ପୁରୁଣା ପାସ୍ ଆଉଟ୍‌ ଛାତ୍ରଛାତ୍ରୀମାନେ ମଧ୍ୟ ସାମିଲ୍ ହୋଇଛନ୍ତି। ଛତ୍ରେଛାତ୍ରୀଙ୍କ ଦାବି ପୂରଣ ହୋଇନଥିବାରୁ ଏହି ଆନ୍ଦୋଳନ ଆଗକୁ ତୀବ୍ରତର ହେବ ଓ ସେମାନେ ଅନଶନ ଭଳି କଠୋର ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଛନ୍ତି। ରେଙ୍ଗାଳି ବିଧାୟକ ନାଉରୀ ନାଏକ ଓ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଆଜି ଧାରଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କ ଦାବି ବିଧାନସଭାରେ ଉଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି। ମାତ୍ର ଆଜି ରେଜିଷ୍ଟ୍ରାରଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ଅଧିକାରୀଙ୍କ ସହ ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କ ଆଲୋଚନା ହୋଇପାରିନାହିଁ।

ସେମାନଙ୍କ ଅଭିଯୋଗ ଅନୁସାରେ ୨୦୦୮ ମସିହାରୁ ଗଢ଼ି ଉଠିଥିବା ଏହି ମହାବିଦ୍ୟାଳୟରୁ ୩ ଶହରୁ ଅଧିକ ପିଲା ଉଦ୍ୟାନ କୃଷି ବିଭାଗରେ ସ୍ନାତକ ଡିଗ୍ରି ହାସଲ କରି ସାରିଛନ୍ତି। ପରିତାପର କଥା ସେମାନଙ୍କ ମଧ୍ୟରୁ ମାତ୍ର ୧୫ ଜଣଙ୍କୁ ସରକାରଙ୍କ ଉଦ୍ୟାନ କୃଷି ବିଭାଗରେ ନିଯୁକ୍ତି ମିଳିଛି। ଉଦ୍ୟାନ କୃଷି ବିଭାଗରେ ଅନ୍ୟ ବିଭାଗ ଡିଗ୍ରିଧାରୀଙ୍କୁ ନିଯୁକ୍ତି ସୁଯୋଗ ମିଳୁଥିବାବେଳେ ସେହି ବିଭାଗମାନଙ୍କରେ ଉଦ୍ୟାନ କୃଷି ଡିଗ୍ରିଧାରୀମାନଙ୍କୁ ସୁଯୋଗ ମିଳୁନାହିଁ। ଅନ୍ୟ ରାଜ୍ୟରେ ଉଦ୍ୟାନ କୃଷି ବିଭାଗରେ କେବଳ ସେହି ଡିଗ୍ରିଧାରୀଙ୍କ ପାଇଁ ନିଯୁକ୍ତି ସୁଯୋଗର ସ୍ବତନ୍ତ୍ର ବ୍ୟବସ୍ଥା ଥିବାବେଳେ ଓଡ଼ିଶା ସରକାର ଏହା କରିନାହାନ୍ତି। ତେଣୁ ଉଦ୍ୟାନ କୃଷିରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇ ଯାଇଛି ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର