ପଶ୍ଚିମ ଓଡ଼ିଶାରେ ଆଇନଜୀବୀ ଆନ୍ଦୋଳନ ମାମଲା: ଆଇନଜୀବୀ ଓ ମହକିଲଙ୍କୁ ସୁରକ୍ଷା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି ସଂପର୍କିତ ଆନ୍ଦୋଳନର ମାମଲା ପରିଚାଳନା ପାଇଁ ଆଗ୍ରହୀ ଆଇନଜୀବୀ, ମହକିଲଙ୍କୁ ସୁରକ୍ଷା ଦିଆଯିବ। ଏ ନେଇ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠ ସମ୍ବଲପୁର ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆନ୍ଦୋଳନ ପ୍ରସଙ୍ଗରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର ଜିଲ୍ଲା ବାର ଆସୋସିଏସନ ପକ୍ଷରୁ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଜାରି ରହିଛି। ଏପରି ପରିସ୍ଥିତିରେ ସ˚ପୃକ୍ତ ଅଞ୍ଚଳରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି ବୋଲି ଦର୍ଶାଇ ଆଇନଜୀବୀ ଶିବଶଙ୍କର ମହାନ୍ତି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ବିଭିନ୍ନ ବିଚାରବିଭାଗୀୟ ଅଦାଲତ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ସ୍ବାଭାବିକ ଭାବେ କାର୍ଯ୍ୟ କରୁନାହିଁ। ଏପରି ଆନ୍ଦୋଳନ ଯୋଗୁ ସାଧାରଣ ଲୋକମାନେ ବିଶେଷ ଭାବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରାଶାସନିକ କଳ ସ୍ଥାଣୁ ଅବସ୍ଥାକୁ ଚାଲି ଆସିଛି। ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଅଦାଲତ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ସ୍ବାଭାବିକ ଭାବେ କାର୍ଯ୍ୟ କରିବା ନେଇ ସରକାର ସୁନିଶ୍ଚିତ କରିବା ଉଚିତ। ଏ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ହାଇକୋର୍ଟ ୨୦୦୮ ଏପ୍ରିଲ ୧୫ରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ମାମଲା ପରିଚାଳନା ପାଇଁ ଆଗ୍ରହୀ ଆଇନଜୀବୀ, ମହକିଲଙ୍କୁ ସୁରକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ ଯେ, ପୁଲିସ ଡିଜି, ଆଇଜି, ଉତ୍ତରାଞ୍ଚଳ ଡିଆଇଜି ଓ ସମ୍ବଲପୁର ଏସପିଙ୍କୁ ଆନ୍ଦୋଳନ ହେଉଥିବା ଅଞ୍ଚଳରେ ତୁରନ୍ତ ବିଚାରବିଭାଗୀୟ ଅଧିକାରୀ ଓ ରାଜସ୍ବ ଅଧିକାରୀଙ୍କୁ ଆବଶ୍ୟକ ସୁରକ୍ଷା ଯେଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପୂର୍ବରୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଦାଖଲ ଜବାବରେ ଦର୍ଶାଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ଅଦାଲତରେ ବିଚାରବିଭାଗୀୟ ଅଧିକାରୀଙ୍କୁ ଓ ସରକାରୀ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ସୁରକ୍ଷିତ ଭାବେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଗୃହ ବିଭାଗ ଅତିରିକ୍ତ ସଚିବ ପୁଲିସ ଡିଜି ଓ ଅନ୍ୟ ଅଧିକାରୀଙ୍କୁ ୨୦୧୮, ଡିସେମ୍ବର ୨୦ରେ ଚିଠି ଲେଖିଥିଲେ। ଏଥିସହିତ ଆନ୍ଦୋଳନ ପ୍ରତ୍ୟାହାର ପ୍ରସଂଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଗୃହ ବିଭାଗ ଦର୍ଶାଇଥିଲା।