‘ସ୍ବାଧୀନତା ପରବର୍ତୀ ଓଡ଼ିଆ ଶିଶୁ ସାହିତ୍ୟରେ ମନସ୍ତତ୍ବ’ ସଂପାନ: ସାହିତ୍ୟ କ୍ଷେତ୍ର‌ରେ ଶିଶୁ ସାହିତ୍ୟର ସ୍ଥାନ ସ୍ବତନ୍ତ୍ର

ଭୁବନେଶ୍ବର : କେନ୍ଦ୍ର ସାହିତ୍ୟ ଅକାଦେମି ଓ ବୀରବର ଜୟନ୍ତୀ ପରିଷଦ ମିଳିତ ଆନୁକୂଲ୍ୟରେ ‘ସ୍ବାଧୀନତା ପରବର୍ତୀ ଓଡ଼ିଆ ଶିଶୁ ସାହିତ୍ୟରେ ମନସ୍ତତ୍ବ’ ସଂପାନ ରବିବାର ଦିନ ବୁଦ୍ଧ ମନ୍ଦିରଠାରେ ଆୟୋଜିତ ହୋଇଯାଇଛି। ଏହି ସଂପାନକୁ ବିଶିଷ୍ଟ ଲେଖକ ରବିନାରାୟଣ ସେନାପତି ଉଦ୍‌ଘାଟନ କରି କହିଲେ, ସାହିତ୍ୟ କ୍ଷେତ୍ର‌ରେ ଶିଶୁ ସାହିତ୍ୟର ସ୍ଥାନ ସ୍ବତନ୍ତ୍ର। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ହେତୁ ଶିଶୁ ସାହିତ୍ୟ ବର୍ତ୍ତମାନ ବିଭିନ୍ନ ଆହ୍ବାନର ସାମ୍‌ନା କରୁଛି। ସମୟ ଓ ପରିସ୍ଥିତିକୁ ଚାହିଁ ଲେଖକମାନେ ସାହିତ୍ୟ ରଚନା କଲେ; ତାହା ଶିଶୁ ଓ କିଶୋରମାନଙ୍କୁ ସ୍ପର୍ଶ କରିପାରିବ। ଶିଶୁ ମନସ୍ତତ୍ବ ଅଧ୍ୟୟନ ଓ ଅନୁଶୀଳନ ପାଇଁ ଲେଖକମାନେ ଅଧିକ ଧ୍ୟାନ ଦେଇ ସମୟୋପଯୋଗୀ ଲେଖା ଲେଖିଲେ ହିଁ କୃତୀ କାଳଜୟୀ ହୋଇପାରିବ ବୋଲି ସେ କହିଥିଲେ।

ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ବିଜୟାନନ୍ଦ ସିଂହଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲେଖକ ମନୀନ୍ଦ୍ର ମହାନ୍ତି ଉପସ୍ଥିତ ରହି ମୂଳ ଭାଷଣ ରଖିଥିଲେ। ଏହି ଅବସରରେ ଶ୍ରୀ ମହାନ୍ତି କହିଲେ, ସ୍ବାଧୀନତା ପରବର୍ତୀ ଓଡ଼ିଆ ଶିଶୁ ସାହିତ୍ୟରେ ମନସ୍ତତ୍ବର ବିଭିନ୍ନ ଦିଗ ଉନ୍ମୋଚିତ ହୋଇଛି। ସ୍ରଷ୍ଟାର ସଚେତନତା ହିଁ ଏ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ। ଅକା‌ଦେମିର କାର୍ଯ୍ୟକାରୀ ଅଧିକାରୀ ମିହିର କୁମାର ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ସଦସ୍ୟ ବିଷ୍ଣୁପ୍ରିୟା ଓତା ପ୍ରାରମ୍ଭିକ ସୂଚନା ଦେଇଥିଲେ। ବୀରବର ଜୟନ୍ତୀ ପରିଷଦର ସଦସ୍ୟ ନିରଞ୍ଜନ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

ଉଦ୍‌ଘାଟନୀ ଅଧିବେଶନ ପରେ ଆଉ ଦୁଇଟି ଅଧିବେଶନରେ ପ୍ରବନ୍ଧ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶରତ ବିଶ୍ବାଳଙ୍କ ସଭାପତି‌ତ୍ବରେ ଆୟୋଜିତ ପ୍ରଥମ ଅଧିବେଶନରେ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ପ୍ରଶାନ୍ତ କୁମାର ଦାସ ପ୍ରବନ୍ଧ ପାଠ କରିଥିଲେ। ପ୍ରତାପ କୁମାର ସେନାପତି ଧନ୍ୟବାଦ ଦେଇଥିଲେ। ଶରତ ନାୟକ ଅପରାହ୍ନରେ ଆୟୋଜିତ ଦ୍ବିତୀୟ ଅଧିବେଶନରେ ସଭାପତିତ୍ବ କରିଥିବା ବେଳେ ସୁନାମଣି ରାଉତ ଓ ନିର୍ମଳା କୁମାରୀ ମହାପାତ୍ର ପ୍ରବନ୍ଧ ପାଠ କରିଥିଲେ। ଗିରିଜା ଭୂଷଣ ଓତା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର