କୋଟିଆ ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ : ଓଡ଼ିଶାରେ ଆନ୍ଧ୍ରର ଅନୁପ୍ରବେଶକୁ ରୋକିବା ପାଇଁ ତଥା ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକର ସୁରକ୍ଷା ପାଇଁ ଉପଯୁକ୍ତ ନିର୍ଦ୍ଦେଶ ଦିଆଯାଉ। କୋଟିଆ ପ୍ରସଙ୍ଗରେ ଏଭଳି ପ୍ରାର୍ଥନା କରି ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି।

ଆବେଦନରେ ଦର୍ଶାଯାଇଛି ଯେ କୋଟିଆ ପଞ୍ଚାୟତ ଅନ୍ତର୍ଗତ ତଳଗଞ୍ଜେଇପଦର, ପଟୁସିନେରୀ ଓ ଫଗୁଣସିନୋରୀ ଗାଁକୁ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ପୃଥକ ପଞ୍ଚାୟତ ମାନ୍ୟତା ଦେଇ ନିର୍ବାଚନ କରିବାକୁ ଘୋଷଣା କରିଛି। ସେହିଭଳି ଭାବେ ପାତ୍ରପୁର ବ୍ଲକରେ ଲୋକଙ୍କ ଦୁଇଟି ‌ଭୋଟର ପରିଚୟପତ୍ର ରହିଛି। ଗୋଟିଏ ଆନ୍ଧ୍ର ପ୍ରଦେଶର ହୋଇଥିବା ବେଳେ ଓ ଅନ୍ୟଟି ଓଡ଼ିଶାର ଭୋଟର ପରିଚୟପତ୍ର। ସୀମାନ୍ତବର୍ତ୍ତୀ ଅଞ୍ଚଳର ଅଧିକାଂଶ ଗାଁର ଲୋକଙ୍କୁ ଆନ୍ଧ୍ର ସରକାର ଭୋଟର ପରିଚୟପତ୍ର ପ୍ରଦାନ କରିଛନ୍ତି। ଗଞ୍ଜାମ, କୋରାପୁଟ ଓ ଗଜପତିର ମୋଟ ୫୮ଟି ଗାଁରେ ଆନ୍ଧ୍ର ସରକାରଙ୍କ ତରଫରୁ ପଞ୍ଚାୟତ ନିର୍ବାଚନ ପାଇଁ ଯୋଜନା ଚୂଡାନ୍ତ କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତ କରିଛି ଆନ୍ଧ୍ର। ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକୁ ଦଖଲ କରିବାକୁ ଆନ୍ଧ୍ର ସରକାର ନୂଆ ରଣନୀତି କରିଛନ୍ତି। ସୀମନ୍ତବର୍ତ୍ତୀ ଅଞ୍ଚଳରେ ଆନ୍ଧ୍ର ସରକାର କେବଳ ଭୋଟର ପରିଚୟପତ୍ର ପ୍ରଦାନ କରି ନାହାନ୍ତି, ବିଭିନ୍ନ ସରକାରୀ ଯୋଜନାରେ ମଧ୍ୟ ଲୋକମାନଙ୍କୁ ସାମିଲ କରିଛନ୍ତି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ସୀମାନ୍ତବର୍ତ୍ତୀ ଅଞ୍ଚଳବାସୀଙ୍କୁ ଉପଯୁକ୍ତ ସରକାରୀ ସୁବିଧା ପ୍ରଦାନ କରାଯିବା ଆବଶ୍ୟକ। ଏଥିସହିତ ଅଞ୍ଚଳର ବିକାଶ ହେବା ଜରୁରୀ। ଯଦି ଏଥିରେ ଅବହେଳା କରାଯାଏ ତେବେ ଆଗକୁ ପରିସ୍ଥିତି ଅଧିକ ସଂଗିନ ହେବ। ତୁରନ୍ତ ଆନ୍ଧ୍ର ଦ୍ବାରା କରାଯାଉଥିବା ପଞ୍ଚାୟତ ନିର୍ବାଚନ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଉ। ରାଜ୍ୟର ସୀମା ସୁରକ୍ଷା ପାଇଁ ଉପଯୁକ୍ତ ଆଇନଗତ ପଦକ୍ଷେପ ନେବାକୁ ସରକାରଙ୍କୁ ଆଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ଗୃହ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଗଞ୍ଜାମ, ଗଜପତି ଓ କୋରାପୁଟ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର