ମା’ଙ୍କ ଶବ ସତ୍କାର ପାଇଁ ପୁଞ୍ଜିଲାଲଙ୍କୁ ଜେଲରୁ ଗୋଟିଏ ଦିନ ଯିବାକୁ ମିଳିଲା ଅନୁମତି

ପୁଲିସ ହେପାଜତରେ ଯିବେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ

ପାଟଣାଗଡ଼: ମା’ଙ୍କ ଶବ ସତ୍କାର ପାଇଁ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଜେଲରୁ ଦିନକ ପାଇଁ ଘରକୁ ଯିବେ। ପାଟଣାଗଡ଼ ଏଡିଜେ ଶିଖାରାଣୀ ରଥ ଆଜି ସନ୍ଧ୍ୟାରେ ଏହି ଅନୁମତି ଦେଇଛନ୍ତି। ସନାତନ ହିନ୍ଦୁ ଆଇନ ଆଧାରରେ ପୁଞ୍ଜିଲାଲଙ୍କୁ ପାଟଣାଗଡ଼ ଏଡିଜେ ଦିନିକିଆ ଅନୁମତି ଦେବା ପରେ ଅର୍ଡରକୁ ବଲାଙ୍ଗୀର ଜେଲ ପଠାଇ ଦେଇଛନ୍ତି।

ମା’ଇନ୍ଦୁମତୀ ମେହେରଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ପୁଞ୍ଜିଲାଲଙ୍କ ଓକିଲ ତୀର୍ଥ ସାହୁ ଆଜି ଅପରାହ୍ନ ୨ଟାରେ ଏଡ଼ିଜେ ଶିଖାରାଣୀ ରଥଙ୍କ ନିବାସରେ ଅବେଦନ କରିଥିଲେ। କାରଣ ଆଜି ଚଳିତ ମାସର ଦ୍ୱିତୀୟ ଶନିବାର ଥିବାରୁ କୋର୍ଟ ବନ୍ଦ ଥିଲା। ଓକିଲ ଶ୍ରୀ ସାହୁ ପୁଞ୍ଜିଲାଲଙ୍କୁ ୧୫ ଦିନ ପାଇଁ ଜେଲରୁ ଛାଡ଼ିବାକୁ ନିବେଦନ କରିଥିଲେ। ମାତ୍ର କୋର୍ଟ ଗୋଟିଏ ଦିନ ପାଇଁ ଅନୁମତି ଦେଇଛନ୍ତି।

ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହେରଙ୍କର ଶୁକ୍ରବାର ଦେହାନ୍ତ ହୋଇଥିଲା। ଗତକାଲି ଦିନ ୧୧ଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଅସୁସ୍ଥ ହୋଇ ଦୀର୍ଘଦିନ ଧରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ୍‌ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଇନ୍ଦୁମତୀଙ୍କର ଶବକୁ ପୋଷ୍ଟମର୍ଟମ୍‌ ୱାର୍ଡରେ ରଖାଯାଇଛି।

ସୂଚନାଯୋଗ୍ୟ, ପାର୍ସଲ ବୋମା ବିସ୍ଫୋରଣ ଘଟଣା ୨୦୧୮ ଫେବ୍ରୁଆରି ୨୩ ତାରିଖରେ ପାଟଣାଗଡ଼ ଅଂଚଳରେ ଘଟିଥିଲା। ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ଘରେ ପହଞ୍ଚିଥିଲା ଏକ ଗିଫ୍‌ଟ ପାର୍ସଲ। ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ। ଆଉ ପୁଞ୍ଜିଲାଲ ଥିଲେ ଏହାର ମାଷ୍ଟର ମାଇଣ୍ଡ। କିଛି ଦିନ ପୂର୍ବରୁ ଖବର ଆସିଥିଲା ୬ ଜଣ ଡକାୟତଙ୍କ ସହ ଜେଲରୁ ଫେରାର୍‌ ହୋଇଯିବା ନେଇ ଯୋଜନା କରିଥିଲେ ପୁଞ୍ଜିଲାଲ। ତେବେ ଫାଟକ ଜଗିଥିବା ୱାଡର ସାଇରନ୍‌ ବଜାଇ ଦେବାରୁ ପୁଞ୍ଜିଲାଲଙ୍କର ଫେରାର ଉଦ୍ୟମ ପଣ୍ଡ ହୋଇଥିଲା।

ସମ୍ବନ୍ଧିତ ଖବର