ଜଳ ଯନ୍ତ୍ରଣା: ପୁରୀ ଜିଲ୍ଲା ଭୂତଳ ଜଳସ୍ତର ଦୁଇବର୍ଷରେ ଦେଢ଼ ମିଟର ହ୍ରାସ

ଗରପଡ଼ା, ପିପିଲି, ବଳଙ୍ଗା ସ୍ଥିତି ଉଦ୍‌ବେଗଜନକ

ପୁରୀ : ମାଟି ତଳେ ମହଜୁଦ ଅମୃତଧାରା ଏବେ ସଂକଟରେ। ପୁରୀ ଜିଲ୍ଲାରେ ଭୂତଳ ଜଳସ୍ତର ନିମ୍ନଗାମୀ ହେଉଛି। ଦୁଇବର୍ଷ ମଧ୍ୟରେ କେବଳ ଗରପଡ଼ାରେ ଭୂତଳ ଜଳସ୍ତର ପାଖାପାଖି ୧.୯୪ ମିଟର ଖସିଛି। ଜଳ ଉତ୍ସର ଅପମୃତ୍ୟୁ ହେଉଥିବା ବେଳେ ଆଧୁନିକତା ଶିଡ଼ି ଚଢ଼ି ମଣିଷ ଭୂତଳେ ଥିବା ଅମୃତଭଣ୍ଡାରକୁ ଅଣଦେଖା କରି ଆସୁଛି। ପିପିଲିରେ ଭୂତଳ ଜଳସ୍ତର ୧.୭୧ ଓ ବଳଙ୍ଗାରେ ୧.୫୮ ତଳକୁ ଖସିଛି। କିଛିସ୍ଥାନରେ ପାଣିର ଗୁଣାତ୍ମକ ମାନରେ ମଧ୍ୟ ପ୍ରଭାବ ପଡ଼ିଛି। ଲୌହ, ଫ୍ଲୋରାଇଡ, କ୍ଲୋରାଇଡ, ଟିଡିଏସ୍‌ (ଟୋଟାଲ୍‌ ଡିଜଲଭ୍‌ଡ ସଲିଡ୍‌) ରହିଥିବାରୁ ସେଠାରେ ଭୂତଳ ଜଳ ପାନୀୟ ଉପଯୋଗୀ ନୁହେଁ ବୋଲି ଚେତାଇ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଭୂତଳ ଜଳସ୍ତର ନେଇ ହୋଇଥିବା ୨୦୨୦-୨୧ ଏବଂ ୨୦୨୧-୨୨ର ସର୍ବେକ୍ଷଣ ରିପୋର୍ଟରେ ପୁରୀ ଜିଲ୍ଲା ଏହି ତୁଳନାତ୍ମକ ଚିତ୍ର ବାସ୍ତବ ଚିତ୍ରକୁ ସାମ୍‌ନାକୁ ଆଣିଛି।

ସର୍ବେକ୍ଷଣ ମୁତାବକ, ୨୦୧୯ ଏପ୍ରିଲରେ ଗରପଡ଼ାର ଭୂତଳ ଜଳ ସ୍ତର ୨.୦୨ ମିଟରରେ ସୀମିତ ଥିବା ବେଳେ ଏହା ୨୦୨୧ ଏପ୍ରିଲରେ ୪.୯୬ ମିଟର ତଳକୁ ଖସିଯାଇଛି। ସେହିଭଳି ପିପିଲିରେ ୨୦୧୯ରେ ଭୂତଳ ଜଳ ୧.୭୩ ମିଟର ତଳେ ଉପଲବ୍ଧ ହେଉଥିଲେ ହେଁ ଏହା ୨୦୨୧ ରେ ୩.୪୪ ମିଟର ତଳକୁ ହ୍ରାସ ପାଇଛି। ବଳଙ୍ଗାରେ ଭୂତଳ ଜଳସ୍ତର ୧.୯୫ ମିଟର ତଳେ ଥିବାବେଳେ ଏହା ଦୁଇ ବର୍ଷ ମଧ୍ୟରେ ୩.୫୩ ମିଟର ତଳକୁ ଖସିଯାଇଛି। ସେହିପରି ଅଳଗୁମରେ ଦୁଇବର୍ଷ ମଧ୍ୟରେ ଭୂତଳ ଜଳସ୍ତର ୨.୨୨ରୁ ୨.୮୮, ଆଳିପଡ଼ାରେ ୨.୫୫ରୁ ୩.୦୪, ଅସ୍ତରଙ୍ଗରେ ୨.୧୦ରୁ ୩.୦୯, ବେଲେଶ୍ୱରପଟଣାରେ ୦.୯୪ରୁ ୧.୭୦, ବାଲିଘାଇରେ ୨.୧୮ରୁ ୨.୩୬, ବଳିଗୁଆଳିରେ ୧.୨୫ରୁ ୧.୬୯, ବ୍ରହ୍ମଗିରିରେ ୧.୭୯ରୁ ୨.୬୦, ଚନ୍ଦନପୁରରେ ୩.୫୭ରୁ ୪.୫୭, ଦାଣ୍ଡ ମୁକୁନ୍ଦପୁରରେ ୨.୯୦ରୁ ୩.୯୫, ଡେଲାଙ୍ଗରେ ୧.୫୯ରୁ ୧.୯୫, ଗିରଳରେ ୧.୮୦ରୁ ୨.୫୭, କଣାସରେ ୧.୪୦ରୁ ୨.୨୫, ମଦରଙ୍ଗରେ ୨.୯୮ରୁ ୩.୭୦, ମଙ୍ଗଳପୁରରେ ୧.୮୬ରୁ ୨, ନିମାପଡାରେ ୩.୧୦ରୁ ୩.୩୫, ପ୍ରତାପ ରାମଚନ୍ଦ୍ରପୁରରେ ୧.୪୮ରୁ ୨.୦୯, ରେବଣା ନୂଆଗାଁରେ ୧.୯୦ରୁ ୨.୪୬, ତୁଳସୀଚୌରାରେ ୧.୭୦ରୁ ୨.୨୦ ଓ ଉଆଁସଡିହରେ ୧.୨୦ମିଟରରୁ ଭୂତଳ ଜଳସ୍ତର ୨.୨୧ ମିଟର ତଳକୁ ହ୍ରାସ ପାଇଛି।

Shutterstock

କେବଳ ସେତିକି ନୁହେଁ, ସର୍ବେକ୍ଷଣ ରିପୋର୍ଟ ମୁତାବକ ଅସ୍ତରଙ୍ଗରେ ୧ ଲିଟର ପାଣିରେ ୨୩୭୧ ମିଲିଗ୍ରାମ୍‌ ଟିଡିଏସ୍‌ (ଟୋଟାଲ୍‌ ଡିଜଲଭ୍‌ଡ ସଲିଡ୍‌), ସାକ୍ଷୀଗୋପାଳରେ ୧ଲିଟର ଭୂତଳ ଜଳରେ ୨୩୫୫ ମିଲିଗ୍ରାମ ଟିଡିଏସ୍‌, କାଶୀଜଗନ୍ନାଥପୁରରେ ୧ଲିଟର ଭୂତଳ ଜଳରେ ୨୨୦୬ ମିଲିଗ୍ରାମ ଟିଡିଏସ୍‌ ରହିଛି। ସେହିଭଳି ଅସ୍ତରଙ୍ଗରେ ୧ଲିଟର ଜଳରେ ୧୨୬୭ ମିଲିଗ୍ରାମ କ୍ଲୋରାଇଡ୍‌ ରହିଛି। ଓଡ଼ିଶାର ୧୨୪୩ ସ୍ଥାନର ନମୁନା ପରୀକ୍ଷଣରୁ ୩୬ଟି ସ୍ଥାନରେ ଫ୍ଲୋରାଇଡ୍‌ ଥିବାରୁ ପାଣି ପିଇବା ଅନୁପଯୋଗୀ ବୋଲି ସୂଚିତ କରାଯାଇଥିବା ବେଳେ ଏହା ମଧ୍ୟରେ ପୁରୀର ବୁଧିବରରେ ୧ଲିଟର ଭୂତଳ ଜଳରେ ୨.୨୧ ମିଲିଗ୍ରାମ ଫ୍ଲୋରାଇଡ୍‌ ରହିଥିବା ଜଣାପଡ଼ିଛି। ଏଥିସହ ୧ ଲିଟର ଜଳରେ ଗୋପର ବେଲେଶ୍ୱରପାଟଣାରେ ୫.୮୨୪ ମିଲିଗ୍ରାମ ଲୌହ, ସଦରର ବାଲିଘାଟରେ ୩.୧୫୫ ମିଲିଗ୍ରାମ, ଗୋପର ମହାପୁରରେ ୧.୫୧୫ ମିଲିଗ୍ରାମ, ବାଲିଘାଇରେ ୧.୩୬୫ ମିଲିଗ୍ରାମ ଓ ପିପିଲି ମଙ୍ଗଳପୁରରେ ୧.୩୫୧ ମିଲିଗ୍ରାମ ଲୌହ ଅଂଶ ରହୁଥିବାରୁ ଏହା ପାନୀୟ ଉପଯୋଗୀ ନୁହେଁ ବୋଲି ସୂଚିତ କରାଯାଇଛି। ଏହାର ପ୍ରଭାବରେ ଲୋକେ ବାରମ୍ବାର କିଡ୍‌ନି ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି।

ଦେଶର କେତେକ ରାଜ୍ୟରେ ଭୂତଳ ଜଳ ସ୍ଥିତି ସଂକଟରେ ଥିବାରୁ ଭୂତଳ ଜଳ ଉତ୍ତୋଲନରେ ରୋକ୍‌ ଲାଗିଛି। ଅଥଚ ଏଠାରେ ଭୂତଳ ଜଳ ଉତ୍ତୋଳନ ପାଇଁ ଭୂତଳ ଜଳ ବୋର୍ଡଠାରୁ ଅନୁମତି ନେବା ବାଧ୍ୟତାମୂଳକ ଥିଲେ ହେଁ ଏହାକୁ ଅନୁସରଣ କରାଯାଉନାହିଁ। ଏବେଠୁ ସଚେତନ ନହେଲେ ନେଡ଼ିଗୁଡ଼ କହୁଣିକୁ‌ ବୋହିଯିବ ବୋଲି ପରିବେଶବିତ୍‌ମାନେ କହିଛନ୍ତି।

ସମ୍ବନ୍ଧିତ ଖବର