ଘଣ୍ଟେ ଆଗରୁ ପଡ଼ିଗଲା ବଡ଼ ଦେଉଳ ପହୁଡ଼

ପୁରୀ: ଶ୍ରୀମନ୍ଦିର ପରିଚାଳନାରେ ଆଜି ବି ଚାଲିଛି ତାମ୍‌ସା। ନା ଅଛି ପ୍ରଶାସନିକ ନିୟନ୍ତ୍ରଣ ନା ରହୁଛି ଆଇନକାନୁନର ଭୟ। ମନଇଚ୍ଛା ଚଳାଇଛନ୍ତି ଠାକୁରଙ୍କ ନୀତିକାନ୍ତି। କେତେବେଳେ ଠାକୁରଙ୍କୁ ଘଣ୍ଟା ଘଣ୍ଟା ଉପାସ ରଖୁଛନ୍ତି ତ ଆଉ କେତେବେଳେ ଆଗୁଆ ଖୁଆଇ ଶୁଆଇ ଦେଉଛନ୍ତି। ଆଜି ୧ ଘଣ୍ଟା ୧୫ ମିନିଟ୍‌ ଆଗରୁ ବଡ଼ ଦେଉଳର ପହୁଡ଼ ପକାଇ ଦେଇଛନ୍ତି ସେବକ ଓ ପ୍ରଶାସନର ତଳତଳିଆ କର୍ମଚାରୀମାନେ। ଫଳରେ ଶହଶହ ଭକ୍ତ ଦର୍ଶନ ନପାଇ ଫେରିଛନ୍ତି। ବିନୋଦ କୁମାର ସାହୁ, ଘର ମଧୁବନ। ପ୍ରତିଦିନ ଠାକୁରଙ୍କ ପହୁଡ଼ ଆଳତି ଦେଖନ୍ତି। ପ୍ରତିଦିନ ରାତି ୧୦ଟା ପୂର୍ବରୁ ସେ ପହଞ୍ଚି ଯାଆନ୍ତି ଦେଉଳରେ। ଆଜି ବି ପହଞ୍ଚିଥିଲେ। ମାତ୍ର ଗଲା ବେଳକୁ ସିଂହଦ୍ବାର ବନ୍ଦ ହୋଇଯାଇଥିଲା। ଭିତରକୁ ପଶି ପାରିଲେ ନାହିଁ। ଠାକୁରଙ୍କୁ ଦର୍ଶନ କରିନପାରି ଫେରିଲେ। କେବଳ ସେ ନୁହନ୍ତି, ଶହଶହ ଭକ୍ତ ଠାକୁରଙ୍କୁ ଦର୍ଶନ କରିନପାରି କୋହଭରା ମନରେ ଫେରିଛନ୍ତି। ଫେରିବା ବେଳେ କହୁଥାନ୍ତି, ଏଠି କ’ଣ ପ୍ରଶାସନ ନାହିଁ। ସବୁ କ’ଣ ସେବକଙ୍କ ମର୍ଜିରେ ଚାଲିବ? ପ୍ରଶାସନ ଠାକୁରଙ୍କ ପହୁଡ଼ ପାଇଁ ସମୟ ନିର୍ଘଣ୍ଟ କରିଛି। ରାତି ୧୧ଟା ପୂର୍ବରୁ ପହୁଡ଼ ନପଡ଼ିବାକୁ ଦିଆଯାଇଛି ନିର୍ଦ୍ଦେଶ। ସେହି ଅନୁଯାୟୀ ଭକ୍ତ ଆସି ଠାକୁରଙ୍କ ଦର୍ଶନ କରିଥାନ୍ତି। ମାତ୍ର ଆଜି ସବୁ ବ୍ୟତିକ୍ରମ ହୋଇଛି। ରାତି ସାଢ଼େ ୯ଟା ସୁଦ୍ଧା ଠାକୁରଙ୍କର ସବୁ ନୀତି ସରିଗଲା। ପହୁଡ଼ ବି ପଡ଼ିଗଲା। ରାତି ୯ଟା ୪୫ରେ ଭିତର ଦ୍ବାର ବନ୍ଦ ହୋଇଗଲା। ଠିକ୍‌ ୫ ମିନିଟ୍‌ ଅର୍ଥାତ୍‌ ୯ଟା୫୦ରେ ବନ୍ଦ ‌ହୋଇଗଲା ସିଂହଦ୍ବାର। ଭକ୍ତଙ୍କ ନିବେଦନ କେହି ଶୁଣିଲେ ନାହିଁ। ଫେରିଗଲେ ଶହଶହ ଭକ୍ତ।

ସମ୍ବନ୍ଧିତ ଖବର