ରଥ ନିର୍ମାଣକୁ ମାସେ: ଦଣ୍ଡାରେ ସଂଯୋଗ ହେଲା ମୁହାଣ୍ଟ

ପୁରୀ ରଥଖଳା ହାଲଚାଲ

ପୁରୀ : ରଥଖଳାରେ ରଥ ନିର୍ମାଣକୁ ଆଜି ମାସେ ପୂରିଛି। ଆଜି ପ୍ରଥମ କରି ତିନି ରଥର ପଞ୍ଚ ଦଣ୍ଡାରେ ଆଗ ମୁହାଣ୍ଟ ଓ ପଛ ମୁହାଣ୍ଟ ପରୀକ୍ଷାମୂଳକ ସଂଯୋଗ ଆରମ୍ଭ ହୋଇଛି। ପଞ୍ଚ ଦଣ୍ଡା ସହ ତାଳଧ୍ବଜ ରଥ, ନନ୍ଦିଘୋଷ ରଥର ଆଉ ୪ଟି ଲେଖାଏଁ ଦଣ୍ଡା ନିର୍ମାଣ ଶେଷ ହୋଇଛି। ଦେବଦଳନ ରଥର ପଞ୍ଚ ଦଣ୍ଡା ସହ ଦୁଇ ପାର୍ଶ୍ବ ଦଣ୍ଡା ନିର୍ମାଣ ‌ଶେଷ ହୋଇଛି।

ଦେବଦଳନ ରଥର ଦୁଇଟି ଗରଗରାରୁ ଗୋଟିଏ ଚଉପଟ ‌ଶେଷ ହୋଇଛି। ତିନି ରଥର ୩ଟି ଲେଖାଏଁ ଢମକର ଚଉପଟ ଆରମ୍ଭ ହୋଇଛି। ତିନି ରଥ ଉପରେ ନଜର ପକାଇଲେ, ତାଳଧ୍ବଜ ରଥର ପଞ୍ଚ ଦଣ୍ଡାରେ ଆଗଆଣି ଓ ପଛଆଣି ମୁହାଣ୍ଟ ସଂଯୋଗ ହୋଇଛି। ପଞ୍ଚଦଣ୍ଡା ମୁହାଣ୍ଟ ସହ ଶକ୍ତ ଭାବେ ସଂଯୋଗ ପାଇଁ ଦଣ୍ଡା ମୁହଁଗୁଡ଼ିକ କଳସା କରାଯାଇଛି। ଏହାବାଦ୍‌ ଆଉ ଦୁଇଟି ଲେଖାଏଁ ପାର୍ଶ୍ବ ଦଣ୍ଡା ଶେଷ ହୋଇଛି। ଏପରି ତିନି ରଥର ୯ଟି ଦଣ୍ଡା ଶେଷ ହୋଇଛି। ଦୁଇଟି ଗରଗରା ଚଉପଟ ଜାରି ରହିଥିବା ବେଳେ ଆଜି ତିନିଟି ଢମକର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି। ଦେବଦଳନ ରଥର ପଞ୍ଚ ଦଣ୍ଡାରେ ଆଗ ଓ ପଛ ମୁହାଣ୍ଟ ସଂଯୋଗ ହେବା ସହ ଆଉ ଦୁଇଟି ପାର୍ଶ୍ବ ଦଣ୍ଡା ନିର୍ମାଣ ଶେଷ ହୋଇଛି। ଦୁଇଟି ଗରଗରା ଚଉପଟ କାର୍ଯ୍ୟ ଶେଷ ହୋଇଛି। ଭୋଇ ସେବକମାନେ ଯୋଗାଇ ଦେଇଥିବା ୩ଟି ଢମକରୁ ଦୁଇଟି ଢମକର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି। ନନ୍ଦିଘୋଷ ରଥର ପଞ୍ଚ ଦଣ୍ଡାରେ ଆଜି ଆଗ ଓ ପଛ ମୁହାଣ୍ଟ ସଂଯୋଗ ପରେ ଆଉ ଦୁଇଟି ପାର୍ଶ୍ବ ଦଣ୍ଡା ନିର୍ମାଣ ହୋଇଛି। ଦୁଇଟି ଗରଗରା ଚଉପଟ ଜାରି ରହିଛି। ୩ଟି ଢମକର ଚଉପଟ ଆରମ୍ଭ ହୋଇଛି। ରୂପକାର ସେବକମାନେ ସାଲଗୁଜରେ ରୂପ ଖୋଦେଇ ପରେ ତୀଖ ଗୁଜରେ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳବେଦି କମାରଶାଳରେ ଓଝା ସେବକମାନେ ଦଣ୍ଡା କଣ୍ଟା, ଗରଗରା କଣ୍ଟା, ଗୟଳ କଣ୍ଟା ନିର୍ମାଣ ଶେଷ ପରେ ଭୂଇଁ, ଯୋଖା, ଚଣାକ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

ରଥ ନିର୍ମାଣର ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ
ପୁରୀ :‌ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଆଜି ରଥଖଳା ବୁଲିବା ସହ ରଥ ନିର୍ମାଣ ସେବକଙ୍କ ସହ ରଥ ନିର୍ମାଣର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି। ରଥ ନିର୍ମାଣ କେବେ ସରିବ, ସେ ଉପରେ ମହାରଣା ଓ ଅନ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ଆଜି ଅପରାହ୍ଣରେ ଶ୍ରୀ ଯାଦବ ଜିଲ୍ଲାପାଳ ସମର୍ଥ ବର୍ମା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସହ ରଥଖଳା ବୁଲିବା ସହ ରଥ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ନିର୍ମାଣରେ ନିୟୋଜିତ କାରିଗରଙ୍କ ସୁବିଧାଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।

ସମ୍ବନ୍ଧିତ ଖବର