ଆରମ୍ଭ ହେଲା ରଥ ନିର୍ମାଣ : ରଥଖଳା, କମାରଶାଳ ଚଳଚଞ୍ଚଳ

ଖୋଳା ହେଲା ଯନ୍ତାଗାଡ଼

ପୁରୀ : ଅନେକ ବାଦବିବାଦ ପରେ ଶେଷରେ ବିଶ୍ବନିୟନ୍ତାଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାର ପ୍ରାରମ୍ଭିକ ପର୍ବ ଆରମ୍ଭ ହୋଇଛି। ଆଜି ଠାରୁ ତିନି ରଥ ତାଳଧ୍ବଜ, ନନ୍ଦିଘୋଷ ଓ ଦର୍ପଦଳନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥି ପାଇଁ ରଥଖଳା ପୁଣିଥରେ ଚଳଚଞ୍ଚଳ ହୋଇଉଠିଛି। ପ୍ରଥମ ଦିନରେ ତୁମ୍ବ ପ୍ରସ୍ତୁତି କାମ ଆରମ୍ଭ ହୋଇଛି। ରଥଖଳା ସହ ଏକକାଳୀନ କମାରଶାଳ ବି ଚଳଚଞ୍ଚଳ ହୋଇ ଉଠିଛି। କମାରଶାଳରେ ଆବଶ୍ୟକ ଲୁହାକଣ୍ଟା ପ୍ରସ୍ତୁତି କାମ ଆଜି ଠାରୁ ଆରମ୍ଭ ହୋଇଛି। ବିଧି ମୁତାବକ ଭଉଁରୀରେ ଚକଡେରା କାମ ଅନୁକୂଳ ଲକ୍ଷ୍ୟରେ ଆଜି ଯନ୍ତାଗାଡ଼ ଖୋଳାଯାଇଛି। କରୋନା ପାଇଁ ରହିଥିବା କଟକଣାକୁ ମାନି ମହାରଣା ସେବକ, ଓଝା ସେବକ, ଭୋଇ ସେବକମାନେ ଏହି ସବୁ କାମକୁ ଆଗେଇ ନେଇଛନ୍ତି। ଦିନରାତି କାମ କରି ରଥ ନିର୍ମାଣ କାର୍ଯ୍ୟ ‌ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ସରିଥିଲେ ବି କରୋନା କଟକଣା ପାଇଁ ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟକୁ ଝୁଲାଇ ରଖିଥିଲେ। ଫଳରେ ଗତ ୧୨ ଦିନ ହେବ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା। ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ ଅନୁକୂଳ ହୋଇପାରିନଥିଲା। ଗତକାଲି ସଂଧ୍ୟାରେ କେନ୍ଦ୍ର ସରକାରଙ୍କ ଅନୁମତି ପରେ ଜିଲ୍ଲାପାଳ ବିଶ୍ବକର୍ମା ଓ ଅନ୍ୟ ସେବକଙ୍କ ଜରୁରୀ ବୈଠକ ଡାକି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ସଂପର୍କରେ ଆଲୋଚନା କରିଥିଲେ। ଆଜି ପୂର୍ବାହ୍ଣ ପ୍ରାୟ ୧୦ଟାରେ ତିନି ରଥର ମୁଖ୍ୟ ବିଶ୍ବକର୍ମାମାନେ ନଡ଼ିଆ, ମାହାର୍ଦ୍ଦ ଆଦି ମହାପ୍ରଭୁଙ୍କ ଠାରେ ସମର୍ପଣ କରି ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ କରିଥିଲେ। ସମସ୍ତ ସେବକ ମାସ୍କ ପିନ୍ଧି କାମ ଆରମ୍ଭ କରିଛନ୍ତି। ସାନିଟାଇଜରର ବ୍ୟବହାର କରାଯାଉଛି। ରଥଖଳାକୁ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ କରାଯିବା ସହ ‌ଚାରିପାର୍ଶ୍ବରେ ଲୁହାର ବାରିକେଡ୍‌ ପକାଇ ପ୍ରବେଶ ବନ୍ଦ କରାଯାଇଛି। ଚାରିପଟୁ କପଡ଼ା ଘୋଡ଼ାଇ କାମ ଚାଲିଛି। ପ୍ରଥମ ଦିନରେ ମହାରଣା ସେବକ, ଭୋଇ ସେବକ, ଓଝା ସେବକ ପ୍ରମୁଖଙ୍କୁ ନେଇ ୫୦ରୁ ଅଧିକ ସେବକ ରଥ ନିର୍ମାଣରେ ନିୟୋଜିତ ହୋଇଛନ୍ତି।

ସମ୍ବନ୍ଧିତ ଖବର