ବର୍ଷିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ : ରଥଯାତ୍ରା ଉପରେ ପର୍ଯ୍ୟାପ୍ତ ବିଚାରବିମର୍ଶ ହୋଇନି, ପରମ୍ପରା ଭାଙ୍ଗିଲେ ମହାପ୍ରଭୁ କ୍ଷମା ଦେବେନି

ପୁରୀ : ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ଆଜି ବର୍ଷିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ। ସିଧାସଳଖ କହିଛନ୍ତି, ରଥଯାତ୍ରା ପରମ୍ପରା ବନ୍ଦ ପୂର୍ବରୁ ଧାର୍ମିକ ତଥା ଆଧ୍ୟାତ୍ମିକ ଦୃଷ୍ଟିକୋଣକୁ ଅଣଦେଖା କରାଯାଇଛି। ଆବଶ୍ୟକ ବିଚାରବିମର୍ଶ କରାଯାଇନି। ଏଭଳି ଆଦେଶ ଦେବା ପୂର୍ବରୁ ପର୍ଯ୍ୟାପ୍ତ ଆଲୋଚନା ଓ ବିଚାରବିମର୍ଶର ଆବଶ୍ୟକତା ଥିଲା। କିନ୍ତୁ ସେଭଳି ନକରି ଶହ ଶହ ବର୍ଷର ପରମ୍ପରାକୁ ବିଲୋପ କରିଦେବାକୁ ଚେଷ୍ଟା କରାଯାଇଛି। ଏଭଳି ହେଲେ ମହାପ୍ରଭୁ କେବେ ବି କ୍ଷମା ଦେବେନି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ।

ଜଗତଗୁରୁ କହିଛନ୍ତି, ଭଗବାନ ନାରାୟଣଙ୍କଠାରୁ ଆମର ବଂଶ ପରମ୍ପରା, ଗୁରୁ ପରମ୍ପରା ଆରମ୍ଭ ହେଉଛି। ଆମର ଏହି ପରମ୍ପରା ୨ହଜାର ୫୦୩ ବର୍ଷର ପ୍ରଶସ୍ତ ପରମ୍ପରା। ପୁରୀ ଗୋବର୍ଦ୍ଧନ ପୀଠର ମୁଁ ୧୪୫ତମ ଶଙ୍କରାଚାର୍ଯ୍ୟ। ପରମ୍ପରାରୁ ମୁଁ ଏହା ଶିଖିଛି ତଥା ଜାଣିଛି କି ଦେଶର ପରିସ୍ଥିତିକୁ ଦେଖି ଧର୍ମର ନିର୍ଣ୍ଣୟ କରାଯାଏ। କିନ୍ତୁ ଲୋକେ ଭୟ, ଅବିବେକିତାର ବଶୀଭୂତ ହୋଇ ମୁହଁ ଖୋଲିବାକୁ ସାହସ କରୁନାହାନ୍ତି। କୌଣସି ଆସ୍ତିକ ବ୍ୟକ୍ତିଙ୍କ ଏହା ଭାବନା ହୋଇପାରେ କି ଏହି ବିଭୀଷିକା ସମୟରେ ରଥଯାତ୍ରାର ସ୍ବୀକୃତି ଦେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ କ୍ଷମା ଦେବେନି। କିନ୍ତୁ ପ୍ରଶସ୍ତ ପରମ୍ପରାର ବିଲୋପ ହୋଇଗଲେ କ’ଣ ମହାପ୍ରଭୁ ତାଙ୍କୁ କ୍ଷମା କରିଦେବେ? ଏହା ଉପରେ ବି ବିଚାର କରିବା ଦରକାର। ଏଭଳି ସ୍ଥିତିରେ ବିଭୀଷିକାକୁ ଦୃଷ୍ଟିରେ ରଖି ଓ ଶାସ୍ତ୍ରସମ୍ମତ ପ୍ରାଚୀନ ପ୍ରଥାକୁ ଆଧାର କରି ରଥଯାତ୍ରା ପ୍ରସଙ୍ଗରେ ନିର୍ଣ୍ଣୟ କରିବାର ଯଥେଷ୍ଟ ଆବଶ୍ୟକ ଥିଲା।

ମୁଁ ସୂଚନା ଦେବାକୁ ଚାହିଁବି କି ଭଗବତ୍‌ପାଦାଦି ଶଙ୍କରଚାର୍ଯ୍ୟଙ୍କ ଯେବେ ଆବିର୍ଭାବ ହେଲା, ସେବେ ପାର୍ସି, ମୁସଲିମ ଆଦି ନଥିଲେ। ସାରା ବିଶ୍ବ ଶଙ୍କରାଚାର୍ଯ୍ୟଙ୍କ ଅଧିକାର କ୍ଷେତ୍ରରେ ଥିଲା। ଆଜି ବି ଶ୍ରୀମନ୍ଦିର ପୁରୀପୀଠ ଶଙ୍କରଚାର୍ଯ୍ୟଙ୍କ ଅଧିକାର ‌କ୍ଷେତ୍ରରେ ଅଛି। ଧାର୍ମିକ ଓ ଆଧ୍ୟାତ୍ମିକ ବିଷୟର ନ୍ୟାୟାଧୀଶ ଭାବେ ଆମେ ଗଣାଯାଉଛୁ। ପରମ୍ପରା ଓ ଉଚ୍ଚତମ ନ୍ୟାୟାଳୟ ଅନୁସାରେ ବି। ଏଭଳି ସ୍ଥିତିରେ ନ୍ୟାୟାଳୟର ଦାୟିତ୍ବ ହେଉଛି, ଧାର୍ମିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଆମମାନଙ୍କଠାରୁ ଆବଶ୍ୟକ ପରାମର୍ଶ ତଥା ମାର୍ଗଦର୍ଶନ ନେବା। ମୁଁ ପୂର୍ବରୁ କହିଥିଲି କି ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ବିଶୁଦ୍ଧ ଭାବନାର ପରିଚୟ ଦେଇ ପ୍ରାପ୍ତ ବିଭୀଷିକାରୁ ବର୍ତ୍ତିବା ପାଇଁ ରଥଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି, ଏଥିରେ ଭାବନାକୁ ଆକ୍ଷେପ କରାଯାଇପାରିବନି। କିନ୍ତୁ ବିଚାରବିମର୍ଶ ପର୍ଯ୍ୟାପ୍ତ ନୁହେଁ। ଏଥିପାଇଁ ସମ୍ମାନପୂର୍ବକ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶଙ୍କୁ ଅନୁରୋଧ କରୁଛି କି ରଥଯାତ୍ରା ପ୍ରସଙ୍ଗରେ ପ୍ରଶସ୍ତ ଢ଼ଙ୍ଗରେ ନିର୍ଣ୍ଣୟ ପ୍ରଦାନ କରନ୍ତୁ। ଏହାର ମାର୍ଗ ପ୍ରଶସ୍ତ କରନ୍ତୁ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର