ବଡ଼ ଧରଣର ଚଢ଼ଉ ପାଇଁ କମିସନରେଟ ପୁଲିସର ଯୋଜନା, ଗଳିକନ୍ଦିରେ ବୁଲିବେ ପୁଲିସ

ମାସ୍କ ନ ପିନ୍ଧିଲେ ଆଉ ଖସି ପାରିବେ ନାହିଁ

ଭୁବନେଶ୍ବର: କାୟା ବିସ୍ତାର କରି ଚାଲିଛି କରୋନା ଭୂତାଣୁ। ସ୍ଥାନୀୟ ସଂକ୍ରମଣ ଏବେ ଚିନ୍ତାର କାରଣ ପାଲଟିଛି। ରାଜଧାନୀରେ ବି କରୋନା ମାଡ଼ି ଚାଲିଛି। କିନ୍ତୁ ଏଭଳି ସ୍ଥିତିରେ ସାମାଜିକ ଦୂରତ୍ବକୁ ଲୋକେ ମାନିବାକୁ ନାରାଜ। ଅମାନିଆ ହୋଇ ବିନା ମାସ୍କରେ ରାସ୍ତାଘାଟରେ ବୁଲୁଛନ୍ତି। ଗୋଟିଏ ପଟେ ସାମାଜିକ ଦୂରତ୍ବ ଚୁଲିକୁ ଯାଇଥିବା ବେଳେ ଅନ୍ୟପଟରେ ମାସ୍କ ନ ପିନ୍ଧି ବିପଦକୁ ଡାକୁଛନ୍ତି। ରାସ୍ତାଘାଟ, ଗଳିକନ୍ଦିରେ ବୁଲୁଛନ୍ତି ଏଭଳି ଅମାନିଆ। ଏମାନଙ୍କ ଭିତରୁ କେତେକଙ୍କ ମୁହଁରେ ମାସ୍କ ନ ଥିବା ବେଳେ ଆଉ କେତେକ ମାସ୍କକୁ ମୁହଁରୁ କାଢି ଥୋଡ଼ିରେ ଲଗାଇ ବୁଲୁଛନ୍ତି। ଏଭଳି ଢଙ୍ଗରେ ମାସ୍କ ପିନ୍ଧିବା ଯାହା ନ ପିନ୍ଧିବା ସେଇଆ ବୋଲି କହିଛି କମିସନରେଟ ପୁଲିସ।

ଏକାଧିକ ଥର ସଚେତନତା ସତ୍ତ୍ବେ ମାନୁ ନାହାନ୍ତି ଲୋକେ। ମାସ୍କ ନ ପିନ୍ଧି ଆଇନ ଉଲ୍ଲଂଘନ କରି ବୁଲୁଥିବା ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କମିସନରେଟ ପୁଲିସ ବଡ଼ଧରଣର ଯୋଜନା କରିଛି। ପୁଲିସ ସେବା ଭବନରେ ଏ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ମଧ୍ୟ ବସିଛି। ଯୋଜନାର ରୂପରେଖ ପ୍ରସ୍ତୁତ ସରିଛି। ଲଗାତାର ତିନି ଚାରି ଦିନ ଧରି ରାଜଧାନୀରେ ଚଢ଼ଉ କରାଯିବ ବୋଲି ସୂଚନା ମି​ଳିଛି। ପ୍ରତି ଥାନା ଅଞ୍ଚଳ, ଗଳିକନ୍ଦି, ରାଜରାସ୍ତା, ବଜାର ଘାଟ, ହାଟ ସବୁଠି ଚଢ଼ଉ କରି ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡ଼ିଛି। ସମସ୍ତ ପୁଲିସ, ଟ୍ରାଫିକ ପୁଲିସ ଏହି ଅଭିଯାନରେ ସାମିଲ ହେବେ। ସୋସିଆଲ୍ ମିଡ଼ିଆରେ ସଚେତନତା ପରେ ଏବେ କମିସନରେଟ ପୁଲିସ ଆକ୍ସନ ମୁଡକୁ ଓହ୍ଲାଇବ।

ସମ୍ବନ୍ଧିତ ଖବର