ପ୍ଲାଷ୍ଟିକ୍‌ ମୁକ୍ତ ହେବ ଶ୍ରୀମନ୍ଦିର : ଏବେ ସଚେତନତା, ଏପ୍ରିଲ୍ ପହିଲାରୁ କଟକଣା, ନମାନିଲେ ତଣ୍ଡ ଗଣିବେ ସେବାୟତ, ଭକ୍ତ, ଦୋକାନୀ

ପୁରୀ :‌ ପ୍ଲାଷ୍ଟିକମୁକ୍ତ ହେବ ଶ୍ରୀମନ୍ଦିର। ସେବାୟତ ହୁଅନ୍ତୁ କି ଭକ୍ତ ଅବା ଦୋକାନୀ, କେହି ବି କୌଣସି ପରିସ୍ଥିତିରେ ପଲିଥିନ୍, ପ୍ଲାଷ୍ଟିକ୍ ବୋତଲ ସହ ଅନ୍ୟାନ୍ୟ ପ୍ଲାଷ୍ଟିକ୍ ଜିନିଷ ବ୍ୟବହାର କରିପାରିବେ ନାହିଁ। ଯଦି କେହି ପ୍ଲାଷ୍ଟିକ ଜିନିଷ ବ୍ୟବହାର କରି ଧରାପଡ଼ନ୍ତି, ମୋଟା ଅଙ୍କର ତଣ୍ଡ ଗଣିବେ। ମାର୍ଚ୍ଚରେ ଏ ଉପରେ ସଚେତନ କରାଯିବ। ଏପ୍ରିଲରୁ ଏହି ନିୟମକୁ କଡ଼ାକଡ଼ି କରାଯିବ ବୋଲି ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ଆଜି ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ପାନ, ଗୁଟ୍‌ଖା ନିୟମକୁ ଆହୁରି କଡ଼ାକଡ଼ି କରାଯାଇଛି। ପାନ, ଗୁଟ୍‌ଖା ଖାଇ ଶ୍ରୀମନ୍ଦିରରେ ପଶିଲେ ୫ଶହ ଟଙ୍କା ଜରିମାନା ଗଣିବାକୁ ପଡ଼ିବ। ସିସିଟିଭି ଆଧାରରେ ବି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର।

ଆଜି ମଧ୍ୟାହ୍ନରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ଶ୍ରୀମନ୍ଦିର ଦୋଳପୂର୍ଣିମା ନୀତି ଚୂଡ଼ାନ୍ତ ହୋଇଥିଲା। ଧାର୍ଯ୍ୟ ସମୟ ଭିତରେ ଯେପରି ନୀତି ସରିବ ସେ ଉପରେ ଗୁରୁତ୍ବ ଦିଆଯାଇଥିଲା। ଏହି ଅବସରରେ ଶ୍ରୀମନ୍ଦିରରେ ପ୍ଲାଷ୍ଟିକ ବର୍ଜନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ମୁଖ୍ୟତଃ ଭକ୍ତମାନେ ଶ୍ରୀମନ୍ଦିରକୁ ମହାପ୍ରସାଦ ନେବାକୁ ଆସିଲେ, ବିକ୍ରେତାମାନେ ସେମାନଙ୍କୁ ପଲିଥିନ୍‌ରେ ମହାପ୍ରସାଦ ଦେବାକୁ ଭୁଲନ୍ତି ନାହିଁ। ଦୀପ ଦୋକାନୀ ବି ପଲିଥିନ୍‌ ବ୍ୟବହାର କରିଥାନ୍ତି। ଏ ଦିଗରେ ରୋକ୍ ଲଗାଯିବ ବୋଲି ଶ୍ରୀ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର