ଆଜି ପୁରୀ ବନ୍ଦ

ପୁରୀ: ଆଇନଜୀବୀ ଲକ୍ଷ୍ମୀଧର ମହାପାତ୍ର ହତ୍ୟାକାଣ୍ଡ ପ୍ରତିବାଦରେ ମଙ୍ଗଳବାର (୨୪ ତାରିଖ) ପୁରୀ ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ପାଇଁ ସଂଘ ପକ୍ଷରୁ ମାଇକ୍‌ ଯୋଗେ ପ୍ରଚାର କରାଯାଇଛି। ଏଥିସହ ମୋଟର ସାଇକଲ ରାଲି, ମଶାଲ ଶୋଭାଯାତ୍ରା ଓ ଷ୍ଟ୍ରିଟ୍‌ କର୍ଣ୍ଣର ମିଟିଂର  ଆୟୋଜିତ ହୋଇଛି। ଗତକାଲି ଭଳି ଆଜି ମଧ୍ୟ ଓକିଲମାନେ ସମସ୍ତ କୋର୍ଟ କାର୍ଯ୍ୟ ବନ୍ଦ କରିଥିଲେ।  ପୂର୍ବ ନିଷ୍ପତ୍ତି ଅନୁସାରେ ଆଜି ଓକିଲମାନେ ଏକଜୁଟ୍‌ ହୋଇ ପ୍ରଥମେ ସମସ୍ତ କୋର୍ଟକୁ ଯାଇ ସେଠାରେ ହାକିମମାନଙ୍କୁ କାର୍ଯ୍ୟ ବନ୍ଦ ନିବେଦନ କରିଥିଲେ। ଏହା ପରେ ସରକାରୀ କାର୍ଯ୍ୟାଳୟକୁ ଯାଇ ସେଠାରେ ମଧ୍ୟ ଅଧିକାରୀମାନଙ୍କୁ କାର୍ଯ୍ୟ ବନ୍ଦ କରିବାକୁ ନିବେଦନ କରିବା ସହ କାର୍ଯ୍ୟାଳୟ ବନ୍ଦ କରିଥିଲେ। ଆଜିର ସଫଳତା ପରେ ସଂଘ ପକ୍ଷରୁ ଏକ ମାଇକ ବୁଲାଇ ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ।

ମାଇକ ବୁଲାଇବା ପାଇଁ ପୁଲିସ ଅନୁମତିର ଆବଶ୍ୟକତା ଥିବାରୁ ଓକିଲମାନେ ସିଟି ଡିଏସ୍‌ପିଙ୍କ ପାଖକୁ ଦରଖାସ୍ତ ନେଇ ଯାଇଥିଲେ। ସେ ଅନୁମତି ଦେବାକୁ ମନା କରି ଦେଇଥିଲେ ମଧ୍ୟ ସଂଘ ପକ୍ଷରୁ ସହରାଞ୍ଚଳରେ ପ୍ରଚାର ମାଇକ୍‌ ବୁଲିଥିଲା।  ପୁରୀ ବାର ଆସୋସିଏସନ ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଥିବା ବେଳେ ରାଜ୍ୟର ସମସ୍ତ ଜିଲ୍ଲାର ଓକିଲ ସଂଘ ଏହି ବନ୍ଦକୁ ନୈତିକ ସମର୍ଥନ କରିଥିବା ଜଣାପଡ଼ିଛି। ଆସନ୍ତାକାଲି ସମସ୍ତ ଜିଲ୍ଲାର ବାର ଆସୋସିଏସନ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ ବୋଲି ସୂଚନା ମିଳିଛି। ଆଗାମୀ ଦିନରେ ଏହି ଆନ୍ଦୋଳନ ସମଗ୍ର ଦେଶକୁ ପ୍ରସାରିତ କରିବା ପାଇଁ ପୁରୀ ବାର ଆସୋସିଏସନ ଯୋଜନା କରୁଥିବା ଜଣାପଡ଼ିଛି। ସେହିପରି ଖୁବ୍‌ ଶୀଘ୍ର ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ପିପିଲି ଓକିଲ ସଂଘ ପକ୍ଷରୁ ଏକ ମିଳିତ ମୋଟର ସାଇକେଲ ରାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କର ବଦଳି ଦାବି କରାଯିବ ବୋଲି ପୁରୀ ଓକିଲ ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର