ସ୍ବର୍ଗଦ୍ବାର ଆଧୁନିକୀକରଣ ପ୍ରକ୍ରିୟା ଆରମ୍ଭ, ଭଙ୍ଗା ହେଲା ପଥଶ୍ରାଦ୍ଧ ଘର

ପୁରୀ: ପୁରୀରେ ଏବେ ଚାଲିଛି ଉଚ୍ଛେଦ ଋତୁ । ପୁରୀ ସିଂହଦ୍ବାର ସମ୍ମୁଖରେ ୭୫ ମିଟର ସୁରକ୍ଷା ବଳୟ ଉଚ୍ଛେଦ ଚାଲିଥିବା ବେଳେ ଆଜି ଠାରୁ ସ୍ବର୍ଗଦ୍ବାର ଆଧୁନିକୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ସ୍ବର୍ଗଦ୍ବାରରେ ବୁଲଡୋଜର୍‌ ଲାଗିଛି। ପ୍ରଥମ ଦିନରେ ପୁଲିସ ସୁରକ୍ଷ‌ା ଭିତରେ ସ୍ବର୍ଗଦ୍ବାରରେ ଥିବା ବହୁ ପୁରାତନ ପଥଶ୍ରାଦ୍ଧ ଗୃହ ଭଂଗାଯାଇଛି। ଏଥି ସହିତ ସ୍ବର୍ଗଦ୍ବାର ପରିସରରେ ଥିବା କିଛି ପରିତ୍ୟକ୍ତ ଗୃହକୁ ମଧ୍ୟ ଭାଂଗି ଦିଆଯାଇଛି। ଆଜିଠାରୁ ପର୍ଯ୍ୟାୟ କ୍ର‌େମ‌ ସ୍ବର୍ଗଦ୍ବାର ଉଚ୍ଛେଦ କାମ ଚାଲିବ। ସ୍ବର୍ଗଦ୍ବାର‌ରେ ଅଚଳ ହୋଇ ପଡ଼ିଥିବା ଚିମିନିକୁ ମଧ୍ୟ ଆଂଶିକ ଭାଂଗି ଦିଆଯାଇଛି। ଆସନ୍ତାକାଲି ମଧ୍ୟ ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିବ ବୋଲି ଜଣାପଡିଛି। ସ୍ବର୍ଗଦ୍ବାର ସଂପ୍ରସ‌ାରଣ ପାଇଁ ସରକାର ଏକ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି। ଏଥି ପାଇଁ ମୁଖ୍ୟମନ୍ତ୍ରୀ ୫ କୋଟି ଟଙ୍କା ଘୋଷଣା କରିଛନ୍ତି। ଏହି ଅର୍ଥରେ ସ୍ବର୍ଗଦ୍ବାର ଆଧୁନିକୀକରଣ କରାଯିବ। ସ୍ବର୍ଗଦ୍ବାର ଶବ ଦାହ ପାଇଁ ପିଣ୍ଡି ନିର୍ମିତ ହେବ। ଫିନିକ୍ସ ଫାଉଣ୍ଡେସନ୍‌ ନାମକ ସଂସ୍ଥା ପକ୍ଷରୁ ସ୍ବର୍ଗଦ୍ବାର ଭିତ୍ତିଭୂମି ବିକାଶ କରାଯିବ। ଏଠାରେ ଥିବା ବିଜୁ ବାବୁଙ୍କ ସମାଧି ସ୍ଥଳକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ସ୍ବର୍ଗଦ୍ବାର‌ରେ କେବଳ ବିଜୁ ବାବୁଙ୍କ ସ୍ମୃତି ଫଳକ ରହିବ। ସ୍ବର୍ଗଦ୍ବାରରେ ଶବ ଦାହ ପାଇଁ ମୋଟ ୧୪ଟି ପିଣ୍ଡି ନିର୍ମାଣ ହେବ। ସେଥିରୁ ପ୍ରଥମ ପର୍ଯ୍ୟାୟରେ ୭ଟି ପିଣ୍ଡି ନିର୍ମାଣ କରାଯିବ। ଏହାର ନିର୍ମାଣ ଶେଷ ହେବ ପରେ ଆଉ ୭ଟି ପିଣ୍ଡି ନିର୍ମାଣ ହେବ।

ସମ୍ବନ୍ଧିତ ଖବର