ବାଲେଶ୍ବର : ଘର ନଥିବାରୁ ପାଇଖାନାରେ ସଙ୍ଗରୋଧ

ବାଲେଶ୍ବର : ଘର ନ ଥିବାରୁ ପାଇଖାନାରେ ଅତି ଅସ୍ବାସ୍ଥ୍ୟକର ପରିବେଶରେ ସଂଗରୋଧରେ ରହୁଛନ୍ତି ଗଞ୍ଜାମ ଫେରନ୍ତା ଯୁବକ। ୩ ଦିନ ହେଲା ବଡ଼ ହନ୍ତସନ୍ତ ହେଉଛନ୍ତି। ସେ ହେଉଛନ୍ତି, ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ସରସ୍ବତୀପୁର ପଞ୍ଚାୟତ ସରକାରନଗର ଗ୍ରାମର ପ‌ରମେଶ୍ବର ବିନ୍ଧା‌ଣୀଙ୍କ ପୁଅ କାଳିଆ।

କାଳିଆ ଗତ ୪ ମାସ ତଳେ ଶ୍ରମିକ ଭାବେ କାର୍ଯ୍ୟ କରିବା ପାଇଁ ଗଞ୍ଜାମ ଯାଇଥିଲେ। ହେଲେ, ଲକ୍‌ଡାଉନ୍‌ ପାଇଁ ସେଠାରେ କାମ ବନ୍ଦ ହୋଇଯିବାରୁ ସେ ଭୋକ ଉପାସରେ ରହୁଥିଲେ। ଶେଷରେ ସେ ବାଧ୍ୟ ହୋଇ ଘରକୁ ଚାଲିଚାଲି ପଳାଇ ଆସିଥିଲେ। ଗତ ଶନିବାର ଦିନ ‌ଗାଁରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବସଙ୍ଗରୋଧରେ ରହିବାକୁ କୁହାଯାଇଥିଲା। କାଳିଆଙ୍କ ଘରର ଅବସ୍ଥା ଅତି ଦୟନୀୟ। ଭଙ୍ଗା ଛପର ଓ ପଲିଥିନ ଘେରା ଘରେ ସ୍ବତନ୍ତ୍ର ରହିବାକୁ ଜାଗା ନଥିବାରୁ ସେ ବାଧ୍ୟ ହୋଇ ପାଇଖାନା ଘରେ ରହୁଛନ୍ତି। ଏମିତି ବି ସେ ଭଙ୍ଗା ଘରେ ୧୨ ଜଣ ରହୁଛନ୍ତି।

ତେବେ ଏ ସଂପର୍କରେ ନାଏବ ସରପଞ୍ଚ ତଥା ସ୍ଥାନୀୟ ଵାର୍ଡ ମେମ୍ବର ମନୋଜ ସେଠୀଙ୍କୁ ପଚାରିବାରୁ, ସେ କାଳିଆଙ୍କ ସମ୍ପର୍କରେ ସରପଞ୍ଚ ଓ ବିଡିଓଙ୍କୁ ଜଣାଇଥିଲେ। ସରକାରୀ ନିଷ୍ପତ୍ତି ଅନୁସାରେ ଅନ୍ୟ ଜିଲ୍ଲାରୁ ଆସୁଥିବା ଲୋକ ଲକ୍ଷଣ ନ ଥିଲେ ସ୍ବସଂଗରୋଧରେ ରହିବେ। କିନ୍ତୁ ଘର ନ ଥିଲେ କେମିତି ରହିବେ ସେ ନେଇ କିଛି ନିଷ୍ପତ୍ତି ହୋଇ ନ ଥିଲା।
ବିଭିନ୍ନ ଅଞ୍ଚଳରେ ଏମିତି ଘଟଣା ଘଟିବା ପରେ ରାଜ୍ୟ ସରକାର ନିୟମରେ ପରିବର୍ତ୍ତନ କରିଛନ୍ତି। ଘରେ ବ୍ୟବସ୍ଥା ନ ଥିଲେ ସ୍ଥାନୀୟ ସଂଗରୋଧ କେନ୍ଦ୍ରରେ ସେମାନଙ୍କୁ ରଖାଯିବ। ପରିବର୍ତ୍ତିତ ନିଷ୍ପତ୍ତି ପୂର୍ବରୁ ସ୍ଥାନୀୟ ପ୍ରଶାସନ ଚାହିଁଥିଲେ କିଛି ବ୍ୟବସ୍ଥା କରିପାରି ନ ଥାନ୍ତା କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ସରକାର ନିକଟରେ ସରପଞ୍ଜମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି।

ସମ୍ବନ୍ଧିତ ଖବର