ସମ୍ବଲପୁର ବିଶ୍ବବିଦ୍ୟାଳୟରେ ରାଗିଂ!

ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ବିବାଦ ପିଛା ଛାଡ଼ୁନି। ଏବେ ରାଗିଂର ଏକ ସଦ୍ୟ ଅଭିଯୋଗ ଏହି ବିଶ୍ବବିଦ୍ୟାଳୟର ବିବାଦ ତାଲିକାରେ ଯୋଡ଼ି ହୋଇଯାଇଛି। ୨୦୨୨-୨୩ ଶିକ୍ଷା ବର୍ଷରେ ଏବେ ନୂତନ ଛାତ୍ରଛାତ୍ରୀ ସମ୍ବଲପୁର ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗରେ ଯୋଗ ଦେଇଛନ୍ତି। ବିଭିନ୍ନ ବିଭାଗ ତଥା ଛାତ୍ରାବାସରେ ସେମାନଙ୍କ ସ୍ବାଗତ ସମାରୋହ ଆୟୋଜନ କରା ଯାଉଛି। ଏଭଳି ସମୟରେ ବିଶ୍ଵବିଦ୍ୟାଳୟ ଅଧୀନସ୍ଥ ଗୋଲଡେନ୍‌ ଜୁବିଲି ଛାତ୍ରାବାସରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

ବୁଧବାର ରାତିରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଗୋଲ୍‌ଡେନ୍ ଜୁବିଲି ଛାତ୍ରବାସରେ ଏମ୍‌ବିଏ ବିଭାଗର ବରିଷ୍ଠ ଛାତ୍ରମାନେ ଗଣିତ ବିଭାଗ ପ୍ରଥମ ବର୍ଷର କିଛି ଛାତ୍ରଙ୍କୁ ଗାଳିଗୁଲଜ, ମାଡ଼ପିଟ କରି ରାଗିଂ କରିଥିବା ଅଭିଯୋଗ ହୋଇଛି। ଏହି ସମ୍ବନ୍ଧରେ ଛାତ୍ରାବାସର ଅଧୀକ୍ଷକ ଡ. ଜସ୍ମିର ନାଏକଙ୍କୁ ପଚାରିବାରୁ ସେ ଏହାକୁ ସ୍ୱୀକାର କରିଥିଲେ। ଅଭିଯୋଗ ମିଳିବା ପରେ ଦୁଇ ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି ଓ ଉକ୍ତ କମିଟି ତଦନ୍ତ ପରେ କୁଳପତିଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ଦେଇଥିଲେ। ଏ ସମ୍ବନ୍ଧରେ ଭାରପ୍ରାପ୍ତ କୁଳପତି ପ୍ରଫେସର ସଂଯୁକ୍ତା ଦାସଙ୍କୁ ପଚାରିବାରୁ ସେ ତଦନ୍ତକାରୀ କମିଟି ରିପୋର୍ଟ ଆସିବା ପରେ ଦୋଷୀ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଗୁରୁବାର ସେ ନିଜେ ସମସ୍ତ ଛାତ୍ରାବାସକୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ନିଜେ ରହୁଥିବା ଛାତ୍ରାବାସର ଅଧୀକ୍ଷକ ଏବଂ ୱାଡେନ୍‌ଙ୍କ ମୋବାଇଲ୍ ନମ୍ବର ରଖି କୌଣସି ଅସୁବିଧା ହେଲେ ଜଣାଇବାକୁ କହିଥିଲେ ବୋଲି କୁଳପତି ପ୍ର. ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର