ଆନନ୍ଦପୁର ପୌରପାଳିକା: ୧୦ ବର୍ଷରେ ବଦଳିଲେଣି ୧୬ ନିର୍ବାହୀ ଅଧିକାରୀ

ଆନନ୍ଦପୁର : ଆନନ୍ଦପୁର ପୌରପାଳିକାରେ ବାରମ୍ବାର ବଦଳୁଛନ୍ତି ନିର୍ବାହୀ ଅଧିକାରୀ। ଗୋଟିଏ ବର୍ଷରେ ଦୁଇତିନ ଜଣ ଲେଖାଏଁ ଅଧିକାରୀ ଦାୟିତ୍ବ ନେଉଛନ୍ତି। ବର୍ଷେ ନପୂରୁଣୁ ଆନନ୍ଦପୁର ପୌରନିର୍ବାହୀ ଅଧିକାରୀ ଲଳିତ କୁମାର ନାଏକଙ୍କ ବଦଳି ‌ହୋଇଛି। ଗତ ୧୦ବର୍ଷରେ ଆନନ୍ଦପୁର ପୌରପାଳିକାରେ ୧୬ଜଣ ନିର୍ବାହୀ ଅଧିକାରୀ ବଦଳିଥିବା ଜଣାପଡ଼ିଛି। ବାରମ୍ବାର ଅଧିକାରୀ ବଦଳୁଥିବାରୁ ପୌରପାଳିକାର ଉନ୍ନୟନ କାମ ବାଧାପ୍ରାପ୍ତ ହେଉଛି।

୨୦୧୨ ମେ ୩୧ରେ ଆନନ୍ଦପୁର ବିଡିଓ ମୁରଲୀଧର ସ୍ବାଇଁ ନିର୍ବାହୀ ଅଧିକାରୀ ଦାୟିତ୍ବ ନେଇଥିଲେ। ମା‌ତ୍ର ବର୍ଷକରେ ତାଙ୍କୁ ଦାୟିତ୍ବମୁକ୍ତ କରି ଦିଆଗଲା। ୨୦୧୩ ମେ ୨୭ରେ ତହସିଲଦାର ନମିତା ବିଶ୍ବାଳ ଅତିରିକ୍ତ ଦାୟିତ୍ବରେ ରହିଥିଲେ। ଏହାପରେ ଅଗଷ୍ଟ ୧୨ରେ ସତ୍ୟନାରାୟଣ ପ୍ରତିହାରୀ, ୨୦୧୫ ଫେବ୍ରୁଆରି ୧୨ରେ ଉପଜିଲ୍ଲାପାଳ ମହେଶ୍ବର ସ୍ବାଇଁ, ଏପ୍ରିଲ ୧୮ରେ ରାଜସ୍ବ ଅଧିକାରୀ ଦୀନମଣି ନାଏକ, ନଭେମ୍ବର ୨୧ରେ ରାଜସ୍ବ ବିଭାଗ ଅଧିକାରୀ କଳ୍ପନା ପଣ୍ଡା, ୨୦୧୬ ଏପ୍ରିଲ ୧୨ରେ ବିଡିଓ ଉମାକାନ୍ତ ପରିଡ଼ା, ୧୯ ଏପ୍ରିଲରେ ରାଜସ୍ବ ଅଧିକାରୀ କଳ୍ପନା ପଣ୍ଡା, ସେପ୍ଟେମ୍ବର ୧୭ରେ ଅତିରିକ୍ତ ତହସିଲଦାର ଦିବାକର ମାଝୀ, ୨୦୧୭ ଅଗଷ୍ଟ ୧୬ରେ ଭାଗବତ ପ୍ରସାଦ ମହାପାତ୍ର, ୨୦୧୮ ମାର୍ଚ୍ଚ ୫ରେ ରାଜସ୍ବ ଅଧିକାରୀ ପଞ୍ଚାନନ ନାୟକ, ମେ ୩ରେ ଭଗବତ ପ୍ରସାଦ ମହାପାତ୍ର, ସେପ୍ଟେମ୍ବର ୩୦ରେ ତହସିଲଦାର ତପନ କୁମାର ନାୟକ, ୨୦୧୯ ‌ଫେବ୍ରୁଆରି ୧୫ରେ ହିତାଂଶୁ ଶେଖର ସାମଲ, ୨୦୨୦ ଡିସେମ୍ବର ୧୨ରେ ବିପିନ କୁମାର ପ୍ରଧାନ ଓ ୨୦୨୨ ଜାନୁଆରି ୧୨ ତାରିଖରେ ଲଳିତ କୁମାର ନାଏକ ନିର୍ବାହୀ ଅଧିକାରୀଭାବେ ଯୋଗଦେଇ ଦାୟିତ୍ବ ତୁଲାଇଛନ୍ତି।

ମାତ୍ର ୧୦ ମାସ ନପୂରୁଣୁ ଶ୍ରୀ ନାଏକଙ୍କୁ ଦେବଗଡ଼ ଆସିଷ୍ଟାଣ୍ଟ କଲେକ୍ଟର ଭାବେ ବଦଳି କରାଯାଇଛି। ଅପରପକ୍ଷରେ ତାଙ୍କ ସ୍ଥାନରେ କାହାରିକୁ ନିଯୁକ୍ତି ଦିଆଯାଇ ନାହିଁ। ଏବେ ପୁଣି କ‌ାହାରିକୁ ଏହି ପଦବିରେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ ପୌରାଞ୍ଚଳର ବିକାଶ କିପରି ହେବ ବୋଲି ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି। ୧୪ ନମ୍ବର ୱାର୍ଡର ବାସିନ୍ଦା ତ୍ରିଲୋଚନ ସାହୁ କହିଛନ୍ତି, ଅଧ୍ୟକ୍ଷା, ଉପାଧ୍ୟକ୍ଷଠାରୁ ଆରମ୍ଭ କରି ସଂଖ୍ୟାଧିକ କାଉନସିଲର ଶାସକ ବିଜେଡି ଦଳର ହୋଇଥିବା ବେଳେ ବାରମ୍ବାର ପୌର ନିର୍ବାହୀ ଅଧିକାରୀଙ୍କୁ ବଦଳି କରି ପୌରସଂସ୍ଥାକୁ ଅଚଳ କରିବାକୁ ଉଦ୍ୟମ କରାଯିବା ଅତ୍ୟନ୍ତ ନିନ୍ଦନୀୟ। ଏହାଦ୍ବାରା ସମସ୍ୟା ଆହୁରି ବୃଦ୍ଧି ପାଇବ। ପୌରପାଳିକାରେ କର୍ମଚାରୀ ନିଯୁକ୍ତି ଦାବି ନେଇ କାଉନସିଲରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏପରିକି ଆନନ୍ଦପୁର ବନ୍ଦ ଡାକରା ସହ ସମୂହ ଇସ୍ତଫା ଧମକ ମଧ୍ୟ ଦେଇଥିଲେ। ଏବେ ନିର୍ବାହୀ ଅଧିକାରୀଙ୍କୁ ବଦଳି କରାଯିବାକୁ ନେଇ କାଉନସିଲରମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମାତ୍ର କେଇମାସ ମଧ୍ୟରେ ନିର୍ବାହୀ ଅଧିକାରୀଙ୍କ ବଦଳି ଅତ୍ୟନ୍ତ ଦୁଃର୍ଭାଗ୍ୟଜନକ ବୋଲି ପୌର ଉପାଧ୍ୟକ୍ଷ ଦୁର୍ଗାଚରଣ ଦଳେଇ କହିଛନ୍ତି। ଏହାର ପ୍ରତିବାଦରେ ଆସନ୍ତାକାଲି ବିଜେଡି କାଉନସିଲରମାନେ ଦଳୀୟ ହାଇକମାଣ୍ଡଙ୍କୁ ଭେଟୁଥିବା ସୂଚନା ମିଳୁଛି।

ସମ୍ବନ୍ଧିତ ଖବର