ଆରୁହା କଳାପଥର ଖାଦାନରେ ଚଢ଼ଉ, କଂପ୍ରେସର ଓ ଦୁଇ ଟିପର ଜବତ

ଧର୍ମଶାଳା : ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା(ଜାବରା) କଳାପଥର ଖାଦାନରେ ପ୍ରଶାସନ ପକ୍ଷରୁ ଶୁକ୍ରବାର ଦିନ ଚଢ଼ଉ କରାଯାଇ ବେଆଇନ ଭାବେ ପଥର ଖନନ କରୁଥିବା ଏକ କଂପ୍ରେସର ମେସିନ୍ ଓ କଳାପଥର ବୋଝେଇ ଦୁଇଟି ଟିପରକୁ ଜବତ କରାଯାଇଛି। ଧର୍ମଶାଳା ଥାନା ପୁଲିସ୍‌ ସହାୟତାରେ ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ ଓ ଆରଆଇ ବିରଞ୍ଚି ବୋଇତେଇ ଏଠାରେ ସଦଳବଳ ଚଢ଼ଉ କରିଥିଲେ। କଳାପଥର ପରିବହନ ପାଇଁ ଚାଳକ ଆବଶ୍ୟକ ଆର୍ ଫର୍ମ ଦେଖାଇ ନ ପାରିବାରୁ ଟିପର ଦୁଇଟିକୁ ଜବତ କରା ଯାଇଥିଲା। ଚଢ଼ଉ ସଂପର୍କରେ କେତେକ ଅସାଧୁ କର୍ମଚାରୀଙ୍କ ନିକଟରୁ ପ୍ରାକ୍ ସୂଚନା ପାଇ ପଥର ମାଫିଆ ସେମାନଙ୍କ ଗାଡ଼ି ଓ କାର୍ଯ୍ୟରତ ଶ୍ରମିକଙ୍କୁ ଖାଦାନରୁ ହଟାଇ ନେଇଥିଲେ। ଜବତ କଂପ୍ରେସର ଓ ଟିପର ଦୁଇଟିକୁ ଅଟକ ରଖାଯାଇଛି।

ପ୍ରକାଶ ଯେ, ଆରୁହା ପାହାଡ଼ରେ ଦୀର୍ଘବର୍ଷ ହେଲା ବେଆଇନ ଭାବେ କଳାପଥର ଖନନ ଓ ପରିବହନ ହୋଇ ଆସୁଛି। ଅସାବଧାନତା କାରଣରୁ ଏଠାରେ ୫ଜଣ ଶ୍ରମିକ ଓ ଜଣେ ଖାଦାନ ମାଲିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଶ୍ରମିକ ଅକର୍ମଣ୍ୟ ହୋଇଯାଇଛନ୍ତି। ଏ ସଂପର୍କରେ ସମ୍ବାଦରେ ଲଗାତର ଖବର ପ୍ରକାଶ ପାଇଆସୁଛି। ପ୍ରଶାସନ ପକ୍ଷରୁ ଏଠାରେ ବିଭିନ୍ନ ସମୟରେ ଚଢ଼ଉ ହେଉଥିଲେ ମଧ୍ୟ ଏହି ବେଆଇନ କାରବାରକୁ ରୋକିବାରେ ସଫଳ ହେଉନାହାନ୍ତି। ବେଆଇନ କଳାପଥର ଖନନ ଓ ଚୋରା ଚାଲାଣକୁ ରୋକିବା ପାଇଁ ଆରୁହା ପାହାଡରେ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରା ଯାଇଥିବା ବେଳେ ପାହାଡ଼ ଚତୁଃପାର୍ଶ୍ବ ରାସ୍ତାକୁ ଖୋଳି ଦିଆଯାଇଛି। ହେଲେ ମାଫିଆମାନେ ପ୍ରଶାସନର ଏହି କଟକଣାକୁ ଭୃକ୍ଷେପ ନକରି ଖାଲକୁ ପୋତି ପୂର୍ବଭଳି କଳାପଥର ଚୋରାଚାଲାଣ କରୁଛନ୍ତି। ଫଳରେ ରାଜ୍ୟ ସରକାରଙ୍କର ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି। ପ୍ରଶାସନ ପକ୍ଷରୁ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର