ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଫିସ୍‌ ସମେତ ୧୨ଟି ସ୍ଥାନରେ ଚଢ଼ଉ

ମିଳିଲାଣି ୨କୋଟିର ସମ୍ପତ୍ତି, ଚାଲିଛି ଯାଞ୍ଚ

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ବ୍ରହ୍ମପୁର ସର୍କଲ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ କୁମାର ପାଢ଼ୀଙ୍କ ଅଫିସ୍‌ ସମତେ ୧୨ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି। ସଂଧ୍ୟା ସୁଦ୍ଧା ଖବର ଲେଖାଯିବା ପର୍ଯ୍ୟନ୍ତ ଇଂ. ପାଢ଼ୀଙ୍କ ନାମରେ ପ୍ରାୟ ୨କୋଟି ଟଙ୍କାର ଘର, ମାର୍କେଟ କମ୍ପ୍ଲେକ୍ସ ଓ ପ୍ଲଟ୍‌ ରହିଥିବା ସୂଚନା ମିଳିଛି। ସେହିପରି ୯୯ହଜାର ଟଙ୍କା ନଗଦ ମିଳିଛି।

ବ୍ରହ୍ମପୁର ଭିଜିଲାନ୍ସ ଏସ୍.ପି. ମାୟାଧର ସ୍ବାଇଁଙ୍କ ତତ୍ତ୍ବାବଧାନରେ ଚଢ଼ଉ କରାଯାଇଛି। କୋର୍ଟପେଟା ଛକରେ ଥିବା ଅଧୀକ୍ଷଣ ଯନ୍ତ୍ରୀ ପାଢ଼ୀଙ୍କ ଅଫିସ୍‌ ସମେତ ଗଞ୍ଜାମରେ ଥିବା ଦୁଇଟି ଘର, ଖଲ୍ଲିକୋଟ ଡିମିରାରେ ଥିବା ଫାର୍ମ ହାଉସ୍‌, ହିଲପାଟଣାରେ ଥିବା ସପିଂ କମ୍ପ୍ଲେକ୍ସ, ଆମ୍ବପୁଆରେ ନିର୍ମାଣାଧୀନ କୋଠା, ପଙ୍କଲପଲ୍ଲୀରେ ଥିବା ନିର୍ମାଣାଧୀନ ଗୃହ ଏବଂ ଜୟ ପ୍ରକାଶନଗରରେ ରହୁଥିବା କଣ୍ଟ୍ରାକ୍ଟର୍‌ ସଚିନ ପାଢ଼ୀ, ଗୋସାଇଁ ନୂଆଗାଁର କଣ୍ଟ୍ରାକ୍ଟର୍‌ ସୀମାଞ୍ଚଳ ପାତ୍ର, ଗୋଦାବରୀଶନଗରରେ ରହୁଥିବା ସମ୍ପର୍କୀୟ ଅଶୋକ ପଣ୍ଡା, ଭିଆଇପି କଲୋନିରେ ଥିବା ଘର ଓ ଭୁବନେଶ୍ବର ନୟାପଲ୍ଲୀ ମେ‌ଟ୍ରୋ ରେସିଡେନ୍ସିରେ ଥିବା ଫ୍ଲାଟ୍‌ରେ ଚଢ଼ଉ କରାଯାଇଛି। ଯାଞ୍ଚ ସରି ନଥିବାରୁ ସମ୍ପତ୍ତି ତାଲିକାର ସବିଶେଷ ତଥ୍ୟ ହସ୍ତଗତ ହୋଇ ନାହିଁ। ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ବିଭାଗ ୨କୋଟି ଟଙ୍କାର ସମ୍ପତ୍ତି ତାଲିକା ପ୍ରସ୍ତୁତ କରିଛି। ଆହୁରି ୪ଟି ସ୍ଥାନରେ ଯାଞ୍ଚ ଜାରି ରହିଛି। ସେହିପରି ବ୍ୟାଙ୍କ ଜମା ହିସାବ ଓ ଲକର୍‌ଗୁଡ଼ିକ ଖୋଲିବା ପରେ ସମ୍ପତ୍ତି ପରିମାଣ ବୃଦ୍ଧି ପାଇବ ବୋଲି ଭିଜିଲାନ୍ସ ବିଭାଗ ଅନୁମାନ କରୁଛି।

ସମ୍ବନ୍ଧିତ ଖବର