ଲୁହାପଥର ଚାଲାଣ ବେଳେ ଚଢ଼ଉ: ୩ ହାଇୱା, ଗୋଟିଏ ଜେସିବି ଜବତ; ୩ ଗିରଫ

ଯୋଡା : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ ଅନ୍ତର୍ଗତ ନୟାଗଡ ରେଳ ସାଇଡିଂ ନିକଟରୁ ଆଜି ଲୁହାପଥର ଚୋରା ଚାଲାଣ କରାଯାଉଥିବାବେଳେ ବନବିଭାଗ ପକ୍ଷରୁ ୩ ଟି ହାଇୱା, ଗୋଟିଏ ଜେସିବି ଜବତ କରାଯିବା ସହିତ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଜାଙ୍ଗ ଗ୍ରାମର ମହେଶ୍ବର ମହାନ୍ତ, ଝାଡଖଣ୍ତ ରାଜ୍ୟ ଚାତ୍ରା ଜିଲ୍ଲା ରୋଜପୁର ଥାନା ଅନ୍ତର୍ଗତ କାହ୍ନାଖୁଡ ଗ୍ରାମର ପ୍ରକାଶ କୁମାର ସିଂହ ଓ ଛୋଟୁ କୁମାର ସିଂ।

ବନ ବିଭାଗର ସୂଚନା ଅନୁଯାୟୀ ଜବତ ହାଇୱା ଟ୍ରକ (ଜେଏଚ୦୨ଏକ୍ସ ୩୬୫୦, ଜେଏଚ୦୫ଏଲ ୭୭୦୮, ଜେଏଚ୦୨ଏଏଫ ୩୬୫୦) ଏବଂ ଏକ ଜେସିବି ମେସିନ (ଜେଏଚ୦୫ବିଏଲ ୨୩୩୫) ସହାୟତାରେ ଲୋଡିଂ କରି ନୟାଗଡ ରେଳ ସାଇଡିଂ ନିକଟରୁ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ସାଇଜଡ ଲୁହାପଥର ଚୋରା ଚାଲାଣ କରାଯାଉଥିଲା। ବନ ବିଭାଗ ଚଢ଼ଉ କରି ୩୦ ଟନ ସାଇଜଡ ଲୁହାପଥର, ତିନିଟି ହାଇୱା, ଗୋଟିଏ ଜେସିବି ଜବତ କରିଛି। ଏହି ଚଢଉ ବେଳେ ଚମ୍ପୁଆ ରେଞ୍ଜର ସଞ୍ଜୀବ କୁମାର ରାଉତ ଓ ବାମେବାରୀ ବନପାଳ ଜ୍ୟୋତିନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ। ଏ ନେଇ ବନ ବିଭାଗ ପକ୍ଷରୁ ୧୬୨/୨୧ରେ ଏକ ମାମଲା ରୁଜୁ କରାଯାଇଛି।

ଜିଲ୍ଲାରେ ବନ୍ଦ ଖଣିରୁ ଉତ୍ତୋଳନ କରି ପ୍ରଚୁର ଲୁହାପଥର ବିଭିନ୍ନ ସ୍ଥାନରେ ଗଚ୍ଛିତ ରଖାଯାଇ ତାହାକୁ ବାହାର ରାଜ୍ୟକୁ ଚାଲାଣ କରାଯାଉଛି। ଖଣି ବିଭାଗର କେତେକ ଅସାଧୁ କର୍ମଚାରୀ ଓ ଅଧିକାରୀ ଏବଂ ମାଫିଆଙ୍କ ମଧୁ ଚନ୍ଦ୍ରିକାରେ ଏଭଳି କାରବାର ସୁଗମ ହୋଇପାରିଛି। ଦିନେ କି ଦୁଇଦିନର କାରବାର ନୁହେଁ, ଏଭଳି ବର୍ଷ ବର୍ଷ ଧରି ମାଫିଆମାନେ କାରବାର ଚଳାଇଥିଲେ ହେଁ ଏହି କାରବାରକୁ ରୋକିବା ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। କେତେବେଳେ କେମିତି ନାମକୁ ମାତ୍ର ଚଢ଼ଉ କରାଯାଇ ମେସିନ ଆଦି ଲୋକଦେଖାଣିଆ ଭାବରେ ଜବତ କରାଯାଉଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର