ଟିଟିଲାଗଡ-ବିଜୟନଗରମ୍ ରେଳପଥ ପାଇଁ ଜମି ଅଧିଗ୍ରହଣ: ମିଳୁନି ଉଚିତ୍ ପ୍ରାପ୍ୟ, ଭୂଅର୍ଜନ ଅଧିକାରୀଙ୍କୁ ଭେଟିଲେ ଗ୍ରାମବାସୀ

ରାୟଗଡ଼ା: ଟିଟିଲାଗଡ-ବିଜୟନଗରମ୍ ତୃତୀୟ ରେଳପଥ ନିର୍ମାଣ ପାଇଁ ଚାଲିଛି ଜମି ଅଧିଗ୍ରହଣ ପ୍ରକ୍ରିୟା। ରେଳପଥ ପାଇଁ ରାୟଗଡ଼ା ତହସିଲ କୁଲଜିଙ୍ଗ ଗ୍ରାମର ୧୪ ଗ୍ରାମବାସୀ ଜମି ହରାଉଛନ୍ତି। ପ୍ରଶାସନ ନୋଟିସ୍ ପରେ ଜମି  ଅଧିଗ୍ରହଣ କରିଥିବା ବେଳେ ଉଚି୍‌ତ ପ୍ରାପ୍ୟ ମିଳୁନଥିବାରୁ କୁଲଜିଙ୍ଗ ଗ୍ରାମବାସୀ ଭୂଅର୍ଜନ ଅଧିକାରୀଙ୍କୁ ସାକ୍ଷାତ କରି ଉଚିତ୍ କ୍ଷତିପୂରଣ ପ୍ରଦାନ ଲାଗି ଦାବି କରିଛନ୍ତି।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଟିଟିଲାଗଡ-ବିଜୟନଗରମ୍ ତୃତୀୟ ରେଳପଥ ଲାଗି ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି ନାରାୟଣ ମିଶ୍ର। ଶ୍ରୀ ମିଶ୍ରଙ୍କୁ ଗ୍ରାମବାସୀ ସାକ୍ଷାତ କରି ଅଭିଯୋଗ ପତ୍ର ପ୍ରଦାନ କରିବା ସହ ସେଣ୍ଟ୍ ପିଚ୍ଛା ୬୦ହଜାର ଟଙ୍କା ପ୍ରଦାନ ନିମନ୍ତେ ଦାବି ଜଣାଇଛନ୍ତି। ଗ୍ରାମବାସୀଙ୍କ ଦାବିକୁ ସରକାରଙ୍କ ନିକଟକୁ ପଠାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। ଗତ ଅକ୍ଟୋବର ୧୫ ତାରିଖରେ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ-୨୦୧୩ ଅଧିନିୟମ ଧାରା-୨୩ ଅନୁଯାୟୀ ରେଲୱେ ଓ ଜିଲ୍ଳା ପ୍ରଶାସନ ପକ୍ଷରୁ ଜମିର ମୂଲ୍ୟ ଅଧିନିର୍ଣ୍ଣୟ କରାଯାଇଥିଲା।

ଡଙ୍ଗର-୨ କିସମର ଜମିର ଏକର ପିଚ୍ଛା ସରକାରୀ ମୂଲ୍ୟ ୬୦ ହଜାର ଟଙ୍କା ହିସାବରେ ଜମି ହରାଉଥିବା ପ୍ରତିଟି ବ୍ୟକ୍ତିଙ୍କୁ ତାଙ୍କର ଉଚିତ୍ ପ୍ରାପ୍ୟ ଗ୍ରହଣ କରିବା ପାଇଁ ଭୂଅର୍ଜନ ଅଧିକାରୀ ଡିସେମ୍ବର ୮ ତାରିଖ ସମୟ ଦେଇଥିଲେ। ଏଥିରେ ଏକର ପିଚ୍ଛା ନିର୍ଦ୍ଧାରିତ ଦରକୁ ମିଶାଇ ରେଡିୟାଲ ଦୂରତା, ଗଛ/ଫଳଗଛ, କୂପ/ପୋଖରୀ, ଶତ ପ୍ରତିଶତ ସୋଲାସିୟମ ସହ ଅତିରିକ୍ତ ଜମିର ମୂଲ୍ୟ ୧୨ ପ୍ରତିଶତ ପ୍ରକାରେ ୨ ବର୍ଷ ପାଇଁ ମୋଟ ପ୍ରାପ୍ୟ ପ୍ରଦାନ କରାଯାଉଛି।  ତେବେ କୁଲଜିଙ୍ଗ ଗ୍ରାମବାସୀ ଯୁଗ ଯୁଗରୁ ଅଧିଗ୍ରହଣ ହେବାକୁ ଥିବା ଜମିରେ ଚାଷ କରି ନିଜର ଜୀବନ ଜୀବିକା ମେଣ୍ଟାଇ ଆସୁଥିବା ବେଳେ କ୍ଷତିପୂରଣ ବାବଦକୁ ସେଣ୍ଟ୍ ପିଛା ୧୨୦୦ ଟଙ୍କା ପ୍ରଦାନ କରାଯାଉଥିବାରୁ କ୍ଷତି ସହିବାକୁ ପଡୁଥିବା ଅଭିଯୋଗ କରିଛନ୍ତି। ଜମି ଚାଲିଗଲେ ଜୀବନ ଜୀବିକା ହରାଇବା ଆଶଙ୍କା ଥିବାରୁ ସେଣ୍ଟ୍ ପିଚ୍ଛା ୬୦ ହଜାର ଟଙ୍କା ପ୍ରାପ୍ୟ ପ୍ରଦାନ କରିବାକୁ ଗ୍ରାମର ନବୀନ ହିମିରିକା, ସାମାରାଓ ହିମିରିକା, ରଘୁନାଥ ହିମିରିକା, ଗଙ୍ଗାଧର ହିମିରିକା, ସୁନ୍ଦାରାଓ ମିନାକା, ନାଇଡୁ ମିନାକା ପ୍ରମୁଖ ଦାବି କରିଛନ୍ତି।

 

ସମ୍ବନ୍ଧିତ ଖବର