ଡେଥ୍ କରିଡର୍‌ ‘ରେଳଧାରଣା’, ୨୫ ଦିନରେ ୮ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ଘଟଣା ପଛର କାରଣ ଖୋଜୁ ନାହିଁ ଜିଆର୍‌ପି

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ଗତ କିଛିଦିନ ମଧ୍ୟରେ ରେଳଧାରଣା ଏବଂ ଏହା ପାର୍ଶ୍ବରୁ କିଛି ଜଣା ଆଉ ଅଜଣା ବ୍ୟକ୍ତିଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ସବୁ ଘଟଣାକୁ ନେଇ ଜିଆର୍‌ପି ଥାନା ପକ୍ଷରୁ ଅପମୃତ୍ୟୁ ମାମଲା ରୁଜୁ ସହ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଦିଆଯାଉଛି। ହେଲେ ଘଟଣାଗୁଡ଼ିକ ଫାଇଲ୍‌ ତଳେ ରହିଯାଉଥିବା ବେଳେ ପୁଲିସ ନିଜ ଆଡ଼ୁ କୌଣସି ଖୋଳତାଡ଼ କରୁନାହିଁ। ଲଗାତାର ଭାବେ ରେଳଧାରଣାରୁ ମୃତଦେହ ମିଳିବା ଦୁର୍ଘଟଣା, ଆତ୍ମହତ୍ୟା ନା ହତ୍ୟା; ସେଇ ସଂଦେହ ସୃଷ୍ଟି ହୋଇଛି।

ସୂଚନା ଥାଉକି, ଦକ୍ଷିଣ-ପୂର୍ବ ଖଡ଼ଗପୁର ରେଳ ଡିଭିଜନ୍‌ ଅଧୀନରେ ଆସୁଥିବା ବା‌ଲେଶ୍ବର ଜିଲ୍ଲାରେ ଗୋଟିଏ ଜିଆର୍‌ପି ଥାନା ରହିଛି। ବାରିପଦା ଏବଂ ଜଳେଶ୍ବରଠାରେ ଦୁଇଟି ଜିଆର୍‌ପି ଫାଣ୍ଡି ଅଛି। ମାତ୍ର ଦିନକୁ ଦିନ ରେଳପଥ ଓ ଟ୍ରେନ୍‌ ସଂଖ୍ୟା ବଢ଼ୁଥିବା ସହ ବିଭିନ୍ନ କାରଣରୁ ଦୁର୍ଘଟଣା ଓ ଅପରାଧ ବଢ଼ୁଛି। ଆଇନ୍‌ଶୃଙ୍ଖଳା ସ୍ଥିତି ବିଗୁଡ଼ୁଛି। ମାତ୍ର ସେହି ତୁଳନାରେ ରେଳ ବିଭାଗ ବାଲେଶ୍ବର ଜିଆର୍‌ପି ଥାନା ଓ ୨ ଫାଣ୍ଡିକୁ ବଳିଷ୍ଠ କରାଇ ପାରିନାହାନ୍ତି। ଏହି ଥାନାରେ ଜଣେ ଇନ୍‌ସପେକ୍ଟର, ୨ ଜଣ ସବ୍‌ ଇନ୍‌ସପେକ୍ଟର, ୫ ଜଣ ଏଏସ୍‌ଆଇ, ୩ ଜଣ ହାବିଲ୍‌ଦାର, ୧୭ ଜଣ କନେଷ୍ଟବଳ ପଦ ରହିଛି। କିନ୍ତୁ, ବର୍ତ୍ତମାନ ଏଠାରେ ଇନ୍‌ସପେକ୍ଟର ପଦ ଫାଙ୍କା ପଡ଼ିଥିବା ବେଳେ ଏହି ଦାୟିତ୍ବ ୨ ଜଣ ସବ୍‌ ଇନ୍‌ସପେକ୍ଟର ସମ୍ଭାଳୁଛନ୍ତି। ସେହିପରି ଜଣେ ଏଏସ୍‌ଆଇ, ୨ ଜଣ ହାବିଲ୍‌ଦାର ଓ ୧୨ ଜଣ କନେଷ୍ଟବଳ ଥାନାରେ ଡ୍ୟୁଟି କରୁଥିବା ଦେଖିବାକୁ ମିଳିଛି। ଏତିକି ପୁଲିସ କର୍ମୀ ଲକ୍ଷ୍ମଣନାଥରୁ ରାଣୀତାଲ, ରୁପ୍‌ସାରୁ ବାଙ୍ଗିରିପୋଷି ଏବଂ ଟାଟାନଗରରୁ ବାଦାମପାହାଡ଼ ଯାଏ ଅଞ୍ଚଳ କଥା ବୁଝୁଛନ୍ତି।

ଅନ୍ୟପକ୍ଷରେ କେବଳ ବାଲେଶ୍ବର ରେଳଷ୍ଟେସନ୍‌କୁ ‌ଯଦି ଦେଖାଯିବ; ତାହେଲେ ଷ୍ଟେସନ୍‌ ଏବଂ ଷ୍ଟେସନ୍‌ଠାରୁ ଅଳ୍ପ ଦୂର ମଧ୍ୟରେ ଗତ ୨୬ ଦିନ ଭିତରେ ୭ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଅକ୍ଟୋବର ୧୪ ତାରିଖରେ ବାଲେଶ୍ବର ରେଳଷ୍ଟେସନ୍‌ ମାଲଗୋଦାମ ନିକଟ ଏକ ପରିତ୍ୟକ୍ତ ସ୍ଥାନରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଦେଖିବାକୁ ମିଳିଥିଲା। ଦେହରେ କୌଣସି ପୋଷାକ ନଥିବା ବେଳେ ଶରୀର ସାରା କ୍ଷତବିକ୍ଷତ ଚିହ୍ନ ଥିଲା। ହେଲେ ମୃତଦେହକୁ ଉଦ୍ଧାର କରିବା ପାଇଁ ସେ ସ୍ଥାନକୁ ଜିଆର୍‌ପି ଥାନା ପୁଲିସ ଯିବ କି ସ୍ଥାନୀୟ ସହଦେବଖୁଣ୍ଟା ଥାନା ପୁଲିସ ଯିବ; ଏହି ଦ୍ବନ୍ଦ୍ବ ଭିତରେ ଦୀର୍ଘ ୮ ଘଣ୍ଟା ବିତିଗଲା। ପରେ ସହଦେବଖୁଣ୍ଟା ଥାନା ପୁଲିସ ସେଠାକୁ ଯାଇ ଗଳିତ ମୃତଦେହକୁ ଜବତ କରିବା ସହ ତଦନ୍ତ କରିଥିଲା। ଘଟଣାକୁ ଇତିମଧ୍ୟରେ ୩ ସପ୍ତାହ ବିତିଯାଇଥିଲେ ହେଁ ସେହି ମୃତବ୍ୟକ୍ତି ଜଣକ କିଏ ଥିଲେ, କେଉଁ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଲା, ତାର ସୁରାକ ପୁଲିସ ଏପର୍ଯ୍ୟନ୍ତ ପାଇପାରିଲା ନାହିଁ।

ସେପଟେ ଏହି ସ୍ଥାନ ରେଳବାଇ ଜାଗା ହୋଇଥିଲେ ମଧ୍ୟ ଜିଆର୍‌ପି ଥାନା ପକ୍ଷରୁ କୌଣସି ପ୍ରକାର ତଦନ୍ତ କରା ନଯାଇ ଏହି ସ୍ଥାନ ତାଙ୍କ ଅଧୀନରେ ଆସୁନାହିଁ କହି ଖସିଯାଇଥିଲେ। ‌ଏହି ଘଟଣାର ଠିକ୍‌ ୫ ଦିନ ପରେ; ଅର୍ଥାତ୍‌ ଅକ୍ଟୋବର ୨୦ ତାରିଖ ଦିନ ବାଲେଶ୍ବର ସହର ଉପକଣ୍ଠରେ ଥିବା ଟିକିରାପାଳ ଓ ହଳଦୀପଦା ମଝିରେ ରେଳଲାଇନ୍‌ କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଟ୍ରେନ୍‌ରେ ‌କମରଠାରୁ ଶରୀର ଦୁଇଭାଗ ହୋଇଯାଇଥିବା ବେଳେ ଜିଆର୍‌ପି ପୁଲିସ ଏହି ‌ବ୍ୟକ୍ତି କିଏ ତଥା ସେଠାରେ ତାଙ୍କର ମୃତ୍ୟୁ କିପରି ହୋଇଛି; ତାହା ଜାଣିପାରିନି। ସମାନ ଭାବରେ ଅକ୍ଟୋବର ୨୫ ତାରିଖ ଦିନ ବାଲେଶ୍ବର ରେଳଷ୍ଟେସନ୍‌ ଏବଂ ଏହାର ଉଭୟ ପାର୍ଶ୍ବକୁ ୧ କିଲୋମିଟର ଦୂରତା ମଧ୍ୟରେ ଥିବା ରେଳଧାରଣାରୁ ୪ ଜଣ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।

ସେଥିରୁ ୨ ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟ ଦୁଇଜଣଙ୍କ ପରିଚୟ ମିଳି ପାରି ନଥିଲା। ଜିଆର୍‌ପି ଥାନା ପୁଲିସ ଏହି ୪ଟି ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଥିଲେ ମଧ୍ୟ ମୃତ୍ୟୁର କାରଣ ଏଯାଏ ଖୋଜି ପାଇପାରିନାହିଁ। ଦୁଇ ସପ୍ତାହ ପରେ ଆଜି ପୁଣି ସମାନ ଘଟଣା ଘଟିଛି। ସୋର-ମାର୍କୋଣା ମଝି ରେଳଧାରଣାରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଖଣ୍ଡବିଖଣ୍ଡିତ ଅବସ୍ଥାରେ ପଡ଼ିଥିବା ବେଳେ ଶରୀରରେ ଆଦୌ ପୋଷାକ ନଥିଲା। ଯେଉଁଭଳି ଭାବେ ଏହି ମୃତଦେହଟି ସେଠାରେ ପଡ଼ିଥିଲା, ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଖବର ପାଇ ଜିଆର୍‌ପି ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ବ୍ୟବ‌ଚ୍ଛେଦ ପାଇଁ ପଠାଇଛି। ସେହିପରି ବସ୍ତା-ହଳଦୀପଦା ମଝି ରେଳଧାରଣାରୁ ଆଉଜଣେ ଯୁବକଙ୍କର ମଧ୍ୟ ଶବ ଉଦ୍ଧାର କରାଯାଇଥିବା ଜଣାଯାଇଛି।
ଏପରି ଘଟଣା ଏବେ ବାଲେଶ୍ବର ଜିଲ୍ଲାରେ ବୃଦ୍ଧି ପାଉଥିବା ବେଳେ ଜିଆର୍‌ପି ଥାନା ପୁଲିସ ଏବଂ ରେଳ ବିଭାଗ ଏହାକୁ ଗୁରୁତର ସହ ନେବା ଉଚିତ। ବାଲେଶ୍ବର ଜିଆର୍‌ପି ଥାନାର ସମସ୍ତ ପୁଲିସ ପଦ ପୂରଣ କରିବା ସହ ଯେଉଁସବୁ ଘଟଣା ଦୁର୍ଘଟଣାଗୁଡ଼ିକ ବଢ଼ିଚାଲିଛି ତା’ର ତଦନ୍ତ ଠିକ୍‌ ଢଙ୍ଗରେ କରାଯାଉ ବୋଲି ବିଭିନ୍ନ ମହଲରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର