ଲଗାଣ ବର୍ଷା ଯୋଗୁଁ ବେହାଲ୍ କଳାହାଣ୍ଡି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡିବାସୀ ବେହାଲ ହୋଇ ପଡିଛନ୍ତି । ବର୍ଷା ଯୋଗୁଁ ମଣ୍ଡିରେ ଧାନ ଭିଜୁଥିବା ବେଳେ ବର୍ଷା ମାଡ଼ ଯୋଗୁଁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ପାଣି ପଶିବା ଯୋଗୁଁ ରୋଗୀମାନେ ନାକେଦମ୍ ହୋଇ ପଡ଼ିଥିଲେ । ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ମାଟିଘର ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି।

Metweather

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲାରେ ଗତକାଲି ଭବାନୀପାଟଣା ସଦର ବ୍ଲକ୍‌ରେ ୩୦ ମିମି ବର୍ଷା ହେଇଥିବା ବେଳେ ଆଜି ୧୫୦ ମି.ମି ବର୍ଷା ହୋଇଛି । କେସିଙ୍ଗା ବ୍ଲକରେ ଗତକାଲି ୧୦୨ ମି.ମି ବର୍ଷା ଓ ଆଜି ୧୦୪ ମି.ମି ବର୍ଷା, କର୍ଲାମୁଣ୍ଡା ବ୍ଲକ୍‌ରେ ଗତକାଲି ୫୫.୨ ମି.ମି ଓ ଆଜି ୭୦.୨ ମି.ମି, ମଦନପୁର ରାମପୁର ବ୍ଲକ୍‌ରେ ଗତକାଲି ୯୦ ମି. ମି ଓ ଆଜି ୭୧ ମି. ମି, ନର୍ଲା ବ୍ଲକ୍‌ରେ ଗତକାଲି ୮୧ ମି.ମି ଓ ଆଜି ୯୮ ମି.ମି , ଲାଞ୍ଜିଗଡ଼ ବ୍ଲକ୍‌ରେ ୭୯.୨ ମି. ମି ଓ ଆଜି ୬୯.୨ ମି.ମି, ଥିଆମୁଲ ରାମପୁର ବ୍ଲକ୍‌ରେ ଗତକାଲି ୫୩ ମି. ମି ଓ ଆଜି ୧୦୩ ମି.ମି ବର୍ଷା ହୋଇଛି । ଧର୍ମଗଡ଼ ବ୍ଲକ୍‌ରେ ଗତକାଲି ୩୨ ମି.ମି ଓ ଆଜି ୮୦ ମି.ମି ବର୍ଷା, ଜୁନାଗଡ଼ ବ୍ଲକରେ ଗତକାଲି ୩୩ ମି.ମି ଓ ଆଜି ୧୧୨ ମି.ମି, କଲମପୁର ବ୍ଲକରେ ଗତକାଲି ୩୯ ମି.ମି ଓ ଆଜି ୬୫.୩ ମି.ମି, ଜୟପାଟଣା ବ୍ଲକରେ ଗତକାଲି ୨ ମି.ମି ଓ ଆଜି ୧୫୫ ମି.ମି, କୋକସରା ବ୍ଲକରେ ଗତକାଲି ୧୮.୧ ମି.ମି ଓ ଆଜି ୭୮.୩ ମି.ମି ଏବଂ ଗୋଲାମୁଣ୍ଡା ବ୍ଲକରେ ଗତକାଲି ୧୭.୩ ମି.ମି ଓ ଆଜି ୧୧୮ ମି.ମି ବର୍ଷା ହୋଇଥିବା ସରକାରୀ ଭାବରେ ରେକର୍ଡ କରାଯାଇଛି ।

କଳାହାଣ୍ଡି ଜିଲ୍ଲାରେ ମଣ୍ଡି ମାନଙ୍କରେ ଧାନ ବିକ୍ରି ପାଇଁ ରହିଥିବା ଧାନ ଭିଜିବା ଯୋଗୁଁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି । ଭିଜା ଧାନ ଯୋଗୁଁ ମିଲର୍ସ୍ ମାନେ ଅଧିକ କଟନି ଛଟନୀ କରିଛନ୍ତି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲା ବ୍ୟାପି ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଲଗାଣ ବର୍ଷା ଯୋଗୁଁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନା ପରିସରରେ ବର୍ଷା ପାଣି ଯୋଗୁଁ ବିଭିନ୍ନ ୱାର୍ଡକୁ ପାଣି ପଶି ଯାଇଥିଲା ଫଳରେ ରୋଗୀମାନେ ପାଣି ଯୋଗୁଁ ନାକେଦମ ହୋଇପଡ଼ିଥିଲେ। ଭବାନୀପାଟଣା ସହରର ନ୍ୟୁ ଏଲଆଇସି କଲୋନୀ ଅଞ୍ଚଳରେ କ୍ୱାଟର ମାନଙ୍କରେ ପାଣି ପଶିବା ଦେଖାଯାଇଥିଲା । ଫଳରେ ପରିବାର ଲୋକେ ଜଳ ନିଷ୍କାସନ ପାଇଁ ଦହଗଞ୍ଜ ହୋଇଥିଲେ । ଭବାନୀପାଟଣା ସହରର ୱାର୍ଡ ନଂ ୧୯ ମଦନମୋହନ ପଡ଼ାର ଆର୍ତ୍ତ ଭାଟିଙ୍କ ମାଟିଘର ଭୁଶୁଡ଼ି ପଡ଼ିଥିଲା ଫଳରେ ପରିବାରର ପାଞ୍ଚ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଥିଲେ । ଜିଲ୍ଲାବ୍ୟାପି ଲଗାଣ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚୂଡାନ୍ତ ରିପୋର୍ଟ ମିଳିପାରିନାହିଁ ।

ସମ୍ବନ୍ଧିତ ଖବର