ଆସୁଛି ୨ଟି ଲଘୁଚାପ, ସେପ୍ଟେମ୍ବରର ପ୍ରଥମ ୩ ସପ୍ତାହ ସ୍ବାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା

ଭୁବନେଶ୍ବର : ସେପ୍ଟେମ୍ବର ଆରମ୍ଭରୁ ହିଁ ଚଳିତ ମାସରେ ରାଜ୍ୟରେ ଭଲ ବର୍ଷା ହେବ ବୋଲି ଆକଳନ କରାଯାଉଛି। ମାସର ପ୍ରଥମ ୩ ସପ୍ତାହ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ପ୍ରଥମ ୨ ସପ୍ତାହରେ ଦୁଇଟି ଲଘୁଚାପ ଏବଂ ତୃତୀୟ ସପ୍ତାହରେ ସକ୍ରିୟ ମୌସୁମୀ ଯୋଗୁଁ ରାଜ୍ୟରେ ଭଲ ବର୍ଷାର ସମ୍ଭାବନା ସୃଷ୍ଟି ହୋଇଛି। ସମ୍ଭବତଃ ସେପ୍ଟେମ୍ବର ମାସରେ ରାଜ୍ୟରେ ସ୍ବାଭାବିକ ବର୍ଷା ୨୪୨ ମିମିଠାରୁ ଅଧିକ ବର୍ଷା ହେବ ବୋଲି ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ଡ. ପଶୁପାଳକ କହିଛନ୍ତି, ବିଭିନ୍ନ ମଡେଲର ଆକଳନରୁ ୪ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରର ପୂର୍ବ ଭାଗରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇ ୫ ତାରିଖରେ ଲଘୁଚାପରେ ପରିଣତ ହେବ ବୋଲି ଜଣାପଡ଼ୁଛି। ୬ ତାରିଖରେ ଏହା ଉପକୂଳ ଅତିକ୍ରମ କରି ଛତିଶଗଡ଼ ଦେଇ ବିଦର୍ଭ ଆଡ଼କୁ ମୁହାଁଇବ। ଏହା ଫଳରେ ୫ ତାରିଖ ସଂଧ୍ୟାରୁ ଉପକୂଳ ଓ ଦକ୍ଷିଣ ଓଡ଼ିଶା‌ରେ ବର୍ଷା ଆରମ୍ଭ ହେବ। ୬ରୁ ୮ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୯ ତାରିଖରେ ବର୍ଷା କମିଯିବ। ତେବେ ମୌସୁମୀ ଟ୍ରଫ୍‌ର ପୂର୍ବ ଭାଗ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଥିବାରୁ କିଛି ନା କିଛି ବର୍ଷା ଲାଗି ରହିବ। ଫଳରେ ଆସନ୍ତା ସପ୍ତାହେ ଭିତରେ ସମୁଦାୟ ବର୍ଷାର ପରିମାଣ ପଶ୍ଚିମ ଓଡ଼ିଶାରେ ୮୦ ମିମି ଓ ଉପକୂଳ ଓଡ଼ିଶାରେ ୧୦୦ ମିମି ରହିବାର ସମ୍ଭାବନା ରହିଛି।

ଆକଳନ କରାଯାଉଛି ଯେ, ୧୧ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ଏହାପରେ ଏହାର ଗତିପଥ ଉପରେ ବିଭିନ୍ନ ମଡେଲର ଭିନ୍ନଭିନ୍ନ ଆକଳନ ରହିଛି। ତେବେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ସାରା ରାଜ୍ୟରେ ବର୍ଷା ହେବା ସହ ଉତ୍ତର ଓଡ଼ିଶାରେ ୯୦ ମିମି ଓ ଦକ୍ଷିଣ ଓଡ଼ିଶାରେ ୧୨୫ ମିମି ହେବାର ସଙ୍କେତ ମିଳୁଛି। କେତେକ ସ୍ଥାନରେ ଭାରି ଓ ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ। ଫଳରେ ହୀରାକୁଦ ସମେତ ସମସ୍ତ ଜଳଭଣ୍ଡାରର ଜଳପତ୍ତନରେ ମଧ୍ୟ ବୃଦ୍ଧି ଘଟିବ। ସେପ୍ଟେମ୍ବର ତୃତୀୟ ସପ୍ତାହରେ ସକ୍ରିୟ ମୌସୁମୀ ଯୋଗୁଁ ରାଜ୍ୟରେ ଭଲ ବର୍ଷା ହୋଇପାରେ ବୋଲି ପାଣିପାଗ ବିଷଶଜ୍ଞେମାନେ ଆକଳନ କରୁଛନ୍ତି।

ସମ୍ବନ୍ଧିତ ଖବର