୧୩ରୁ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଝଡ଼ବର୍ଷା

ଭୁବନେଶ୍ବର : ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ। ଗୋଟିଏ ଦୁଇଟି ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରି ପାର୍‌ ହୋଇଯିବ। ମାଲକାନଗିରି, ଭବାନୀପାଟଣା, ତାଳଚେର, ବଲାଙ୍ଗୀର, ଅନୁଗୁଳ ପ୍ରଭୃତି ସହରରେ ପ୍ରବଳ ତାତି ଅନୁଭୂତ ହେବା ସହ ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା ଏହି ସହରଗୁଡ଼ିକରେ ରେକର୍ଡ ହେବ। ଏହାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ। ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ହାଲକା ବର୍ଷା ସହ ଝଡ଼ବର୍ଷା ହୋଇପାରେ। ୧୫ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ା, ‌କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସହ ବଜ୍ରପାତର ଆଶଙ୍କା ରହିଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଓୟୁଏଟିର ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳନ ଆକଳନ କରିଛନ୍ତି ଯେ ବର୍ତମାନ ବାୟୁ ପ୍ରବାହ ଉତ୍ତର ପଶ୍ଚିମ ଦିଗରୁ ଓଡ଼ିଶା ଆଡ଼କୁ ପ୍ରବାହିତ ହେଉଛି। ତେଣୁ ତାପମାତ୍ରା ବଢ଼ିବ। ପରେ ଓଡ଼ିଶା ଉପରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ବଙ୍ଗୋପସାଗରୀୟ ପବନ ଦକ୍ଷିଣରୁ ରାଜ୍ୟକୁ ପ୍ରବାହିତ ହେବ। ପ୍ରଭାବରେ ଆସନ୍ତା ୧୬ ଓ ୧୭ ତାରିଖରେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ କୁଆପଥର ବର୍ଷା ହୋଇପାରେ। ହେଲେ ୧୪ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଦିନର ତାପମାତ୍ରା ୪ରୁ ୬ ଡିଗ୍ରି ବଢ଼ିବ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ରାତିରେ ଶିଶିରପାତ ହେବ। ଅନ୍ୟପକ୍ଷରେ ଗତକାଲି ଅପେକ୍ଷା ଆଜି କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି। ମାଲକାନଗିରିରେ ପୁଣିଥରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ତାଳଚେରରେ ୩୮.୧, ଭବାନୀପାଟଣା ୩୬.୮, ବଲାଙ୍ଗୀର ୩୬.୨, ଅନୁଗୁଳ ୩୬.୧ ରେକର୍ଡ ହୋଇଛି। ମୋଟ ୧୧ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିଲା। ଭୁବନେଶ୍ବରର ତାପମାତ୍ରା ୩୪.୭ ଡିଗ୍ରି ରହିଥିଲା। ରାତିର ତାପମାତ୍ରା ବି ୨ରୁ ୩ ଡିଗ୍ରି ବଢ଼ିଛି।

ସମ୍ବନ୍ଧିତ ଖବର