ରାଜଗାଙ୍ଗପୁରରେ ବନ୍ଦ ଘର ଭିତରୁ ୪ଜଣଙ୍କ ମୃତଦେହ ମିଳିବା ଘଟଣା: ଆସିଲା ଶବବ୍ୟବଚ୍ଛେଦ ରିପୋର୍ଟ

ରାଜଗାଙ୍ଗପୁର: ରାଜଗାଙ୍ଗପୁରରେ ଗତକାଲି ଗୋଟିଏ ପରିବାରର ୪ ଜଣଙ୍କର ଏକାସାଙ୍ଗରେ ମୃତ୍ୟୁ ହେବା ଘଟଣା ସମଗ୍ର ସହରରେ ଶୋକର ବାତାବରଣ ସୃଷ୍ଟି କରିଥିଲା। ୪ଜଣଙ୍କ ଏକାଠି ମୃତ୍ୟୁକୁ ନେଇ ବିଭିନ୍ନ ଖବର ସାମ୍ନାକୁ ଆସୁଥିବା ବେଳେ ଆଜି ୪ଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି।

ଏହି ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ୪ଜଣ (ବାପା, ମା’, ଦୁଇ ପିଲା)ଙ୍କ ମୃତ୍ୟୁ ଶ୍ୱାସରୁଦ୍ଧଜନିତ  କାରଣରୁ ହୋଇଛି। ଚାରିଜଣଙ୍କ ଶରୀରରେ କୌଣସି ବିଷକ୍ରିୟାର ଲକ୍ଷଣ ନଥିବା ଡାକ୍ତର ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ତେବେ, ଅଧିକ ତଥ୍ୟ ପାଇଁ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସୂଚନାଯୋଗ୍ୟ, ରାଜଗାଙ୍ଗପୁର ଆଇଟି କଲୋନୀରେ ଥିବା ପ୍ରମୋଦ ରାଉତଙ୍କ ଘରୁ ଗତକାଲି ଦୁର୍ଗନ୍ଧ ବାହାରିଥିଲ। ଏହି ଘରେ କାଂଶବାହାର ଗୋଆଲପଡାର ରଞ୍ଜିତ ପ୍ରସାଦ ପତ୍ନୀ କଳ୍ପନା ଓ ତାଙ୍କର ଦୁଇ ପୁଅଝିଅଙ୍କୁ ନେଇ ବେଶ କିଛି ଦିନ ହେବ ଭଡାରେ ରହୁଥିଲେ। ଦୁଇଦିନ ହେବ ଘରର କବାଟ ଭିତରପଟୁ ବନ୍ଦ ରହିବା ସହ ପ୍ରବଳ ଦୁର୍ଗନ୍ଧ ବାହାରିବାରେ ଲାଗିଥିଲା। ଏଥିରେ ଅତିଷ୍ଠ ହୋଇ ପାଖପଡ଼ୋଶୀ ପୁଲିସକୁ ସୂଚନା ଦେଇଥିଲେ।

ପୁଲିସ ଘଟଣାସ୍ଥଳକୁ ଆସିବା ପରେ ଭିତରେ ମୃତଦେହ ଥିବା ସନ୍ଦେହ କରି ମାଜିଷ୍ଟ୍ରେଟଙ୍କୁ ଖବର ଦେଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ଖୋଲାଯିବା ପରେ ପୂରା ପରିବାର ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ ଫୋରେନ୍‌ସିକ ଟିମର ସହାୟତାରେ ଉକ୍ତ ଘରୁ ରଞ୍ଜିତ ପ୍ରସାଦ, ପତ୍ନୀ କଳ୍ପନା, ୩ ବର୍ଷର ଝିଅ କନକ ଓ ଦେଢ଼ବର୍ଷର ପୁଅର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ଆଜି ସେମାନଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ଆସିଛି।

ସମ୍ବନ୍ଧିତ ଖବର