ରାଜଗାଙ୍ଗପୁର ଷ୍ଟେସନରେ ଟ୍ରେନ୍ ନ ରହିବା ଘଟଣାରେ ଷ୍ଟେସନମାଷ୍ଟର ନିଲମ୍ବିତ

ରାଜଗାଙ୍ଗପୁର : ଗତକାଲି ପାଟନାରୁ ବିଳାସପୁର ଯାଉଥିବା ସାପ୍ତାହିକ ସୁପରଫାଷ୍ଟ୍‌ ଟ୍ରେନ୍‌ (ନଂ ୨୨୮୪୪)ର ରାଜଗାଙ୍ଗପୁର ଷ୍ଟେସନ୍‌ରେ ରହଣି ଥିଲେ ହେଁ ସିଗନାଲ୍ ଦିଆଯାଇ ନଥିବା ହେତୁ ନ ଅଟକି ଚାଲିଯିବା ଘଟଣାରେ କାର୍ଯ୍ୟରେ ଅବହେଳା ହେତୁ ସୋମବାର ସଂପୃକ୍ତ ଷ୍ଟେସନମାଷ୍ଟରଙ୍କୁ ନିଲମ୍ବିତ କରାଯାଇଛି।  ଚକ୍ରଧରପୁର ଡିଭିଜନାଲ୍ ରେଲୱେ ମ୍ୟାନେଜର ରାଜଗାଙ୍ଗପୁର ଷ୍ଟେସନ୍ ମାଷ୍ଟର ଏସ.କେ.ମିଶ୍ରଙ୍କୁ ଆଜି ନିଲମ୍ବିତ କରିଛନ୍ତି।

ପାଟନାରୁ ବିଳାସପୁର ଯାଉଥିବା ସାପ୍ତାହିକ ସୁପରଫାଷ୍ଟ୍‌ ଟ୍ରେନ୍‌ର ରାଜଗାଙ୍ଗପୁର ଷ୍ଟେସନ୍‌ରେ ରହଣି ଥିଲା । କିନ୍ତୁ ଟ୍ରେନ୍‌ଟି ବିଳମ୍ବରେ ଅପରାହ୍‌ଣ ପ୍ରାୟ ୨ଟା ୨୫ରେ ଆସିଥିଲା। ତାହା ରାଜଗାଙ୍ଗପୁର ଷ୍ଟେସନାର ନଅଟକି ସମସ୍ତଙ୍କୁ ଚକିତ କରିଦେଇ ଦ୍ରୁତଗତିରେ ଅତିକ୍ରମ କରି ଯାଇଥିଲା। କ’ଣ ହେଲା, ‌ସାଧାରଣ ଲୋକେ କିଛି ବୁଝି ପାରି ନଥିଲେ। ତେବେ ଟ୍ରେନ୍‌ ଷ୍ଟେସନ୍‌ ଅତିକ୍ରମ କରିବା ପରେ ଷ୍ଟେସନ୍‌ କର୍ତ୍ତୃପକ୍ଷ ନିଜ ଭୁଲ ବୁଝି ପାରି ଟ୍ରେନ୍‌ଟିକୁ ଗରପୋଷରେ ଅଟକାଇ ଥିଲେ। ରାଜଗାଙ୍ଗପୁରରୁ ଏହି ଟ୍ରେନ୍‌ରେ ଯିବାକୁ ଟିକେଟ କାଟିଥିବା ୧୦୦ରୁ ଅଧିକ ଯାତ୍ରୀଙ୍କୁ ଇସ୍ପାତ ଏକ୍ସପ୍ରେସ୍‌ରେ ଗରପୋଷ ପଠାଯାଇଥିଲା। ପୁଣି ରାଜଗାଙ୍ଗପୁରରେ ଓହ୍ଲାଇବାକୁ ଥିବା ୫୦ରୁ ଅଧିକ ଯାତ୍ରୀଙ୍କୁ ସମ୍ବଲପୁର-ବନାରସ ଟ୍ରେନ୍‌ ଯୋଗେ ସେଇ ରଗପୋଷରୁ ପୁଣି ରାଜଗାଙ୍ଗପୁର ଅଣାଯାଇଥିଲା। ଏସବୁ ଭିତରେ ଯାତ୍ରୀମାନେ ନାହିଁ ନଥିବା ହଇରାଣରେ ଘାଣ୍ଟି ହୋଇଥିଲେ।

ଏ ସଂପର୍କରେ ଗତକାଲି ଷ୍ଟେସନ ମାଷ୍ଟର ଏସ୍‌.କେ. ମିଶ୍ରଙ୍କୁ ଯୋଗାଯୋଗ କରିବାରୁ, ସେ କହିଥିଲେ ଯେ ଏହା ସାପ୍ତାହିକ ଟ୍ରେନ୍‌ ହୋଇଥିବାରୁ ହଠାତ୍‌ ଜାଣି ହୋଇ ନ ଥିଲା। ଭୁଲ୍‌କ୍ରମେ ଟ୍ରେନ୍‌ ରହିବାକୁ ନିର୍ଦ୍ଦେଶ ଦେଇ ନଥିବାରୁ ଟ୍ରେନ୍‌ ଅଟକି ନ ଥିଲା।

ସମ୍ବନ୍ଧିତ ଖବର