ରମାଦେବୀ ବିଶ୍ବବିଦ୍ୟାଳୟ ୟୁଜି ଓ ପିଜି ପରୀକ୍ଷାଫଳ ପ୍ରକାଶ: ୟୁଜିରେ ଶ୍ବେତପଦ୍ମା ବିଶ୍ବବିଦ୍ୟାଳୟ ଟପର୍‌

ଭୁବନେଶ୍ବର : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ପରୀକ୍ଷା ଫଳ ପ୍ରକାଶ ପାଇଛି। ସ୍ନାତକ(ୟୁଜି)ରେ କଳା(ଅନର୍ସ)ରେ ପାସ୍‌ହାର ୯୧.୮୬% ଥିବା ବେଳେ କଳା ପାସ୍‌ରେ ୭୫.୧୩% କୃତକାର୍ଯ୍ୟ ହୋଇଛନ୍ତି। ବାଣିଜ୍ୟରେ ପାସ୍‌ହାର ୭୮.୩୩% ରହିଛି। ବିଜ୍ଞାନ (ଅନର୍ସ)ରେ ପାସ୍‌ହାର ୯୨.୧% ଓ ବିଜ୍ଞାନ ପାସ୍‌ରେ ୭୬.୪୭% ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ବିଭାଗ ଅନର୍ସରେ ପରୀକ୍ଷା ଦେଇଥିବା ୫୩୯୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୯୫୫ ଜଣ ପାସ୍‌ କରିଛନ୍ତି। କପି କରି ୬ ଜଣ ଏମ୍‌ପି ହୋଇଛନ୍ତି। ନୃତତ୍ତ୍ବ ବିଜ୍ଞାନ ଓ ଗଣିତ ବିଷୟରେ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଥିବା ୩୮୩ ଜଣଙ୍କ ମଧ୍ୟରୁ ୩୦୦ ଜଣ କୃତକାର୍ଯ୍ୟ ହୋଇଛନ୍ତି। ବିଜ୍ଞାନ ଅନର୍ସରେ ୧୦୫୦ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୯୬୭ ଜଣ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ଛାତ୍ରୀ ଶ୍ବେତପଦ୍ମା ତ୍ରିପାଠୀ ସିଜିପିଏ ୯.୫୬ ରଖି ଟପର୍‌ ହୋଇଛନ୍ତି। ଏଥିସହ ଅନ୍ୟାନ୍ୟ ବିଷୟଗୁଡ଼ିକରେ ମଧ୍ୟ ଟପର୍‌ ତାଲିକା ପ୍ରକାଶିତ ହୋଇଛି। ମୋଟ ୨୪ଟି ବିଷୟ ମଧ୍ୟରୁ ବିଶ୍ବବିଦ୍ୟାଳୟର ସ୍ନାତକ ଛାତ୍ରୀମାନେ ୧୫ଟି ବିଷୟରେ ଟପର୍‌ ହୋଇଛନ୍ତି।

ସେହିପରି ପିଜିରେ ପରୀକ୍ଷା ଦେଇଥିବା ୪୩୧ ଜଣ ଛାତ୍ରୀଙ୍କ ମଧ୍ୟରୁ ୩୯୬ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୧.୮୮% ହୋଇଛି। ଅର୍ଥନୀତି ବିଭାଗରେ ପରୀକ୍ଷା ଦେଇଥିବା ସମସ୍ତ ୪୭ ଜଣ ଛାତ୍ରୀ ପାସ୍‌ କରିଛନ୍ତି। ଗୃହ ବିଜ୍ଞାନରେ ସର୍ବାଧିକ ୯ ଜଣ ଛାତ୍ରୀ ଫେଲ୍‌ ହୋଇଛନ୍ତି। ବାୟୋଲୋଜି ବିଷୟରେ କ୍ରିଷ୍ଣା ପ୍ରିୟଦର୍ଶିନୀ ଟପର୍‌ ହୋଇଥିବା ବେଳେ ବାଣିଜ୍ୟରେ ଅମିଷା ମହାନ୍ତି, କମ୍ପ୍ୟୁଟର ସାଇନ୍ସରେ ଗାୟତ୍ରୀ ସାହୁ, ଅର୍ଥନୀତିରେ ସ୍ମୃତିରେଖା ସାହୁ, ଶିକ୍ଷାରେ ପୂଜା‌ରାଣୀ ପାତ୍ର, ଇଂରାଜୀରେ ପୁନମ୍‌ କୌର ଗାଲେ, ଜେଣ୍ଡର ଷ୍ଟଡିଜ୍‌ରେ ସମୀରା ସିଂ, ହିନ୍ଦୀରେ ରୋଜାଲିନ ପ୍ରଧାନ ଟପର୍‌ ହୋଇଛନ୍ତି। ଗୃହ ବିଜ୍ଞାନରେ ପଲ୍ଲବୀ ଗର୍ଦିଆ, ଇଣ୍ଡଷ୍ଟ୍ରିଆଲ ମାଇକ୍ରୋବାୟୋଲୋଜିରେ ସୁଜାତା ମିଶ୍ର, ଲାଇଫ୍‌ ସାଇନ୍ସରେ ପୂଜାରାଣୀ ସାହୁ, ଓଡ଼ିଆରେ ସୁଶ୍ରୀ ପଲ୍ଲବିତା ସାହୁ, ରାଜନୀତି ବିଜ୍ଞାନରେ ରଶ୍ମିତା ମହାରଣା ଓ ସାମାଜିକ ବିଜ୍ଞାନରେ ପୁନମ୍‌ କୌର୍‌ ଟପର୍‌ ହୋଇଛନ୍ତି। ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପରୀକ୍ଷା‌ ନିୟନ୍ତ୍ରକ ସରିତା ସୁପକାର, ପିଜି କାଉନସିଲ୍‌ ଅଧ୍ୟକ୍ଷା ସସ୍ମିତା ମହାନ୍ତି, ଉପ ପରୀକ୍ଷା ନିୟନ୍ତ୍ରକ ସୁଜାତା ମହାପାତ୍ର, ଲୋକ ସମ୍ପର୍କ ଅଧିକାରୀ ମାନସ ବେହେରା ପ୍ରମୁଖ ଆଜି ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ।

ସମ୍ବନ୍ଧିତ ଖବର