ଦୁଇ ଦିନ ରିମାଣ୍ଡରେ ଆସିବେ ରଂଜିତା

ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ଼
ସଂପର୍କୀୟ ଲେଖି ବାଲେଶ୍ୱର ଜେଲ୍‌ରେ ଭେଟିଥିଲେ ସୁଶୀଲ ଧଳସାମନ୍ତକୁ

କଟକ-ମହାନଦୀବିହାର : କଟକ ମହାନଗର ନିଗମର କର୍ପୋରେଟର ରଂଜିତା ବିଶ୍ୱାଳଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣିବ କଟକ ପୁଲିସ। ଆସନ୍ତାକାଲି ଏ ସଂକ୍ରାନ୍ତରେ ଅଦାଲତରେ ଆବେଦନ କରାଯିବ। ସୁଶାନ୍ତ ଧଳସାମନ୍ତକୁ ବି ୩ ଦିନ ରିମାଣ୍ଡରେ ଆଣିବାକୁ ପୁଲିସ ଆବେଦନ କରିଥିବା ବେଳେ ଯଦି ଉଭୟ ଏକ ସମୟରେ ରିମାଣ୍ଡରେ ଆସନ୍ତି ତେବେ ସେମାନଙ୍କୁ ମୁହାଁମୁହିଁ କରି ସତ ଓଗାଳିବାକୁ ପୁଲିସ ଯୋଜନା ରଖିଛି।

ରଂଜିତା ଏବେ ଚୌଦ୍ୱାର ଜେଲ୍‌ରେ ଥିବା ବେଳେ ତାଙ୍କ ସଂପର୍କରେ ଅନେକ ରୋଚକ ତଥା ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସୁଛି। ପୁଲିସ କହିବା ଅନୁଯାୟୀ ଧଳସାମନ୍ତ ଦୁଇ ଭାଇ ଜେଲରେ ଥିବା ବେଳେ ସେମାନଙ୍କର ବାହାରେ ଚାଲିଥିବା ଟଙ୍କା କାରବାର ରଂଜିତାଙ୍କ ଜରିଆରେ ନିୟନ୍ତ୍ରିତ ହେଉଥିଲା। ତେଣୁ ରଂଜିତାଙ୍କର ସମସ୍ତ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ଼ କରାଯାଉଥିବା ବେଳେ କେଉଁ ଉତ୍ସରୁ କେତେ ଟଙ୍କା କେଉଁ କାରଣ ପାଇଁ ତାଙ୍କ ଆକାଉଣ୍ଟକୁ ଆସିଛି, ତାହାର ଖୋଳତାଡ଼ କରାଯାଉଛି।

ଅନ୍ୟପଟେ ବିଜୟ ପାଲ ହତ୍ୟା ଉଦ୍ୟମ ଘଟଣାରେ ଏଯାଏ ଗୋଟିଏ ତଥ୍ୟ ସ୍ପଷ୍ଟ ହୋଇପାରି ନାହିଁ। ବିଜୟ ପାଲ, ବିଧାୟକ ଦେବାଶିଷ ସାମନ୍ତରାୟ, ଦୁଇ ପୁଲିସ ଅଧିକାରୀ ଏବଂ ଜଣେ ସାକ୍ଷୀଙ୍କୁ ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ରଂଜିତା ୩ଟି ପିସ୍ତଲ ଏବଂ ୬୦ ରାଉଣ୍ଡ ଗୁଳି ମିକୁ ଓରଫ ମୃତ୍ୟୁଞ୍ଜୟ ନାୟକକୁ ସଦା ନାୟକ ଜରିଆରେ ଦେଇଥିଲେ। କିନ୍ତୁ ମାଉଜର ଓ ଗୁଳି ରଂଜିତା ପାଖକୁ କିଭଳି ଆସିଲା, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

ରଂଜିତାଙ୍କୁ ନେଇ ଅନ୍ୟ ଏକ ଘଟଣା ମଧ୍ୟ ଏବେ ବେଶ୍‌ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ସୂଚନା ଅନୁଯାୟୀ ସୁଶୀଲ ଧଳସାମନ୍ତ ବାଲେଶ୍ୱର ଜେଲରେ ଥିବା ବେଳେ ରଂଜିତା ତାକୁ ଭେଟିବାକୁ ଏକାଧିକ ଥର ଭିତରକୁ ଯାଇଛନ୍ତି। ଜେଲ୍‌ର ଭିଜିଟର୍ସ ରେଜିଷ୍ଟର୍‌ରେ ରଂଜିତା ସ୍ୱାକ୍ଷର କରିବା ସହ ସୁଶୀଲଙ୍କୁ ନିଜର ଘନିଷ୍ଠ ସଂପର୍କୀୟ (ନିର୍ଦ୍ଦିଷ୍ଟ ସଂପର୍କ ଉଲ୍ଲେଖ କରି) ଭାବେ ଦର୍ଶାଇଛନ୍ତି। ସେହି ସଂପର୍କର ତଥ୍ୟ, ପ୍ରମାଣକୁ ନେଇ ମଧ୍ୟ ପୁଲିସ୍‌ ଖୋଳତାଡ ଆରମ୍ଭ କରିଛି।

ଧଳସାମନ୍ତ ଭ୍ରାତାଙ୍କ ବିରୋଧରେ ଚାର୍ଜଫ୍ରେମ୍‌

କଟକ : ବହୁ ଚର୍ଚ୍ଚିତ ଦୀପୁ ଓରଫ୍‌ ମନୋଜ ମଲ୍ଲିକ ଓ ଓମ୍‌ ଓରଫ୍‌ ଓମ୍‌ ପ୍ରକାଶ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଆଜି କଟକ ଜିଲ୍ଲା ଓ ଦୌରା ଜଜ୍‌ ସତ୍ୟନାରାୟଣ ମିଶ୍ରଙ୍କ ଇଜିଲାସରେ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ସହିତ ସେମାନଙ୍କ ସହଯୋଗୀଙ୍କ ବିରୋଧରେ ଚାର୍ଜଫ୍ରେମ୍‌ ହୋଇଛି। ଉଭୟ ମାମଲାରେ ଆଇପିସିର ଦଫା ୩୬୪, ୩୦୨, ୨୦୧, ୩୪ ଓ ଆର୍ମସ୍‌ ଆକ୍ଟର ଧାରା ୨୫(୧-କ)ରେ ଧଳସାମନ୍ତ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍‌ କରାଯାଇଛି। ଦୀପୁ ଓ ଓମ୍‌ ହତ୍ୟାକାଣ୍ଡ ମାମଲାକୁ ଗୋଟିଏ ମାମଲା ଭାବେ ଗ୍ରହଣ କରି ବିଚାର କରିବା ପାଇଁ ଧଳସାମନ୍ତଙ୍କ ପକ୍ଷରୁ ଦାଖଲ ଆବେଦନକୁ ଅଦାଲତ ଖାରଜ କରିବା ପରେ ଆଜି ଚାର୍ଜଫ୍ରେମ୍‌ କରାଯାଇଛି।

ସମ୍ବନ୍ଧିତ ଖବର