ଆବେଦନପତ୍ର ଯାଞ୍ଚ ପ୍ରକ୍ରିୟାକୁ ନେଇ ପ୍ରଶ୍ନ : ରେଭେନ୍ସାରେ ପାଳନ ହେଉନି ସାମାଜିକ ଦୂରତ୍ୱ ନିୟମ

କଟକ : ବିଭିନ୍ନ ପ୍ରସଙ୍ଗକୁ ନେଇ ବାରମ୍ବାର ବିବାଦକୁ ଆସୁଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ବର୍ତ୍ତମାନ କରୋନା ମହାମାରୀର ମୁକାବିଲା ପାଇଁ ବିଭିନ୍ନ ସତର୍କତା ଆଉ ସମାଜିକ ଦୂରତ୍ବ ନିୟମକୁ ସରକାର ଗୁରତ୍ବ ଦେଉଥିବା ବେଳେ କର୍ତ୍ତୃପକ୍ଷ ତାହାର ବି ବାରମ୍ବାର ନଜର ଅନ୍ଦାଜ କରିବା ଘଟଣା ବିଭିନ୍ନ ମହଲରେ ପ୍ରତିକ୍ରିୟାର କାରଣ ହୋଇଛି। ବିଶ୍ବବିଦ୍ୟାଳୟର ବିଭିନ୍ନ ପଦବି ପୂରଣ ପାଇଁ ଆସିଥିବା ଆବେଦନପତ୍ରର ଯାଞ୍ଚ ବ୍ୟବସ୍ଥାରେ ଏହି ନିୟମର ଖୋଲା ଉଲ୍ଲଂଘନକୁ ନେଇ ଅଧ୍ୟାପକ-ଅଧ୍ୟାପିକା ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି। ଅନ୍ୟପଟେ ଏହି ଯାଞ୍ଚ ପ୍ରକ୍ରିୟାକୁ ନେଇ ମଧ୍ୟ ଏବେ ପ୍ରଶ୍ନ ଉଠିଛି। ରେଭେନ୍ସାର ଅନେକ ଅଧ୍ୟାପକ ଓ ଅଧ୍ୟାପିକା ବିଭିନ୍ନ ପଦ ପାଇଁ ଆବେଦନ କରିଛିନ୍ତି। ଯାଞ୍ଚ କାମରେ ବିଶ୍ବବିଦ୍ୟାଳୟର ଅଧ୍ୟାପକଙ୍କୁ ନିୟୋଜିତ କରାଯାଇଥିବାରୁ ଏବେ ସଂପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟା ଉପରେ ଅଙ୍ଗୁଳି ଉଠିଛି। କରୋନା ମହାମାରୀ ପରିସ୍ଥିତି ମଧ୍ୟରେ କିପରି ପଦବିଗୁଡିକ ପୂରଣ ପାଇଁ ସାକ୍ଷାତକାର ହେବ, ତାହା ଏବେ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି। ପଦବି ପାଇଁ ‌ରାଜ୍ୟ ତଥା ଦେଶ ବାହାରୁ ଅନେକ ଆବେଦନ କରିଥିବା ବେଳେ ସେମାନେ ଏହି ସାକ୍ଷାତକାରରେ ଭାଗ ନେଇ ପାରିବେ କି ନାହିଁ, ତାହାକୁ ନେଇ ଆଶଙ୍କା ମଧ୍ୟ ରହିଛି।

ବିଶ୍ବବିଦ୍ୟାଳୟ‌ରେ ଦୀର୍ଘଦିନ ଧରି ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନଥିବାରୁ ଶିକ୍ଷାଦାନରେ ସମସ୍ୟା ଦେଖାଯାଉଥିବା ଅଭିଯୋଗ ହୋଇ ଆସୁଥିଲା। ସମସ୍ୟାର ସମାଧାନ କରିବାକୁ ଗତ ଜାନୁଆରି ୭ ତାରିଖରେ ସ୍ଥାୟୀ ଅଧ୍ୟାପକ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞାପନରେ ୧୭୯ଟି ସ୍ଥାୟୀ ଆସିଷ୍ଟାଣ୍ଟ୍‌ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ପ୍ରଫେସର ପଦବି ପାଇଁ ସୂଚନା ଥିଲା। ଫେବ୍ରୁଆରି ୧୦ ସୁଦ୍ଧା ଅନ୍‌ଲାଇନ୍‌ରେ ଓ ୧୮ ସୁଦ୍ଧା ଅଫ୍‌ଲାଇନ୍‌ରେ ଆବେଦନ କରିବାକୁ କୁହାଯାଇଥିଲା। ଏଥିରେ ୩ହଜାରରୁ ଅଧିକ ଅନ୍‌ଲାଇନ୍‌ରେ ଓ ୨୯୩୭ଜଣ ଅଫ୍‌ଲାଇନ୍‌ରେ ଆବେଦନ କରିଛନ୍ତି। ପଦବି ପାଇଁ ଓଡ଼ିଶାରୁ ତଥା ଦେଶ ଓ ଦେଶ ବାହାରୁ ଅନେକ ଆବେଦନ କରିଛନ୍ତି। ଆବେଦନପତ୍ରଗୁଡ଼ିକର ଯାଞ୍ଚ ପ୍ରକ୍ରିୟା କାମ କୁଳପତିଙ୍କ ସମ୍ମିଳନୀ କକ୍ଷରେ ବିଶ୍ବବିଦ୍ୟାଳୟର ୪୦ରୁ ଅଧିକ ଅଧ୍ୟାପକଙ୍କୁ ନେଇ କରାଯାଉଛି। କରୋନା ସଂକ୍ରମଣ ପାଇଁ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଏଠାରେ ଏହି ନିୟମ ପାଳନ କରାଯାଉ ନଥିବା ଅଭିଯୋଗ ହୋଇଛି। ରେଭେନ୍ସା ସହିତ ଜଡ଼ିତ ଥିବା ବହୁ ଅଧ୍ୟାପକ ଯାଞ୍ଚ ପ୍ରକ୍ରିୟାରେ ସାମିଲ ଥିବାବେଳେ ନିକଟରେ ବିଶ୍ବବିଦ୍ୟାଳୟରୁ ଅବସର ନେଇଥିବା ଜଣେ ପ୍ରଫେସରଙ୍କୁ ଏହାର ସଂଯୋଜକ ଭାବେ ନିଯୁକ୍ତି କରାଯାଇଛି। ତେବେ ବିଶ୍ବବିଦ୍ୟାଳୟର ଅନେକ ଅଧ୍ୟାପକ ଓ ଅଧ୍ୟାପିକା ବିଭିନ୍ନ ପଦବି ପାଇଁ ଆବେଦନ କରିଥିବାବେଳେ ଏହି ଯାଞ୍ଚ ପ୍ରକ୍ରିୟାରେ ପକ୍ଷପାତ କରାଯିବା ନେଇ ଅନେକ ଆଶଙ୍କା କରୁଛନ୍ତି।

କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ କଟକଣା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜାରି କରିଛନ୍ତି। ଏପରି ପରିସ୍ଥିତିରେ ରେଭେନ୍ସାର ଖାଲି ପଡିଥିବା ପଦବି ପୂରଣ ପାଇଁ କିପରି ସାକ୍ଷାତକାର କରାଯିବ, ଏହା କେବଳ ସମୟ କହିବ। ଅପରପକ୍ଷରେ ବିଶ୍ବବିଦ୍ୟାଳୟରେ ଆବେଦନପତ୍ର ଯାଞ୍ଚ ପ୍ରକ୍ରିୟା ସାମାଜିକ ଦୂରତ୍ବ ନିୟମକୁ ପାଳନ କରାଯାଉଛି ବୋଲି କୁଳପତି ପ୍ରଫେସର ଇଶାନ ପାତ୍ର କହିଛନ୍ତି। ଯାଞ୍ଚ ପ୍ରକ୍ରିୟାରେ ଯେଉଁମାନେ ନିୟୋଜିତ ହୋଇଛନ୍ତି, ସେମାନେ ପଦବି ପାଇଁ ଆବେଦନ କରି ନାହାନ୍ତି କିମ୍ବା ସେମାନଙ୍କ ବିଭାଗର ଆବେଦନପତ୍ରକୁ ସେମାନଙ୍କୁ ଯାଞ୍ଚ କରିବାକୁ ଦିଆଯାଇ ନାହିଁ। ଏବେ ଯାଞ୍ଚ କାମ କରାଯାଉଥିବା ବେଳେ କରୋନା ସ୍ଥିତି ସ୍ବାଭାବିକ ହେଲେ ସାକ୍ଷାତକାର କରାଯିବ ବୋଲି କୁଳପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର