ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଚିକିତ୍ସାବିତ୍ ପ୍ରଫେସର ଡା. ସନାତନ ରଥ ଆଉ ନାହାନ୍ତି

କଟକ : ରାଜ୍ୟରେ ସ୍ନାୟୁ ଶଲ୍ୟ (ନ୍ୟୁରୋ ସର୍ଜରି) ଚିକିତ୍ସା ବ୍ୟବସ୍ଥାର ଜନକ, ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଚିକିତ୍ସାବିତ୍ ପ୍ରଫେସର ଡାକ୍ତର ସନାତନ ରଥଙ୍କର ପରଲୋକ ଘଟିଛି। ଆଜି ଦିନ ପ୍ରାୟ ୧୦ଟା ବେଳେ କଟକ ତୁଳସୀପୁର କନିକାଛକସ୍ଥିତ ତାଙ୍କ ବାସଭବନରେ ୮୭ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ୬ ମାସ ପୂର୍ବରୁ ସେ ଜିହ୍ବା-ମୁଖ ଗହ୍ବର କର୍କଟରେ ପୀଡ଼ିତ ହୋଇଥିଲେ। କିନ୍ତୁ ଅସ୍ତ୍ରୋପଚାର ପରେ ସେଥିରୁ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଲଙ୍ଗ୍‌ସ (ଫୁସଫୁସ୍‌) ଜନିତ ସମସ୍ୟା ଦେଖା ଦେଇଥିଲା। ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ।

ପ୍ରଫେସର ରଥ ଏସ୍‌ସିବି ମେଡିକାଲ କଲେଜ ନ୍ୟୁରୋସର୍ଜରି ବିଭାଗର ମୁଖ୍ୟ, ଏସ୍‌ସିବି ମେଡିକାଲ କଲେଜର ପ୍ରିନ୍ସିପାଲ ଓ ରାଜ୍ୟର ଡିଏମ୍‌ଇଟି ଭଳି ଚିକିତ୍ସା ବିଭାଗରେ ବହୁ ଗୁରୁଦାୟିତ୍ବ ତୁଲାଇବା ସହିତ ନ୍ୟାସନାଲ ନ୍ୟୁରୋଲୋଜିକାଲ ସୋସାଇଟି ଅଫ୍‌ ଇଣ୍ଡିଆର ସଭାପତି, ଓଡ଼ିଶା କ୍ୟାନସର ଫାଉଣ୍ଡେସନ ଟ୍ରଷ୍ଟର ସଭାପତି ଭଳି ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବିରେ କାର୍ଯ୍ୟ କରି ଆସିଥିଲେ।

ସେ ୧୯୩୪ ସେପ୍ଟେମ୍ବର ୧୭ ତାରିଖରେ କଟକ ଜିଲ୍ଲା ନରସିଂହପୁର ବ୍ଲକ୍‌ର ଆତଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ୧୯୫୭ରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଏମ୍‌ବିବିଏସ୍‌ ଡିଗ୍ରି ହାସଲ କରିଥିଲେ। ୧୯୬୨ରେ ପାଟନା ବିଶ୍ବବିଦ୍ୟାଳୟର ସର୍ଜରି ବିଭାଗରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ। ଏହାପରେ ୧୯୬୫ରେ ସେ ଭେଲୋର୍‌ ମେଡିକା‌ଲ୍‌ କଲେଜ୍‌ରୁ ନ୍ୟୁରୋସର୍ଜରିରେ ସ୍ନାତକୋତ୍ତର କରିଥିଲେ। ୧୯୬୫ରେ କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜରେ ସେ ସହକାରୀ ପ୍ରଫେସର୍‌ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଏସସିବିରେ ସ୍ବତନ୍ତ୍ର ନ୍ୟୁରୋ ସର୍ଜରି ବିଭାଗ ପ୍ରତିଷ୍ଠା କରିବାର ଶ୍ରେୟ ପ୍ରଫେସର ରଥଙ୍କ ନିକଟକୁ ଯାଏ। ଜାପାନ ସରକାର ସହାୟତାରେ ୧୯୮୧ରେ ସେ ବିଭାଗକୁ ପ୍ରଥମ ସିଟି ସ୍କାନ ମେସିନ ଆଣିଥିଲେ। ୧୯୯୧ ମସିହାରେ ଡକ୍ଟର ରଥ ଡିଏମ୍‌ଇଟି ଭାବେ କାର୍ଯ୍ୟ କରିବା ପରେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ। ଡାକ୍ତର ରଥ ଅନେକ ବିରଳ ଅସ୍ତ୍ରୋପଚାର କରିଥିଲେ। ବିଭିନ୍ନ ରାଷ୍ଟ୍ରକୁ ‌ଯାଇ ସେ ୯ରୁ ଅଧିକ ଥର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ଚିକିତ୍ସିକ ସମ୍ମିଳନୀରେ ଯୋଗ ଦେବାର ଗୌରବ ଅର୍ଜନ କରିଥିଲେ। ସେ ୧୦୦ରୁ ଅଧିକ ଚିକିତ୍ସା ସମ୍ବନ୍ଧୀୟ ପ୍ରବନ୍ଧ ରଚନା କରିଛନ୍ତି। ତାଙ୍କ ଦ୍ବାରା ପ୍ରସ୍ତୁତ ‘ବ୍ରେନ ଟ୍ୟୁମର’ ଓ ‘ଏପିଲେପ୍ସି ’ ନାମକ ଦୁଇଟି ଚିକିତ୍ସା ସମ୍ବନ୍ଧୀୟ ଡକ୍ୟୁମେଣ୍ଟାରି ବ୍ୟାପକ ଭାବେ ଆଦୃତ ହେବା ସହିତ ପୁରସ୍କାର ଲାଭ କରିଥିଲା। ସେ ରାଜ୍ୟରେ ତଥା ରାଜ୍ୟ ବାହାରେ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଆଉ ସମ୍ବର୍ଦ୍ଧିତ ହୋଇଥିଲେ। ସେ ଅଳ୍ପ କିଛି ମାସ ପୂର୍ବରୁ ଅସୁସ୍ଥ ହୋଇ ପଡିଥିଲେ ବି ଚିକିତ୍ସା କ୍ଷେତ୍ରରେ ସକ୍ରିୟ ରହିବା ସହିତ କଟକର ଏକାଧିକ ସାମାଜିକ, ସାଂସ୍କୃତିକ ସଂଗଠନ ସହିତ ସଂପୃକ୍ତ ରହିଥିଲେ।

ପ୍ରଫେସର ରଥଙ୍କ ମରଶରୀରକୁ ପୁରୀ ସ୍ବର୍ଗଦ୍ବାର ନିଆଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଛି। ତାଙ୍କର ଏକମାତ୍ର ପୁଅ ମୁଖାଗ୍ନି ଦେଇଛନ୍ତି। ତାଙ୍କର ପତ୍ନୀ ସୁଷମା ରଥ, ପୁଅ ସଂଜିତ କୁମାର ରଥ, ଦୁଇ ଝିଅ ସସ୍ମିତା ଓ ସଂଗୀତା ଅଛନ୍ତି। ତାଙ୍କର ବଡ଼ ଜ୍ବାଇଁ ଡାକ୍ତର ବିଷ୍ଣୁଚରଣ ପାଣିଗ୍ରାହୀ ଭୁବନେଶ୍ବର କିମ୍‌ସ ମେଡିକାଲ କୋଭିଡ ହସ୍ପିଟାଲର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ବେଳେ ସାନ ଝିଅ ପରିବାର ସହିତ ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଛନ୍ତି।

ଜଷ୍ଟିସ୍‌ ଏ ଏସ୍‌. ନାଇଡୁ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ପ୍ରଫେସର ଡାକ୍ତର କୃପାସିନ୍ଧୁ ପଣ୍ଡା, ଅଶ୍ବିନୀ ହସ୍ପିଟାଲର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ମାୟା ଗନ୍ତାୟତ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ସରୋଜ ସିଂହ, ଇଂଜିନିୟର ପ୍ରଭାକର ସ୍ବାଇଁ, ବିଷ୍ଣୁମୋହନ ଦାସସାମନ୍ତ, ଡାକ୍ତର ରବିରଂଜନ ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର