ଭଞ୍ଜନଗର : ‘ରୋଗ ହେଲେ ମରିବୁ କି ନାହିଁ ଜାଣିନୁ, ହେଲେ ଏମିତି ଚାଲିଲେ ଦିନେ ନା ଦିନେ ଭୋକରେ ନିଶ୍ଚିତ ଭାବେ ମରିଯିବୁ।’ ଏଭଳି କୋହଭରା ଆବେଗ ହେଉଛି, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ପ୍ରମୁଖ ବ୍ୟବସାୟ ସ୍ଥଳ ଏନ୍ଏସି ମାର୍କେଟ୍ କମ୍ପ୍ଲେକ୍ସ୍ ବାରଣ୍ଡାରେ ଲେମ୍ବୁ ବିକୁଥିବା ବୃଦ୍ଧା ରେବତୀ ନାଇକଙ୍କର।
ରେବତୀଙ୍କ ବୟସ ୭୭। କାନକୁ ଭଲ ଶୁଭୁ ନଥିବା ବେଳେ ଦୀର୍ଘ ୫୦ ବର୍ଷ ହେଲା ସେ ଲେମ୍ବୁ ବିକି ପରିବାର ପ୍ରତିପୋଷଣ କରୁଛନ୍ତି। ସଭିଙ୍କ ମହଲରେ ସେ ବେଶ୍ ପରିଚିତ। ହେଲେ କରୋନାର କଟକଣା ଯେମିତି ରେବତୀଙ୍କ ମୁହଁରୁ ଆହାର ଛଡ଼ାଇ ନେଇଛି। ଆଜି ଆମର ରେବତୀଙ୍କ ସହ ଦେଖା ହୋଇଥିଲା। କୋହଭରା କଣ୍ଠରେ ରେବତୀ କହିଥିଲେ, ଆଗରୁ ଭଲ ବେପାର ହେଉଥିଲା। କିନ୍ତୁ ଏବେ କଟକଣା ମୋ ପାଇଁ ଦଣ୍ଡ ଭଳି ପାଲଟି ଯାଇଛି। ନିୟମ ବି ମାନିବାକୁ ବାଧ୍ୟ। ପୂର୍ବରୁ ଦଶଟଙ୍କାରେ ୫ଟି ଲେମ୍ବୁ ବିକିଲେ ଗୋଟିଏ ବସ୍ତା ସରିଯାଉଥିଲା। ଦିନକୁ ୬୦ରୁ ୭୦ ଟଙ୍କା ଲାଭ ମିଳୁଥିଲା। କିନ୍ତୁ ଏବେ କଣ ରୋଗ ପାଇଁ ସରକାର ସବୁ ବନ୍ଦ କରିଦେଇଛନ୍ତି। ପୂର୍ବଭଳି ଗ୍ରାହକ ଆଉ ଆସୁନାହାନ୍ତି। ଦିନକୁ ୫୦ ଟଙ୍କାର ବି ବେପାର ହେଉନି। ଯଦି ଏମିତି ଲାଗି ରହିବ, ରୋଗବ୍ୟାଧି ତ ପଛର କଥା, ଭୋକରେ କିନ୍ତୁ ନିଶ୍ଚିତ ଭାବେ ମରିଯିବି। ସେପଟେ ବୟସାଧିକ୍ୟ କାରଣରୁ ଦେହ ପ୍ରାୟ ସମୟରେ ଭଲ ରହୁନି। ସରକାର ଦେଉଥିବା ୫ଶହ ଟଙ୍କା ଭତ୍ତାରେ କେମିତି ଚଳିବି ବୋଲି ରେବତୀ କାନ୍ଦି କାନ୍ଦି କହିଥିଲେ।
ସେହିଭଳି ପାନପତ୍ର ବେପାରୀ କବି ପ୍ରଧାନଙ୍କ ଅବସ୍ଥା ମଧ୍ୟ ସମାନ। ଯେଉଁଠି ଦିନକୁ ୩୦ରୁ ଅଧିକ କଡ଼ା ସେ ବିକ୍ରି କରୁଥିଲେ ବର୍ତ୍ତମାନ ୫ କଡ଼ା ବି ସରୁନି। ଫଳରେ ପରିବାର ଚଳାଇବା କଷ୍ଟସାଧ୍ୟ ପାଲଟିଛି। ହିଞ୍ଜିଳିକାଟୁରୁ ଆଣୁଥିବା ବଙ୍ଗାଳି ପାନପତ୍ର କଡ଼ା ପିଛା ସେ ୫୦ ଟଙ୍କାରେ ବିକୁଥିଲେ। ଭଲ ବେପାର ହେଲେ ସିନା ପରିବାରବର୍ଗଙ୍କ ମୁହଁରେ ହସ ଦେଖିପାରିବି। ଏମିତି କିଛିଦିନ ଚାଲିଲେ ଦୁଇବେଳା ପେଟ ପାଇଁ ଦାନା ଯୋଗାଡ଼ କରିବା ବି ମୁସ୍କିଲ୍ ହୋଇଯିବ ବୋଲି କବି କହନ୍ତି। କେବଳ ରେବତୀ ଓ କବି ନୁହନ୍ତି, ଛୋଟମୋଟ ବ୍ୟବସାୟ କରି ପରିବାରର ପ୍ରତିପୋଷଣ କରୁଥିବା ଏଭଳି ଅନେକ ବେପାରୀଙ୍କ ମୁଣ୍ଡରେ କୋରନା କଟକଣା ପରେ ଚଡ଼କ ପଡ଼ିଯାଇଛି। ସଂଘର୍ଷ ଓ ନିୟମର ଦୋଛକିରେ ସେମାନଙ୍କ ଜୀବନ ଯେମିତି ଅଟକିଛି।