୩୪ ନୂତନ ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କୁ ନିଯୁକ୍ତି

ଜନତା-ସରକାର ମଧ୍ୟରେ ସେତୁ ଭଳି କାମ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗରେ ଶନିବାର ଦିନ ୩୪ ଜଣ ସହକାରୀ ଉଦ୍ୟାନ କୃଷି ଅଧିକାରୀ ନିଯୁକ୍ତି ପାଇଛନ୍ତି। ଏ ନେଇ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି।

ଭର୍ଚୁଆଲ୍‌ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, ସରକାର ଓ ଜନତାଙ୍କ ମଧ୍ୟର ସେମାନେ ସେତୁ ଭଳି କାମ କରନ୍ତୁ। ସମସ୍ତ କୃଷି କ୍ଷେତ୍ର ମଧ୍ୟରୁ କୃଷକଙ୍କ ଆୟ ବୃଦ୍ଧିରେ ‘ଉଦ୍ୟାନ କୃଷି’ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଣୁ କୃଷିର ଆୟବୃଦ୍ଧି ସହିତ କୃଷି କ୍ଷେତ୍ରର ବିକାଶକୁ ସେମାନେ ପ୍ରାଥମିକତା ଦିଅନ୍ତୁ। ଅଙ୍ଗନୱାଡି କେନ୍ଦ୍ର, ବିଦ୍ୟାଳୟ ଏବଂ ଚାଷୀଙ୍କ ବାଡ଼ିରେ କିଚେନ୍‌ ଗାର୍ଡେନ୍‌ର ବିକାଶ ରାଜ୍ୟରେ ପୋଷଣ ସମସ୍ୟାର ସମାଧାନ ପାଇଁ ଏକ ଉତ୍ସାହଜନକ ପ୍ରୟାସ ହେବ। ଏଣୁ ଏ ଦିଗରେ ସେମାନେ ନିଜର ଦକ୍ଷତାକୁ ବ୍ୟବହାର କରନ୍ତୁ। ନିଜକୁ ଜନତାଙ୍କ ସେବକ ବୋଲି ଭାବି ଅପହଞ୍ଚ ଅଞ୍ଚଳଗୁଡ଼ିକ ସହିତ ନିରନ୍ତର ଯୋଡ଼ି ହୋଇ ଚାଷ କ୍ଷେତ୍ରରେ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧାର ମୁକାବିଲା ପାଇଁ ପ୍ରସ୍ତୁତ ରୁହନ୍ତୁ। ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ସହ ୫-ଟି ପଦକ୍ଷେପ ଅନୁଯାୟୀ ଅଧିକାରୀମାନେ ମିଳିତ ଭାବେ ସ୍ୱଚ୍ଛତାର ସହିତ କାମ କଲେ ଆସନ୍ତା ୩୦ବର୍ଷ ମଧ୍ୟରେ ଓଡ଼ିଶା ଉଦ୍ୟାନ କୃଷି କ୍ଷେତ୍ରରେ ଏକ ମାଇଲ୍‌ଖୁଣ୍ଟ ସ୍ଥାପନ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ୫-ଟି ସଚିବ ଭିକେ ପାଣ୍ଡିଆନ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ରାଜ୍ୟ ସରକାର ବିଭିନ୍ନ ବିଭାଗରେ ଖାଲି ପଦବୀ ପୂରଣ କରୁଛନ୍ତି। କୃଷକ, ଫସଲ ଓ ଉଦ୍ୟାନ କୃଷିକୁ ଉତ୍ସାହିତ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଉଦ୍ୟାନ କୃଷି କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ଜ୍ୟାକଫ୍ରୁଟ୍ ମିସନ୍, ସ୍ପାଇସେସ୍‌ ମିସନ୍, ଫ୍ଲୋରିକଲ୍ଚର୍‌ ମିସନ୍, ମସ୍‌ରୁମ୍‌ ମିସନ୍ ଏବଂ ‘ନ୍ୟୁଟ୍ରିସନ୍‌ ଆଟ୍‌ ଡୋରଷ୍ଟେପ୍ସ’ ମିସନ୍‌ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି। ନବନିଯୁକ୍ତ ଅଧିକାରୀ ନିଜର ଅଭିଜ୍ଞତା ବାଣ୍ଟିବା ଅବସରରେ ଋତୁପର୍ଣ୍ଣା ସେନାପତି, ସୁସ୍ମିତା ମେହେର ଓ ରବି ଶଙ୍କର ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର