ଟିକା ନ ନେଲେ ଅଫିସ୍‌ ମନା, ଭୁବନେଶ୍ବର‌ରେ ସବୁ ସରକାରୀ ଅଫିସ୍‌ ପାଇଁ ଲାଗୁ

ଭୁବନେଶ୍ବର : ଅଫିସ୍‌ ଆସିବାକୁ ହେଲେ ଦୁଇ ଡୋଜ୍‌ ଟିକା ନେବା ବାଧ୍ୟତାମୂଳକ। ଟିକା ନ ନେଲେ ଅଫିସ୍‌ ଆସିବା ମନା। ଆସନ୍ତା ଜୁଲାଇ ୧ ତାରିଖରୁ ଭୁବନେଶ୍ବରରେ ଥିବା ସବୁ ସରକାରୀ ଅଫିସ୍‌ ପାଇଁ ଏହି ନିୟମ ଲାଗୁ ହେବ। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସବୁ ବିଭାଗକୁ ଜଣାଇ ଦିଆଯାଇଛି।

ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା ଲେଖିଥିବା ଏହି ଚିଠିରେ ଦର୍ଶାଯାଇଛି ଯେ ଭୁବନେଶ୍ବରରେ ଥିବା ସବୁ ସରକାରୀ ବିଭାଗ, ଅଧସ୍ତନ କାର୍ଯ୍ୟାଳୟ ଓ ନିଗମଗୁଡ଼ିକର କର୍ମଚାରୀଙ୍କ ଟିକାକରଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ଏହି ପ୍ରକ୍ରିୟାରେ ପ୍ରାୟ ୬ ହଜାର କର୍ମଚାରୀଙ୍କୁ ପ୍ରଥମ ଡୋଜ୍‌ ଦିଆସରିଛି। ଦ୍ବିତୀୟ ଡୋଜ୍‌ ପାଇଁ ଜୁନ୍ ୧୭ ତାରିଖରୁ ଟିକାକରଣ ଜାରି ରହିଛି। ସବୁ ବିଭାଗର ନୋଡାଲ୍‌ ଅଫିସର୍‌ମାନଙ୍କୁ ନିଜ ନିଜ ବିଭାଗର କର୍ମଚାରୀଙ୍କ ସମ୍ପୂର୍ଣ୍ଣ ଟିକାକରଣ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ସବୁ କର୍ମଚାରୀଙ୍କ କାମ କରିବା ପାଇଁ ନିରାପଦ କାର୍ଯ୍ୟ ପରିବେଶ ଯୋଗାଇଦେବା ଏହାର ଉଦ୍ଦେଶ୍ୟ।

ଆସନ୍ତା ଜୁଲାଇ ୧ ତାରିଖରୁ ସବୁ ସରକାରୀ ଅଫିସ୍‌ ପୂର୍ଣ୍ଣ କ୍ଷମତାରେ ଚାଲିବ। ଭୁବନେଶ୍ବରର ସବୁ ସରକାରୀ କର୍ମଚାରୀ ଦୁଇ ଡୋଜ୍‌ ଟିକା ନେଇ ଜୁଲାଇ ୧ ତାରିଖରୁ ନିୟମିତ ଅଫିସ୍‌ ଆସିବା ଆସିବେ। ଯଦି ସ୍ବାସ୍ଥ୍ୟଗତ କାରଣ ଯୋଗୁ ଟିକା ନେବାକୁ କୌଣସି କର୍ମଚାରୀ ଅସମର୍ଥ, ତେବେ ସେ ସମ୍ପର୍କରେ ସଂପୃକ୍ତ କର୍ମଚାରୀ ନିଜ ବିଭାଗର ମୁଖ୍ୟଙ୍କୁ ଲିଖିତ ଭାବେ ଜଣାଇବେ। ଏପରି ଆବେଦନକୁ ବ୍ୟକ୍ତିଗତ ଭାବେ ବିଚାରକୁ ନିଆଯିବ। ତେବେ ଯେଉଁ କର୍ମଚାରୀ ଟିକା ନେଇ ନ ଥିବେ କିମ୍ବା ଲିଖିତ ଭାବେ ନ ନେବାର କାରଣ ଜଣାଇ ନ ଥିବେ, ତେବେ ତାଙ୍କୁ ଜୁଲାଇ ୧ ତାରିଖରୁ ଅଫିସ୍‌ ଆସିବାକୁ ଅନୁମତି ଦିଆଯିବ ନାହିଁ। ତାହାକୁ ତାଙ୍କ ଇଚ୍ଛାକୃତ ଅନୁପସ୍ଥିତି ଭାବେ ଧରି ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର