ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ୍‌କୁ ନେଇ ପ୍ରତିକ୍ରିୟା

ଭାରତ ଆତ୍ମନିର୍ଭରଶୀଳ ହେବା ଦିଗରେ ବଡ଼ ପଦକ୍ଷେପ : ଧର୍ମେନ୍ଦ୍ର
ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା ଏବଂ ଆଜି ଦେଶବାସୀଙ୍କୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହାର ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଛନ୍ତି। ଭାରତ ଆତ୍ମନିର୍ଭରଶୀଳ ହେବା ଦିଗରେ ଏହା ବଡ଼ ପଦକ୍ଷେପ ବୋଲି ସେ କହିଛନ୍ତି। ଏଥି ପାଇଁ ସେ ପ୍ରଧାନମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶବାସୀଙ୍କ ଆବଶ୍ୟକତା ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଇଛନ୍ତି। ଏମ୍‌ଏସ୍‌ଏମ୍‌ଇ ପାଇଁ ୩ ଲକ୍ଷ କୋଟି ଟଙ୍କାର ବନ୍ଧକବିହୀନ ଋଣର ବ୍ୟବସ୍ଥା ହୋଇଛି। ଏମ୍‌ଏସ୍‌ଏମ୍‌ଇକୁ ବିସ୍ତାର କରିବା ପାଇଁ ୫୦ ହଜାର କୋଟି ଘୋଷଣା କରିଛନ୍ତି। ଏହି ‌େକ୍ଷତ୍ର ପାଇଁ ୧୦ ହଜାର କୋଟିର ‘ଫଣ୍ଡ୍‌ସ୍‌ ଅଫ୍‌ ଫଣ୍ଡ୍‌’ର ବ୍ୟବସ୍ଥା କରିଛନ୍ତି। ଏହା ଦେଶର ଅର୍ଥନୀତିକୁ ବଢ଼ାଇବା ସହ ଆତ୍ମନିର୍ଭର କରିବା ଦିଗରେ ବଡ଼ ଭୂମିକା ନେବ। ଘରୋଇ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଓ ସେମାନଙ୍କ ନିଯୁକ୍ତିଦାତାଙ୍କ ପାଇଁ ୨୫୦୦ କୋଟିର ଇପିଏଫ୍‌ ସହ‌େଯାଗ ଦିଆଯାଇଛି। ଏହା ଦ୍ବାରା ପ୍ରାୟ ୩.୬୭ ଲକ୍ଷ ପ୍ରତିଷ୍ଠାନ ଏବଂ ୭୨.୨୨ ଲକ୍ଷ କର୍ମଚାରୀ ଲାଭବାନ ହେବେ। ଏହା ବାଦ୍ ବ୍ୟବସାୟକୁ ବଢ଼ାଇବା ପାଇଁ ବଡ଼ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦାୟିତ୍ବପୂର୍ଣ୍ଣ ସରକାରର ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଐତିହାସିକ ପଦକ୍ଷେପ କରୋନା ପରବର୍ତ୍ତୀ ଭାରତର ବିକାଶକୁ ପ୍ରୋତ୍ସାହନ ଦେବ ଏବଂ ଏକ ଶକ୍ତିଶାଳୀ, ସ୍ଥିର ତଥା ପ୍ରଗତିଶୀଳ ଭାରତ ଗଠନ କରିବାରେ ସହାୟକ ହେବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ମୋଦୀଙ୍କ ଭାଷଣ ପ୍ରଚାରସର୍ବସ୍ବ : ନିରଞ୍ଜନ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆର୍ଥିକ ପ୍ୟାକେଜ୍‌କୁ ପ୍ରଚାର ସର୍ବସ୍ବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଗଣମାଧ୍ୟମକୁ ସେ କହିଛନ୍ତି, ୨୦ ଲକ୍ଷ କୋଟି ଟଙ୍କା ଆସିବ କେଉଁଠୁ ? ବଜେଟ୍ ଅର୍ଥରୁ କାଟିକି ଏହା କରିବେ ନା ଲୋକଙ୍କ ଉପରେ ଅଧିକ ଟିକସ ପକାଇବେ? ଯେଉଁ ଭୋକାଲ ହେବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି ତାହା ନୂଆ କଥା କିଛି ନୁହେଁ । ଜାତିର ପିତା ମହାତ୍ମା ଗାନ୍ଧୀ ଏହି ପଥ ଆଗରୁ ଦେଖାଇଥିଲେ । ଏହି କଥାଟି ପ୍ରଚାର କରିବା ପୂର୍ବରୁ ଆମେ ନିଜେ ଆମ ଉତ୍ପାଦିତ ପଦାର୍ଥର ବ୍ୟବହାର କରିବାର ବ୍ୟବସ୍ଥା କରାଯିବା ଉଚିତ। ଆମ ଉତ୍ପାଦିତ ପଦାର୍ଥ ବ୍ୟବହାର କଲା ବେଳେ ଆମ ପଦାର୍ଥର ଗୁଣାତ୍ମକ ମାନ ଓ ଦର ଯଦି ଅନ୍ୟ ଦେଶ ତୁଳନାରେ ଭଲ ନ ହେବ, ତେବେ ବିଦେଶରୁ ଆସୁଥିବା ଜିନିଷ ସହିତ ସମକକ୍ଷ ହୋଇପାରିବ ନାହିଁ । ଏ କ୍ଷେତ୍ରରେ ପ୍ରଥମେ ବିଦେଶୀ ଜିନିଷର ଆମଦାନୀକୁ ବନ୍ଦ କରିବେ କି? ଯଦି ବିଦେଶୀ ଜିନିଷକୁ ବନ୍ଦ କରିବେ, ତେବେ ଆମ ଦେଶରେ ଲୋକମାନେ ଆମ ଜିନିଷ ବ୍ୟବହାର କରିବାକୁ ସୁଯୋଗ ପାଇବେ । ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ବୋଧେ ଏହି ପ୍ରସଙ୍ଗରେ ମନ ସ୍ଥିର କରିନାହାନ୍ତି। ପ୍ରଚାର ଦୃଷ୍ଟିରୁ କହି ଦେଇଛନ୍ତି। ଯଦି ଏହାର ବାସ୍ତବ ରୂପରେଖ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରି କହିଥାନ୍ତେ ତେବେ କିଛି ଜଣାପଡିଥା’ନ୍ତା । ପ୍ରକୃତରେ ଭାରତବାସୀଙ୍କ ପାଇଁ ଏହି ପ୍ରକ୍ରିୟା ସହାୟକ ହେବା ନେଇ ସନ୍ଦେହ ରହିଛି। ବର୍ତମାନ ପାଇଁ ଏହା ଏକ ସ୍ୱପ୍ନ ମାତ୍ର । ଏ ସ୍ୱପ୍ନକୁ କିପରି ସାକାର କରାଯିବ କେନ୍ଦ୍ର ସରକାର ବିଚାର କରିବେ । କିନ୍ତୁ ଆଜି ଦିନରେ ଗରିବ, ଶ୍ରମିକ, ଚାଷୀ ଓ ମଧ୍ୟବିତ୍ତ ପରିବାରଙ୍କୁ ସହାୟତା କଲା ପରି କୌଣସି କାର୍ଯ୍ୟକ୍ରମ କେନ୍ଦ୍ର ବା ରାଜ୍ୟ ସରକାରଙ୍କୁ ଦେଖାଯାଉ ନାହିଁ । ଏହା ପରିସ୍ଥିତିକୁ ଆହୁରି ଜଟିଳ କରୁଛି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ପିସିସି ସଭାପତି।

ଦେଶର ଆର୍ଥିକ ଅବସ୍ଥା ସୁଧାରିବାରେ ସହାୟକ ହେବ
ଭୁବନେଶ୍ବର : ୨୦ ଲକ୍ଷ ଟଙ୍କାର ପ୍ୟାକେଜ୍‌ ମଧ୍ୟରେ ଆଜି ୬ଟି କ୍ଷେତ୍ରରେ ଅର୍ଥ ବିନିଯୋଗ କରିବା ପାଇଁ ‌ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଘୋଷିତ ଆତ୍ମନିର୍ଭର ଭାରତ ରିଲିଫ ପ୍ୟାକେଜ‌ରେ ଅତିକ୍ଷୁଦ୍ର, କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଶିଳ୍ପସଂସ୍ଥା ଲାଭବାନ୍‌ ହେବେ। ଏହା ଦେଶର ଆର୍ଥିକ ଅବସ୍ଥା ସୁଧାରିବାରେ ସହାୟକ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ଘୋଷଣା କରାଯାଇଥିବା ସମସ୍ତ ପ୍ୟାକେଜ୍‌ ପ୍ରଶଂସନୀୟ। ପୂର୍ବରୁ ଲକ୍ଷେ ୭୦ ହଜାର କୋଟିର ପ୍ୟାକେଜ୍‌ ଘୋଷଣା କରାଯାଇଥିଲା, ପରେ ଆର୍‌ବିଆଇ ୫ଲକ୍ଷ ୩୦ହଜାର କୋଟିର ସହାୟତା ଦେଇଥିଲେ। ପୂର୍ବରୁ ୭ଲକ୍ଷ କୋଟିର ପ୍ୟାକେଜ୍‌ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ପ୍ରାୟ ୬ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରାଯାଇଛି। ଆଗାମୀ ଦିନରେ ବାକି ଅର୍ଥର ବିନିଯୋଗ ସଂପର୍କରେ ସେ ତଥ୍ୟ ଦେବେ। କମ୍ପାନିଗୁଡ଼ିକ ଚାଲିଲେ କର୍ମଚାରୀ ଲାଭବାନ୍‌ ହେବ‌େ ଏବଂ ଉତ୍ପାଦନ ବଢିବ।
-ଅରୁଣ ସାବତ (ଚାର୍ଟାର୍ଡ ଆକାଉଣ୍ଟାଟ୍‌)

ଏମ୍‌ଏସ୍‌ଏମ୍‌ଇ ସେକ୍ଟରଗୁଡ଼ିକୁ ସ୍ବାବଲମ୍ବୀ ହେବେ
ବର୍ତ୍ତମାନ ପର୍ଯ୍ୟନ୍ତ ଘୋଷଣା କରାଯାଇଥିବା ପ୍ୟାକେଜ୍‌କୁ ମୁଁ ସ୍ବାଗତ କରୁଛି। ଏହାଦ୍ବାରା ଏମ୍‌ଏସ୍‌ଏମ୍‌ଇ ସେକ୍ଟରଗୁଡ଼ିକୁ ସ୍ବାବଲମ୍ବୀ ହେବା ପାଇଁ ବହୁଳ ଭାବେ ସହାୟକ ହେବ। ଶକ୍ତି ଉତ୍ପାଦନକାରୀ କେନ୍ଦ୍ର ପାଇଁ କରାଯାଇଥିବା ରିଲିଫ ୯୦ ହଜାର କୋଟି ଟଙ୍କା, ମ୍ୟୁଚୁଆଲ୍‌ ମଇକ୍ରୋ ଫାଇନାନ୍ସ କମ୍ପାନି ପାଇଁ କରାଯାଇଥିବା ୩୫ ହଜାର କୋଟିର ବିଭିନ୍ନ ସ୍କିମ୍‌ ଓ ଇନ୍‌କମ୍‌ ଟାକ୍ସର ବେନିଫିଟ୍‌ ଏ ସମସ୍ତ ବ୍ୟବସ୍ଥା ପ୍ୟାକେଜ୍‌ରେ ରହିଛି। ଏହି ସବୁକୁ ଦେଖିଲେ ଦେଶର ଆର୍ଥିକ ଅବସ୍ଥା ସୁଧାରିବାରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ସାହାଯ୍ୟ କରିବ।
– ରାଜୀବ ଶେଖର ସାହୁ (ଚାର୍ଟାର୍ଡ ଆକାଉଣ୍ଟାଟ୍‌)

ରାଜ୍ୟ ସରକାର ସମ୍ବେଦନଶୀଳ ହେବା ଉଚିତ
କୋଭିଡ ସରକାରଙ୍କୁ ଘରୋଇ ବିନିର୍ମାଣର ଆବଶ୍ୟକତାକୁ ବୁଝାଇଦେଇଛି। ପ୍ୟାକେଜ୍‌ରେ ଘୋଷଣା କରାଯାଇଥିବା ବନ୍ଧକ ମୁକ୍ତ ଋଣ ସ୍କିମ୍‌ ପୂର୍ବରୁ ସରକାରଙ୍କର ଅଛି କିନ୍ତୁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଠିକ୍‌ ଭାବରେ କାର୍ଯ୍ୟକାରୀ ହେଉନାହିଁ। ତେଣୁ ତାହା ମୂଲ୍ୟହୀନ। ବର୍ତ୍ତମାନ ପର୍ଯ୍ୟନ୍ତ ଘୋଷଣା କରାଯାଇଥିବା ପ୍ୟାକେଜ୍‌ ଓ ସ୍କିମ୍‌ ଭଲ ରହିଛି। ତୃଣମୂଳ ସ୍ଥଳରେ ଏହା କିପରି ଭଲଭାବେ ଉପଯୋଗ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ରାଜ୍ୟ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରି ଏବଂ ଏମ୍‌ଏସ୍‌ଏମ୍‌ଇ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ତେଣୁ ଏସମ୍ପର୍କରେ ରାଜ୍ୟ ସରକାରଙ୍କ କ’ଣ ଆଭିମୂଖ୍ୟ ରହିବ ତାହା ଦେଖିବାକୁ ବାକି ରହିଛି। ରାଜ୍ୟ ସରକାର ଏସଂପର୍କରେ ସମ୍ବ‌େଦନଶୀଳ ହେବା ପାଇଁ ଆମେ ଆଶା କରୁଛୁ।
– ସାତ୍ତ୍ବିକ ସ୍ବାଇଁ (ମହାସଚିବ, ଓଏଏସ୍‌ଏମ୍‌ଇ)

ଦେଶର ଆର୍ଥିକ ବ୍ୟବସ୍ଥା ସୁଧାରିବାରେ ସହାୟକ ହେବ
ଏହି ପ୍ୟାକେଜ୍‌ ଦେଶର ଆର୍ଥିକ ବ୍ୟବସ୍ଥା ସୁଧାରିବାରେ ସହାୟକ ହେବ। କିନ୍ତୁ ରିଏଲ୍‌ ଇଷ୍ଟେଟ୍‌ ପାଇଁ କିଛି ଖାସ୍‌ ବ୍ୟବସ୍ଥା କରାଯାଇ ନାହିଁ। ରିଏଲ୍‌ ଇଷ୍ଟେଟ୍‌ରେ ଦ୍ବିତୀୟ ବୃହତ କର୍ମନିଯୁକ୍ତି ରହୁଥିବାରୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଦିଆଯାଇଥିବା ସୁବିଧା ଗୁଡ଼ିକ ସହ ରିଏଲ୍‌ ଇଷ୍ଟେଟ୍‌କୁ ସାମିଲ କରିବାକୁ ଆମେ ପ୍ରସ୍ତାବ ଦେବୁ।
ଡି. ଏସ ତ୍ରିପାଠୀ, ‌(ସଭାପତି କ୍ରେଡାଇ, ଓଡ଼ିଶା )

ପ୍ରତ୍ୟେକ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ଲାଭବାନ ହୋଇପାରିବେ
ନିଶ୍ଚିତ ଭାବରେ ଏହି ପ୍ୟାକେଜ୍ ଦ୍ବାରା ବେତନଭୋଗୀ, କୃଷକ, ଶ୍ରମିକ, ପ୍ରବାସୀ ଶ୍ରମିକ, କ୍ଷୁଦ୍ର ଦୋକାନୀଙ୍କ ସମେତ ପ୍ରତ୍ୟେକ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷ ଲାଭବାନ ହୋଇପାରିବେ। ତେବେ ଏତେ ପରିମା‌ଣର ଅର୍ଥ କେଉଁଠୁ ଆସିବ ସେ ସଂପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇ ନାହାନ୍ତି। ବର୍ତ୍ତମାନ ରାଜସ୍ବ ଆଦାୟ ମାନ୍ଦା ଥିବାରୁ ଏତେ ବଡ଼ ପାଣ୍ଠି ଯୋଗାଡ଼ କରିବା କଷ୍ଟକର ବ୍ୟାପାର। ତେଣୁ ଏହା କେବଳ କଥା ଏବଂ ସରକାରୀ କାଗଜ କଲମରେ ସୀମିତ ରହିବ ବୋଲି ଆଶଙ୍କା ରହୁଛି। ସରକାର ଯଦି ଏଥିପାଇଁ ଟିକସ ଆଦାୟ କଡ଼ାକଡ଼ି କରିଦେବେ ତେବେ‌ ଏହା ବ୍ୟବସାୟିକ ଏବଂ ଶିଳ୍ପସଂସ୍ଥା ଗୁଡ଼ିକର ବିକାଶରେ ବାଧକ ସାଜିବ। ପୁଣି ଜିନିଷଗୁଡ଼ିକର ଟିକସ୍‌ ବଢ଼ିଲେ ମୁଦ୍ରାସ୍ଫିତି ପ୍ରଭାବିତ ହେବା ସହ ଲୋକଙ୍କ ଉପରେ ଆର୍ଥିକ ବୋଝ ସୃଷ୍ଟି କରିବ। ସ୍ବଦେଶୀ ଉତ୍ପାଦ ଓ ସେବା ଉପଭୋଗକୁ ମୁଁ ସ୍ବାଗତ କରୁଛି।
ରମେଶ କେଜ୍ରିୱାଲ୍‌, (ଅର୍ଥନୀତି ସମୀକ୍ଷକ)

ଏମ୍‌ଏସ୍ଏମ୍‌ଇ ପ୍ରକଳ୍ପଗୁଡ଼ିକ ଲାଭବାନ ହେବେ
ଏହି ପ୍ୟାକେଜ୍‌ରେ ଏମ୍‌ଏସ୍ଏମ୍‌ଇ ପ୍ରକଳ୍ପଗୁଡ଼ିକ ଲାଭବାନ ହେବେ। ବିଲ୍ଡର ମାନଙ୍କୁ ପ୍ରକଳ୍ପ ସାରିବାକୁ ୬ମାସ ସମୟ ଦେବା ନିଶ୍ଚିତ ଉପଯୋଗୀ। କିନ୍ତୁ ଦିନ ମଜୁରିଆ ଓ ମୋରାଟୋରିୟମ୍‌ର ଅବଧି ବଢ଼ାଇବା ପାଇଁ କୌଣସି ପ୍ରସ୍ତାବ ନାହିଁ। ବର୍ତ୍ତମାନ ସମୟରେ ସମ୍ପୂର୍ଣ୍ଣ ସୁଧ ଛ‌ାଡ଼ କରିବାକୁ ବହୁ ଦାବି ଆସୁଥିବା ବେଳେ ଏହି ଦିଗରେ ଧ୍ୟାନ ଦିଆଯାଇନାହିଁ। ଆଗାମୀ ଦିନରେ ଏସଂପର୍କରେ ଧ୍ୟାନ ଦେବାର ଆବଶ୍ୟକ ରହିଛି। –
ଦାମୋଦର ନନ୍ଦ, (ଏଆଇବିଓସି, ଓଡ଼ିଶା)

ସମ୍ବନ୍ଧିତ ଖବର