ବାରିପଦାରେ ନାବାଳିକାକୁ ଗଣଦୁଷ୍କର୍ମ, ଧରମଭାଇ ସମେତ ୩ ଗିରଫ

ବାରିପଦା : ବାରିପଦାରେ ଲଜ୍ଜା। ବିଶ୍ବାସରେ ବିଷ ଦେଲା ଧରମ ଭାଇ। ଧରମ ଭାଇ ଓ ତାର ଦୁଇ ସାଥୀଙ୍କ ଦ୍ବାରା ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ଘଟଣା ବାରିପଦା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଗତକାଲି ସନ୍ଧ୍ୟାରେ ନାବାଳିକାଙ୍କୁ ପେଟ୍ରୋଲ ଆଣିବା ବାହାନାରେ ନେଇ ଏକ ଗ୍ୟାରେଜକୁ ନେଇଥିଲା। ଧରମ ଭାଇ ହୋଇଥିବାରୁ ବିଶ୍ବାସରେ ତା’ ସହ ଯାଇଥିଲେ। ରାତିସାରା ନାବାଳିକାକୁ ଅଟକାଇ ରଖିଥିଲେ। ତେବେ ରାତି ପ୍ରାୟ ୩ଟା ବେଳେ ଅଭିଯୁକ୍ତମାନେ ବାହାରକୁ ଯାଇଥିବାବେଳେ କୌଶଳ କ୍ରମେ ଖସିଆସିଥିଲେ ପୀଡ଼ିତା। ଅଭିଯୋଗ ପାଇବାର କେଇ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ବାରିପଦା ପୁଲିସ। ଅଭିଯୁକ୍ତମାନେ ହେଲେ, ପୀଡ଼ିତାଙ୍କ ଧରମ ଭାଇ ଷ୍ଟେସନ ବଜାର ଅଞ୍ଚଳର ସେକ୍ ସଫିକ୍ ଓରଫ ସଫୁଆ(୨୩), ମଧୁବନରେ ରହୁଥିବା ଉଦଳା ଥାନ ଜିରିଡା ଗ୍ରାମର ରବୀନ୍ଦ୍ର ଦାସ ଓରଫ ରବି(୨୮) ଓ ବାରିପଦା ଶୂନଗଡ଼ିଆର ସେକ୍ ନିଆଜୁ ଓରଫ ବୁତୁର। ସଫିକ୍‌ ତାଙ୍କୁ ଗତକାଲି ପେଟ୍ରୋଲ୍‌ ଆଣିବା ବାହାନାରେ ଘରୁ ଡାକି ନେଇଥିଲା। ତେବେ ଘରେ ଛାଡ଼ିବା ପରିବର୍ତ୍ତେ ସଫିକ୍‌ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ସହିତ ମିଶି ନାବାଳିକାଙ୍କୁ ସ୍ଥାନୀୟ ମଧୁବନ ପଡ଼ିଆ ନିକଟସ୍ଥ ଏକ ଗ୍ୟାରେଜ୍‌କୁ ନେଇଯାଇଥିଲା। ସେଠାରେ ୩ଜଣଯାକ ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି।

ଅଭିଯୋଗ ପାଇବା ପରେ ପୁଲିସ ତତ୍ପର ହୋଇଥିଲା। ୩ଜଣଙ୍କୁ ଗିରଫ କରିବା ସହ ପୋକସୋ ଆକ୍ଟରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ଓ ପୀଡ଼ିତାଙ୍କର ଡାକ୍ତରୀ ମାଇନା ହୋଇଥିବା ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ତେବେ ଗତ ୭ ବର୍ଷ ଧରି ଏ ଧରଣର ଅପରାଧ ବାରିପଦା ଥାନା ଅଞ୍ଚଳରେ ଘଟି ନଥିଲା। ଆଜି ଏ ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୨୦୧୪ ଜାନୁଆରୀ ୨୧ରେ ଜଣେ ମହିଳା ମେଡିକାଲ ପଛପଟେ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ। ଅବଶ୍ୟ ଏହି ମାମଲାରେ ସମସ୍ତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଛନ୍ତି।

ସମ୍ବନ୍ଧିତ ଖବର