ମଧୁବାବୁଙ୍କ ୧୭୨ତମ ଜନ୍ମ ଜୟନ୍ତୀ ଅବସରରେ ସ୍ମୃତିଚାରଣ ବକ୍ତବ୍ୟ: ଦେଶର ଗଣତନ୍ତ୍ର ଆଜି ବନ୍ଦୀ: ଜଷ୍ଟିସ୍ ଲୋକୁର

ଭୁବନେଶ୍ୱର : ମୁକ୍ତ ଓ ସ୍ବଚ୍ଛ ନିର୍ବାଚନ, ମୌଳିକ ଅଧିକାର ଓ ସ୍ବାଧୀନ ନ୍ୟାୟ ବ୍ୟବସ୍ଥା ଆଦି ଭଳି ଭାରତୀୟ ସମ୍ବିଧାନର ମୌଳିକ ଭିତ୍ତିଭୂମି ଉପରେ ବର୍ତ୍ତମାନ ଅତର୍କିତ ଓ ଯୋଜନାବଦ୍ଧ ଆକ୍ରମଣ ଯୋଗୁଁ ଦେଶର ଗଣତନ୍ତ୍ର ଆଜି ବନ୍ଦୀ ସଦୃଶ ପ୍ରତୀୟମାନ ହେଉଛି ।

କୋଭିତ୍ ଭଳି ବିଶ୍ବ ମହାମାରୀ ସମୟରେ ସାହାଯ୍ୟ ଭିକ୍ଷା କରୁଥିବା ଲୋକଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହେଉଛି। ମହାମାରୀକୁ ପ୍ରତିହତ କରିବାରେ ସରକାରୀ ବ୍ୟବସ୍ଥା ଓ କର୍ତ୍ତୃପକ୍ଷଙ୍କ ଅସଫଳତା ଆଦିକୁ ପ୍ରଚାରପ୍ରସାର କରୁଥିବା ଖବର ଓ ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଉଛି। ଫଳରେ, ଏହା ଗାଣତାନ୍ତ୍ରିକ ବ୍ୟବସ୍ଥାକୁ ଆହୁରି ଦୁର୍ବଳ କରୁଛି। ‘ ଓଡ଼ିଶାର ଭବିଷ୍ୟତ ସମ୍ପର୍କିତ’ ବିଷୟବସ୍ତୁକୁ ଭିତ୍ତିକରି ରାଜ୍ୟର ବୁଦ୍ଧିଜୀବୀମାନଙ୍କୁ ନେଇ ଗଠିତ ‘ ଓଡିଶା ଡାଇଲଗ୍‌ସ ଫୋରମ୍‌’ର ବାର୍ଷିକ ଉତ୍ସବ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୨ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ସ୍ମୃତିଚାରଣ ସଭାରେ ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ୍ ମଦନ ଲୋକୁର ଏହା କହିଛନ୍ତି।

ଫୋରମ୍‌ ତରଫରୁ ‘ ଭାରତୀୟ ନ୍ୟାୟ ବ୍ୟବସ୍ଥା ଗଣତନ୍ତ୍ରକୁ ସୁରକ୍ଷିତ ରଖିପାରିବ କି?’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା। ଜଷ୍ଟିସ୍‌ ଲୋକୁର୍‌ କହିଥିଲେ ଯେ, ସାରା ବିଶ୍ଵ ଦରବାରରେ ଭାରତ ଧୀରେଧୀରେ ଦୃଷ୍ଟି ଆଢୁଆଳକୁ ଚାଲିଯାଉଛି , ଯାହାକି ଅତ୍ୟନ୍ତ ଚିନ୍ତାଜନକ। ୨୦୨୦ ମସିହାରେ ବିଶ୍ଵ ଶାସନ ବ୍ୟବସ୍ଥା ମାନକରେ ୧୨୮ରୁ ଭାରତ ୬୯ତମ ସ୍ଥାନରେ ରହିଛି । ସେହି ଭଳି ଭି. ଡେଲ୍ ଇନ୍‌ଷ୍ଟିଚ୍ୟୁଟ୍ ଦ୍ଵାରା କରାଯାଇଥିବା ଗାଣତାନ୍ତ୍ରିକ ଉଦାରତା ସିଦ୍ଧାନ୍ତ ମାନକରେ ଭାରତ ୨୦୨୦ ମସିହାରେ ୦.୫୭ ପଏଣ୍ଟରୁ ଖସି ୦.୩୪ ପଏଣ୍ଟରେ ପହଞ୍ଚିଛି , ଯାହାକି ଏହି ମାନକରେ ସର୍ବାଧିକ ହ୍ରାସ। ‘ ଦି ଫ୍ରିଡମ୍ ଅଫ୍ ହାଉସ୍ ରିପୋର୍ଟ -୨୦୨୧’ ରେ ଏହିସବୁ କାରଣ ଯୋଗୁଁ ଭାରତ ଆଂଶିକ ଭାବେ ସ୍ବାଧୀନ ବୋଲି ଦର୍ଶାଯାଇଛି। ୨୦୨୦ ମସିହା ଦି ହ୍ୟୁମ୍ୟାନ୍ ଫ୍ରିଡମ୍ ଇଣ୍ଡେକ୍ସରେ ଭାରତ ୧୬୨ରୁ ୧୧୧ତମ ସ୍ଥାନରେ ରହିଛି। ସେହିଭଳି ୱାର୍ଲଡ୍ ପ୍ରେସ୍ ଫ୍ରିଡମ୍ ୨୦୨୧ ଭାରତକୁ ୧୮୦ରୁ ୧୪୨ତମ ସ୍ଥାନରେ ରଖିଛି ବୋଲି ସେ କହିଛନ୍ତି।
ମହାମାରୀ ସମୟରେ ଜଣେ ଲୋକ ନିଜ ଜେଜେବାପାଙ୍କ ପାଇଁ ଅମ୍ଳଜାନ ଆବଶ୍ୟକ ଥିବା ଟୁଇଟ୍ କରିବା ଯୋଗୁଁ ତାଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହେବା କେତେଦୂର ସମୀଚୀନ ବୋଲି ପ୍ରଶ୍ନ ଉଠାଇଛନ୍ତି ଜଷ୍ଟିସ୍‌ ଲୋକୁର। ସେ ଆହୁରି କହିଛନ୍ତି ଯେ, ହାଥରସ୍‌‌ରେ ହୋଇଥିବା ଗଣଦୁଷ୍କର୍ମ ମାମଲାର ପ୍ରତିବାଦ କରି ଆନ୍ଦୋଳନ କରିଥିବା ବିକ୍ଷୋଭକାରୀଙ୍କ ମଧ୍ୟରୁ ୨୨ ଜଣଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରାଯାଇଛି। କାଶ୍ମୀରରେ ୨୧୩ ଦିନ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରଖିବା ଏବଂ ସରକାରୀ ବିଧିବ୍ୟବସ୍ଥାକୁ ଅଙ୍ଗୁଳି ନିଦ୍ଦେର୍ଶ କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ କରାଯାଇଥିବା ପୋଷ୍ଟଗୁଡିକ ପାଇଁ ୫୨ଟି ନୋଟିସ୍ ଜାରି କରାଯାଇଛି। ଯାହାକି, ଆଦୌ ଠିକ୍ ନୁହେଁ। ଏହି ସମସ୍ତ ପ୍ରୟାସ କେବଳ ବାକ୍ ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇବା ଛଡ଼ା ଆଉ କିଛି ନୁହେଁ ବୋଲି ସେ ମତ ବ୍ୟକ୍ତ କରିଛନ୍ତି।

ନ୍ୟାୟ ବ୍ୟବସ୍ଥା କ’ଣ କରିପାରିବ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଲେ, ନ୍ୟାୟ ବ୍ୟବସ୍ଥାକୁ ପ୍ରଥମେ ନିଜ ଘର ସଜାଡିବାକୁ ପଡିବ। କେତେକ କ୍ଷେତ୍ରରେ ବିଚାରପତିମାନଙ୍କ ନିଯୁକ୍ତି ମାସ ମାସ ଏବଂ ବର୍ଷ ବର୍ଷ ଧରି ପଡ଼ିରହୁଛି। ଏହା ହେଉଛି ସ୍ବଚ୍ଛ ଶାସନ ବ୍ୟବସ୍ଥା ଓ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ। ଅଧିକନ୍ତୁ, ନ୍ୟାୟ ବ୍ୟବସ୍ଥାର ସ୍ବତନ୍ତ୍ରତାକୁ ମଧ୍ୟ ସନ୍ଦେହ ଦୃଷ୍ଟିରେ ଦେଖାଯାଉଛି। ବାସ୍ତବରେ ଆମେ ସମସ୍ତେ ଚିନ୍ତା କରିବା ଦରକାର, ଆମେ କ’ଣ ସତରେ ଠିକ୍ କାମ କରୁଛୁ? ଆମେ କ’ଣ ସତରେ ନ୍ୟାୟ ବ୍ୟବସ୍ଥାକୁ ଉଦ୍ଧାର କରିପାରିବା? ମୁଁ ଜାଣି ନାହିଁ। ଏହି ପ୍ରଶ୍ନର ଉତ୍ତର ମୁଁ ଭାରତବାସୀଙ୍କ ଉପରେ ଛାଡୁଛି ବୋଲି ଜଷ୍ଟିସ୍‌ ଲୋକୁର କହିଛନ୍ତି।

ସମ୍ବନ୍ଧିତ ଖବର