ଓଏଏସ୍‌ କ୍ୟାଡର୍‌ର ପୁନର୍ବିନ୍ୟାସ, ସ୍ବତନ୍ତ୍ର ସଚିବ ପାହ୍ୟାରେ ୬୫ ପଦବି

ଭୁବନେଶ୍ବର : ଓଏଏସ୍‌ ଅଫିସର୍‌ମାନଙ୍କର ଦୀର୍ଘ ଦିନର ଦାବି ପୂରଣ ହୋଇଛି। ଓଏଏସ୍‌ କ୍ୟାଡର୍‌ର ପୁନର୍ବିନ୍ୟାସ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ଆଜି ମଞ୍ଜୁରି ଦେଇଛି। ପୁନର୍ଗଠିତ ବ୍ୟବସ୍ଥା ଅନୁଯାୟୀ ମୋଟ୍‌ ୨୨୦ ନୂଆ ପଦବି ସୃଷ୍ଟି କରାଯାଇ ଓଏଏସ୍‌ କ୍ୟାଡର୍‌ର ବିଭିନ୍ନ ବର୍ଗର ଅଫିସର୍‌ ସଂଖ୍ୟା ୨୧୨୩ କରାଯାଇଛି। ପୂର୍ବରୁ ଏହି ସଂଖ୍ୟା ୧୯୦୩ ଥିଲା। ମୁଖ୍ୟତଃ ଓଏଏସ୍‌ ଗ୍ରୁପ୍‌-ଏ(ଏସ୍‌ବି) ଓ ତାହା ଠାରୁ ଅଧିକ ପାହ୍ୟାରେ କ୍ୟାଡର୍‌ ପୁନର୍ବିନ୍ୟାସ କରାଯାଇଛି। ଏବେ ଓଏଏସ୍‌ ଗ୍ରୁପ୍‌-ଏ(ଜେବି)ରେ ୧୧୮୮, ଓଏଏସ୍‌ ଗ୍ରୁପ୍‌-ଏ(ଏସ୍‌ବି)ରେ ୩୮୫, ଓଏଏସ୍‌(ସୁପର୍‌ଟାଇମ୍‌ ସ୍କେଲ୍‌)ରେ ୨୭୦, ଓଏଏସ୍‌(ଏସ୍‌ଏଜି)ରେ ୨୧୫ ଓ ଓଏଏସ୍‌(ସ୍ବତନ୍ତ୍ର ସଚିବ) ପାହ୍ୟାରେ ୬୫ଟି ପଦବି ରହିବ।

ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀମାନେ ରାଜ୍ୟ ପ୍ରଶାସନରେ ଏକ ପ୍ରମୁଖ ଭୂମିକା ନିର୍ବାହ କରନ୍ତି। ରାଜସ୍ବ ପ୍ରଶାସନ, ଶାନ୍ତି ଶୃଙ୍ଖଳା ରକ୍ଷା, ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଉନ୍ନତୀକରଣ, ଭୂମି ଅଧିଗ୍ରହଣ, ପୁନର୍ବାସ ଓ ପୁନଃ ଥଇଥାନ, ଶିକ୍ଷା, ସ୍ବାସ୍ଥ୍ୟ ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏହି ସେବାର ଅଧିକାରୀମାନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ବିଗତ ଦିନରେ ସରକାରଙ୍କ ଦ୍ବାରା ଅନେକ ଯୋଜନା ଓ ଜନକଲ୍ୟାଣ ମୂଳକ କାର୍ଯ୍ୟର ପ୍ରଚଳନ କରାଯାଇଛି। ଏହାର ସଫଳ ରୂପାୟନ କ୍ଷେତ୍ରରେ ସ୍ବଚ୍ଛତା ଓ ଦକ୍ଷତାକୁ ଗୁରୁତ୍ବ ପ୍ରଦାନ କରାଯାଇଛି। ଏଥି ନିମନ୍ତେ ବିଭାଗର ଆବଶ୍ୟକତା ଅନୁଯାୟୀ ଏହି ସେବାର ଅଧିକାରୀମାନଙ୍କୁ ବିଭିନ୍ନ ସ୍ତରରେ ନିଯୁକ୍ତି ପ୍ରଦାନ କରିବା ନିମନ୍ତେ ଅତିରିକ୍ତ ପଦବିର ଆବଶ୍ୟକତା ରହିଛି। ଏହା ବାଦ୍ ମୂଳ ପଦବିରେ ବୃଦ୍ଧି ଦୃଷ୍ଟିରୁ ପଦୋନ୍ନତି ପ୍ରକ୍ରିୟାକୁ ଗତିଶୀଳ ଓ ସୁସଙ୍ଗତ କରିବା ନିମନ୍ତେ ପୁନର୍ବିନ୍ୟାସ ମାଧ୍ୟମରେ ଏହି ସେବାର ମଧ୍ୟମ ଓ ବରିଷ୍ଠ ସ୍ତରରେ ପଦ ବୃଦ୍ଧି କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି।

ଆଜି କ୍ୟାବିନେଟ୍‌ ସ୍ବୀକୃତି ମିଳିଲା ପରେ ତୁରନ୍ତ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କ୍ୟାଡର୍‌ ପୁନର୍ଗଠନ ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେ‌ାଇଛି।

ସମ୍ବନ୍ଧିତ ଖବର