ପ୍ରକାଶ ପାଇଲା ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ: ବିନା ପରୀକ୍ଷାରେ ନୂଆ ଇତିହାସ

ବିଜ୍ଞାନ ରେଗୁଲାରରେ ୯୯.୮୮% ପାସ୍‌, ବାଣିଜ୍ୟ ରେଗୁଲାରରେ ୯୯.୫୯% ଉତ୍ତୀର୍ଣ୍ଣ

୨୪୨୭ ଜଣ ୯୦%ରୁ ଅଧିକ ନମ୍ବର ରଖିଲେ
ଉଭୟ ବିଭାଗରେ ଛାତ୍ରୀ ଆଗରେ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ଶନିବାର ସନ୍ଧ୍ୟାରେ ପ୍ରକାଶ ପାଇଛି। କରୋନା ସଂକ୍ରମଣ ଦୃଷ୍ଟିରୁ ପରୀକ୍ଷା ବାତିଲ୍‌ ସହ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପରିଷଦ ପକ୍ଷରୁ ପ୍ରକାଶ କରାଯାଇଥିବ‌ା ପରୀକ୍ଷା ଫଳ ନୂଆ ଇତିହାସ ସୃଷ୍ଟି କରିଛି। ମାଟ୍ରିକ୍‌ ପରି ଯୁକ୍ତ୨ରେ ବି ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନରେ ରେଗୁଲାର ପାସ୍‌ହାର ୯୯.୮୮% ହୋଇଥିବା ବେଳେ ବାଣିଜ୍ୟରେ ୯୯.୫୯% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଓଡ଼ିଶା ଇତିହାସରେ କୌଣସି ବି ବର୍ଷ ଏତେ ଛାତ୍ରଛାତ୍ରୀ ପାସ୍‌ କରିନାହାନ୍ତି। ବିଜ୍ଞାନ ବିଭାଗରେ ମେଧାବୀ ତଥା ୯୦%ରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ୨୦ ଗୁଣ ବୃଦ୍ଧି ପାଇଛି। ୨୦୨୦ରେ ୧୩୭ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଥିଲେ। ତେବେ ଏଥର ୨ ହଜାର ୨୭୮ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିବାରେ ସକ୍ଷମ ହୋଇଛନ୍ତି। ଅନୁରୂପ ଭାବେ ବାଣିଜ୍ୟରେ ୧୪୯ ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ ମାର୍କ ପାଇଛନ୍ତି। ତେବେ ପ୍ରତିବର୍ଷ ପ୍ରକାଶ ପାଉଥିବା ଜିଲ୍ଲାସ୍ତରୀୟ ପାସ୍‌ହାର ତାଲିକା ଏଥର ପ୍ରକାଶ କରାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏଥିସହ ଯୁକ୍ତ୨ କଲେଜର ସାମ୍‌ସ ଇ-ସ୍ପେସ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି। ପରୀକ୍ଷାର୍ଥୀଙ୍କ ପାଇଁ ପରିଷଦ ପକ୍ଷରୁ ହେଲ୍ପ ଲାଇନ୍‌ ନମ୍ବର ୦୬୭୪-୨୩୦୧୦୯୮ ଜାରି କରାଯାଇଛି। ଏହି ନମ୍ବର ମାଧ୍ୟମରେ ପରୀକ୍ଷାର୍ଥୀ ଆବଶ୍ୟକ ସୂଚନା ପାଇପାରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ବିଜ୍ଞାନ ବିଭାଗରେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲା‌ରରେ ୯୪ ହଜାର ୫୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଲାଗି ପଞ୍ଜୀକରଣ କରିଥିଲେ।

ସେମାନଙ୍କ ମଧ୍ୟରୁ ୮୯ ହଜାର ୯୫୧ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୫.୧୫% ହୋଇଛି। ରେଗୁଲାରରେ ଫର୍ମ ପୂରଣ କରିଥିବା ୭୮ ହଜାର ୮୯୯ ଜଣଙ୍କ ମଧ୍ୟରୁ ୭୮ ହଜାର ୮୦୯ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୯.୮୮% ହୋଇଛି। ଏକ୍ସ-ରେଗୁଲାରରେ ପଞ୍ଜୀକରଣ କରିଥିବା ୧୫ ହଜାର ୬୩୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧ ହଜାର ୧୪୨ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୭୧.୨୭% ହୋଇଛି। ପ୍ରଥମ ଶ୍ରେଣୀରେ ୫୫ ହଜାର ୪୬୮ ଜଣ ପାସ୍‌ କରିଥିବା ବେଳେ ୧୬ ହଜାର ୯୪୩ ଜଣ ଦ୍ବିତୀୟ ଓ ୧୪ ହଜାର ୬୩୧ ଜଣ ତୃତୀୟ ଶ୍ରେଣୀ‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୯୦୯ ଜଣ ପରୀକ୍ଷାର୍ଥୀ କମ୍ପାଟମେଣ୍ଟାଲ ଦେବା ଲାଗି ରହିଛନ୍ତି। ରେଗୁଲାରରେ ୯୦ ଓ ଏକ୍ସ-‌ରେଗୁଲାରରେ ୭୧୦ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସ୍ଥଗିତ ରଖାଯାଇଛି। ଛାତ୍ରୀମାନେ ବାଜିମାତ୍‌ କରିଛନ୍ତି। ଛାତ୍ରୀଙ୍କ ପାସ୍‌ହାର ୯୬.୦୩% ଥିବା ବେଳେ ଛାତ୍ରଙ୍କ ପାସ୍‌ହାର ୯୪.୪୬% ହୋଇଛି।

ବାଣିଜ୍ୟ ବିଭାଗରେ ପରୀକ୍ଷା ଦେବା ଲାଗି ଉଭୟ ରେଗୁଲାର ଓ ଏକ୍ସ-ରେଗୁଲା‌ରରେ ୨୪ ହଜାର ୫୨୬ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୩ ହଜାର ୨୯୨ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୪.୯୬% ହୋଇଛି। ରେଗୁଲାରରେ ଫର୍ମ ପୂରଣ କରିଥିବା ୨୧ ହଜାର ୯୯୬ ଜଣଙ୍କ ମଧ୍ୟରୁ ୨୧ ହଜାର ୯୦୬ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୯.୫୯% ହୋଇଛି। ଏକ୍ସ-ରେଗୁଲାରରେ ଫର୍ମ ପୂରଣ କରିଥିବା ୨ ହଜାର ୫୩୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩୮୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୫୪.୭୮% ହୋଇଛି। ୮ ହଜାର ୩୫୫ ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ବେଳେ ୫ ହଜାର ୬୯୨ ଜଣ ଦ୍ବିତୀୟ ଓ ୯ ହଜାର ୬୬ ଜଣ ତୃତୀୟ ଶ୍ରେଣୀ‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ରେଗୁଲାରରେ ୮୯ ଓ ଏକ୍ଦ-‌ରେଗୁଲାରରେ ୨୯୫ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସ୍ଥଗିତ ରଖାଯାଇଛି। ବାଣିଜ୍ୟରେ ବି ଛାତ୍ରୀମାନେ ବାଜି ମାରିଛନ୍ତି। ଛାତ୍ରୀଙ୍କ ପାସ୍‌ହାର ୯୫.୯୭% ଥିବା ବେଳେ ଛାତ୍ରଙ୍କ ପାସ୍‌ହାର ୯୪.୩୯% ହୋଇଛି।

ସମ୍ବନ୍ଧିତ ଖବର