ଜିଲ୍ଲାୱାରୀ କୋଭିଡ୍‌ ସ୍ଥିତି ସମୀକ୍ଷା : ସଂକ୍ରମଣ ବ୍ୟାପିବା କାରଣ ଖୋଜ, ନିୟନ୍ତ୍ରଣ ପାଇଁ ରଣନୀତି ପ୍ରସ୍ତୁତ କର

ସବୁ ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ସାରା ରାଜ୍ୟ ଏବେ କରୋନା ମହାମାରୀ ବିରୋଧରେ ଲଢ଼େଇ କରୁଛି। ପ୍ରତ୍ୟେକ ଜିଲ୍ଲାରେ କୋଭିଡ୍‌ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଡିଜିଟାଲ ବ୍ୟବସ୍ଥା ଜରିଆରେ ଜିଲ୍ଲାଓ୍ବାରୀ ସମୀକ୍ଷା କରିବା ସହିତ ପ୍ରତ୍ୟେକ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ନିଜ ନିଜ ଜିଲ୍ଲାରେ କୋଭିଡ୍‌ ସଂକ୍ରମଣ ବ୍ୟାପିବାର ନିର୍ଦ୍ଦିଷ୍ଟ କାରଣ ଖୋଜି ଯୁଦ୍ଧକାଳୀନ ଭିତ୍ତିରେ ତାକୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ଶ୍ରୀ ତ୍ରିପାଠୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମୀକ୍ଷାବେଳେ ମୁଖ୍ୟ ଶାସନ ସଚିବ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରେ କରୋନା ସଂକ୍ରମଣ ହାର ଓ କାରଣ ମଧ୍ୟ ଭିନ୍ନ ଭିନ୍ନ ରହିଛି। ଏପରିକି ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ମଧ୍ୟ ଭିନ୍ନ ପ୍ରକାର ସ୍ଥିତି ଦେଖିବାକୁ ମିଳୁଛି। ଏସବୁ ଦୃଷ୍ଟିରୁ ଅଞ୍ଚଳ ଓ୍ବାରୀ ଏହାର କାରଣ ଖୋଜିବାକୁ ପଡ଼ିବ। ଆସନ୍ତା ସପ୍ତାହକ ଭିତରେ ଗ୍ରାମାଞ୍ଚଳ ସ୍ଥିତିରେ ଯେପରି ପରିବର୍ତ୍ତନ ଆସିବ ସେଥିପାଇଁ ତ୍ବରିତ୍‌ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ଏକାଧୀକ ରୋଗ କିମ୍ବା ଦୂରାରୋଗ୍ୟ ରୋଗରେ ପୀଡ଼ିତ ରୋଗୀ ଯଦି କରୋନା ସଂକ୍ରମିତ ବୋଲି ଚିହ୍ନଟ ହେଉଛନ୍ତି ତାହେଲେ ସେମାନଙ୍କୁ ଅତିଶୀଘ୍ର ମେଡିକାଲରେ ଭର୍ତ୍ତି କରାଯିବ। ଏ ନେଇ ପ୍ରତ୍ୟେକ ଜିଲ୍ଲା ପ୍ରଶାସନ ଗୋଟିଏ ଲେଖାଏଁ ତ୍ବରିତ୍‌ ଆକ୍‌ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିବେ। ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ, ଜିଲ୍ଲା ସ୍ତରରେ କରୋନା ପୀଡ଼ିତ ଗୁରୁତର ରୋଗୀଙ୍କ ଚିକିତ୍ସାରେ ଡାକ୍ତରମାନଙ୍କୁ ପରାମର୍ଶ ଦେବା ପାଇଁ ରାଜ୍ୟସ୍ତରରେ ଗୋଟିଏ ବରିଷ୍ଠ ପ୍ରଫେସରମାନଙ୍କୁ ନେଇ ବିଶେଷଜ୍ଞ ଟିମ୍‌ ଗଠନ କରାଯାଇଛି। ଚିକିତ୍ସା କରୁଥିବା ଡାକ୍ତରମାନେ ଏହି ବିଶେଷଜ୍ଞମାନଙ୍କର ସହାୟତା ନେଇପାରିବେ।

ଆଲୋଚନାରେ ଭାଗ ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ କୁମାର ଜେନା କହିଥିଲେ, ଲକ୍ଷଣ ପ୍ରକାଶ ପାଇନଥିବା କରୋନା ଆକ୍ରାନ୍ତ କିମ୍ବା ସ୍ବଳ୍ପ ଲକ୍ଷଣ ଥିବା ରୋଗୀଙ୍କୁ ମେଡିକାଲ ନ ଆଣି ସେମାନଙ୍କ ଘରେ ଏକାନ୍ତବାସରେ ରଖି ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉ। କୋଭିଡ୍‌ ହସ୍ପିଟାଲଗୁଡ଼ିକରେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଶଯ୍ୟା ଖାଲି ରଖିବା ସହିତ ହୋମ୍‌ ଆଇସୋଲେସନ୍‌ରେ ଥିବା ରୋଗୀଙ୍କ ଚକିତ୍ସାରେ ଯେପରି ଅବହେଳା ନ ହେବ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବା ଦରକାର।

ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇ କହିଥିଲେ, ଜିଲ୍ଲାରେ ସଂକ୍ରମଣ ହାର ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଘରକୁ ଘର ଯାଇ ନମୁନା ପରୀକ୍ଷା କରାଯିବା ସହ ଗୁରୁତର ରୋଗୀଙ୍କୁ ଚିହ୍ନଟ କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଉଛି। ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ, ପ୍ରତ୍ୟେକ ଘରେ ରହୁଥିବା ଲୋକଙ୍କ ସମ୍ପୂର୍ଣ୍ଣ ତଥ୍ୟର ଡଜିଟାଇଜେସନ୍‌, ୨୪ ଘଣ୍ଟିଆ କଲ୍‌ ସେଣ୍ଟର୍‌, କଣ୍ଟେନ୍‌ମେଣ୍ଟ୍‌ ଜୋନରେ ନିୟମର କଡ଼ାକଡ଼ି ଅନୁପାଳନ କରାଯାଉଛି। ଜିଲ୍ଲା ପ୍ରଶାସନର ଏପରି ପଦକ୍ଷେପ ଯୋଗୁ ଗଞ୍ଜାମ ସ୍ଥିତିରେ ସୁଧାର ଆସିଛି ବୋଲି ଶ୍ରୀ କୁଲାଙ୍ଗେ କହିଥିଲେ।

କାର୍ଯ୍ୟକ୍ରମରେ ରାୟଗଡ଼ା, ସୁନ୍ଦରଗଡ଼, କଟକ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଭୁବନେଶ୍ବର ମହାନଗର ନିଗମ କମିସନର କୋଭିଡ୍‌ ନିୟନ୍ତ୍ରଣ ପାଇଁ ନେଇଥିବା ସ୍ବତନ୍ତ୍ର ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର